Advertisment

ବିଶ୍ୱକପରେ ଇତିହାସ ରଚିଲା ପାକିସ୍ତାନ, ୩୪୪ ରନ କରି ହାରିଲା ଶ୍ରୀଲଙ୍କା

ଆଜି ପାକିସ୍ତାନ ରନ ଚେଜ୍‌ର ରେକର୍ଡକୁ ଭାଙ୍ଗି ଦେଇଛି। ଆଇସିସି ବିଶ୍ୱକପର ୪୮ ବର୍ଷ ଇତିହାସରେ ପାକିସ୍ତାନ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

author-image
Hemant Lenka
Pakistan

Pakistan

ଭାରତରେ ଚାଲିଥିବା ବିଶ୍ୱକପରେ ରେକର୍ଡ କରିଛି ପାକିସ୍ତାନ। ଦିନିକିଆ ବିଶ୍ୱକପରେ ପୂର୍ବରୁ କେବେ ଯାହା ହୋଇ ନଥିଲା, ସେକଥା ହାଇଦ୍ରାବାଦରେ କରି ଦେଖାଇଛି ବାବର ଆଜାମଙ୍କ ପାକିସ୍ତାନ।

Advertisment

ରେକର୍ଡ ଟାର୍ଗେଟର ପିଛା କରି ପାକିସ୍ତାନ ୪ ୱିକେଟରେ ବାଜି ମାରି ନେଇଛି। ଶ୍ରୀଲଙ୍କା ୩୪୫ ରନର ଟାର୍ଗେଟ ଦେଇଥିଲେ ମଧ୍ୟ ପାକିସ୍ତାନ ମହମ୍ମଦ ରିଜୱାନ ଓ ଅବଦୁଲ୍ଲାଙ୍କ ଶଫିକ୍ୟୁଙ୍କ ଶତକ ଏହାକୁ ପିକା କରି ଦେଇଛି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୪୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଧାର୍ଯ୍ୟ ଟାର୍ଗେଟକୁ ୪ ୱିକେଟ ହରାଇ ୧୦ ବଲ ପୂର୍ବରୁ ହାସଲ କରି ନେଇଛି। ଅପରାଜିତ ୧୩୧ ରନର ଇନିଂସ ଖେଳିଥିବା ରିଜୱାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଚଳିତ ବିଶ୍ୱକପରେ ପାକିସ୍ତାନ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ମ୍ୟାଚ୍‌ରେ ଦଳ ଡଚ୍‌ ଟିମକୁ ପରାସ୍ତ କରିଥିଲେ। 

Advertisment

ଏତେ ରନର ପିଛା କରି ବିଶ୍ୱକପରେ କୌଣସି ମ୍ୟାଚ୍‌ ଜିତିବା ପ୍ରଥମ ଘଟଣା। ପୂର୍ବରୁ ଏହି ରେକର୍ଡ ଆୟର୍ଲ୍ୟାଣ୍ଡ ନାଁରେ ଥିଲା। ୨୦୧୧ ବିଶ୍ୱକପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୨୮ ରନ କରିଥିଲା। ଏହାର ଜବାବରେ ଆୟର୍ଲ୍ୟାଣ୍ଡ ୭ ୱିକେଟ ହରାଇ ୩୨୯ ରନ କରି ନେଇଥିଲା। ହେଲେ ଆଜି ପାକିସ୍ତାନ ରନ ଚେଜ୍‌ର ରେକର୍ଡକୁ ଭାଙ୍ଗି ଦେଇଛି। ଆଇସିସି ବିଶ୍ୱକପର ୪୮ ବର୍ଷ ଇତିହାସରେ ପାକିସ୍ତାନ ନୂଆ ଅଧ୍ୟାୟ ସୃଷ୍ଟି କରିଛି। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା କୁଶଲ ମେଣ୍ଡିସଙ୍କ ୧୨୨ ଓ ସଦୀରା ସମରାବିକ୍ରମାଙ୍କ ୧୦୮ ରନ ବଳରେ ବିଶାଳ ୩୪୪ ରନ କରିଥିଲା। ରେକର୍ଡ ୩୪୫ ରନର ପିଛା କରୁଥିବା ପାକିସ୍ତାନ ୩୭ ରନରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇମାମ ଉଲ ହକ ୧୨ ଓ ଅଧିନାୟକ ବାବର ଆଜମ ୧୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ।

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରିଜୱାନ ଓ ଅବଦୁଲ୍ଲା ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ସେମାନେ କେବଳ ୱିକେଟ ରଖି ନଥିଲେ, ବରଂ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଉଭୟ ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଅବଦୁଲ୍ଲା ପ୍ରଥମେ ନିଜର ଶତକ ପୂରଣ କରିଥିଲେ। ଏଥିସହ ତୃତୀୟ ୱିକେଟ ପାଇଁ ରିଜୱାନଙ୍କ ସହ ମିଶି ୧୭୬ ରନ ଯୋଡ଼ି ଥିଲେ। ଦଳୀୟ ସ୍କୋର ୨୧୩ ଥିବା ବେଳେ ଅବଦୁଲ୍ଲା ୧୦୩ ବଲରେ ୧୧୩ ରନ କରି ପଥିରଣାଙ୍କ ବଲରେ ଆଉଟ ହୋଇଥିଲେ।

କିନ୍ତୁ କ୍ରାମ୍ପ ସତ୍ତ୍ୱେ ରିଜୱାନ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଥିଲେ। ଏଥିସହ ଶତକ ମଧ୍ୟ ପୂରଣ କରିଥିଲେ। ଶତକ ପୂରଣ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ତାଙ୍କୁ ସୌଦ ସକୀଲ(୩୧) କିଛି ସମୟ ପାଇଁ ସାଥ ଦେଇଥିଲେ।

ଏହାପରେ ଇଫତକାର ଅହମଦ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ରିଜୱାନ ଶେଷ ଯାଏ ୧୨୧ ବଲରେ ୧୩୧ ରନ ଓ ଇଫତକାର ୧୦ ବଲରେ ୨୨ ରନ କରି ଅପରାଜିତ ରହିଥିଲେ। ରିଜୱାନ ତାଙ୍କ ମ୍ୟାଚ୍‌ ବିଜୟୀ ଇନିଂସରେ ୩ଟି ଛକା ଓ ୮ଟି ଚୌକା ମାରିଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁଶଣଙ୍କା ୨ଟି ୱିକେଟ ନେଇଥିବା ବେଳେ ତିକସାନା ଓ ପଥିରଣା ଗୋଟିଏ ସଫଳତା ପାଇଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023