/odisha-reporter/media/media_files/2026/01/26/india-2026-01-26-17-47-11.jpg)
ସୂର୍ଯ୍ୟ କୁମାର ଓ ସଲମାନ ଆଘା(ଫାଇଲ ଫଟୋ)
ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି। ଆଇସିସିର ଚେତାବନୀ ପରେ ଏବେ ବାଂଲାଦେଶ ନାଁ ନେଇ ଆଇସିସି ଓ ଭାରତ ବିରୋଧରେ ମୋର୍ଚ୍ଚ ଖୋଲିଛି ପିସିବି। ଭାରତ ବାହାରେ ବାଂଲାଦେଶ ଟି-୨୦ ବିଶ୍ୱକପର(T20 World Cup) ମ୍ୟାଚ୍ ଖେଳିବାକୁ ଦାବି କରି ବାଦ ପଡ଼ିବାରୁ ଏହାକୁ ନାପସନ୍ଦ କରିଛି ପିସିବି। ବାଂଲାଦେଶ ପ୍ରତି ଆଇସିସି ଅନ୍ୟାୟ କରିଥିବା ଅଭିଯୋଗ କରି ଭାରତ ବିବକ୍ଷ ବିଶ୍ୱକପ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ପାକିସ୍ତାନ ବୟକଟ କରିବାକୁ ଚିନ୍ତା କରୁଥିବା ରିପୋର୍ଟ ପ୍ରକାଶ ପାଇଛି।
ପାକିସ୍ତାନ ନ୍ୟୁଜି ଆଉଟଲେଟ ଜିଓ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ପିସିବି ସବୁ ପ୍ରକାରର ବିକଳ୍ପ ପାଇଁ ରାସ୍ତା ଖୋଲା ରଖିଛି। ଏହା ମଧ୍ୟରେ ଭାରତ ବିରୋଧୀ ମ୍ୟାଚକୁ ପାକିସ୍ତାନ ବୟକଟ କରିବାକୁ ବିକଳ୍ପ ରହିଛି। ଏପରି କି ବାଂଲାଦେଶ ପ୍ରତି ଆଇସିସି ଅନ୍ୟାୟ କରିଥିବାରୁ ପାକିସ୍ତାନ ପୂରା ବିଶ୍ୱକପରୁ ମଧ୍ୟ ଓହରିବା ବିକଳ୍ପ ସମ୍ପର୍କରେ ଚିନ୍ତା କରୁଛି। ଜିଓ ନ୍ୟୁଜ ଏପରି ରିପୋର୍ଟ ପ୍ରକାଶ କରିଥିଲେ ହେଁ ପିସିବି ପକ୍ଷରୁ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବା ସମ୍ପର୍କରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।
ଫେବୃଆରୀ ୭ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ୧୫ ତାରିଖରେ ମୁହାଁମୁହିଁ ହେବାର ଅଛି। ହାଇବ୍ରିଡ ମଡେଲ ଅନୁସାରେ ମ୍ୟାଚ କଲୋମ୍ବୋରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ସେହିପରି ଦୁଇ ଦେଶ ଟୁର୍ଣ୍ଣାମେଣ୍ଟର ସେମି ଓ ଫାଇନାଲରେ ମଧ୍ୟ ମୁହାଁମୁହିଁ ହୋଇ ପାରନ୍ତି।
ଯଦି ରିପୋର୍ଟକୁ ସତ ବୋଲି ବିବେଚନା କରାଯାଏ ଓ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରେ, ତା’ହେଲେ ଦଳ ୨ ପଏଣ୍ଟ ହରାଇବ। ସେହିପରି ଭାରତକୁ ମଧ୍ୟ ୨ ପଏଣ୍ଟ ୱାକଭର ଆକାରରେ ମିଳିବ। କିନ୍ତୁ ଅତିରିକ୍ତ ଭାବେ ପିସିବିକୁ ବଡ଼ଧରଣର ଆର୍ଥିକ ଝଟକା ମଧ୍ୟ ଲାଗିବ। ପାକିସ୍ତାନ ବୟକଟ ସମ୍ପର୍କରେ ଚିନ୍ତା କରୁଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଆଇସିସି ଚେତାବନୀ ଦେଇଥିଲା। ଯଦି ପାକିସ୍ତାନ ବୟକଟ କରିବ, ତା’ହେଲେ ପିସିବି ଦୀର୍ଘକାଳୀନ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ। ଅତିରିକ୍ତ ଭାବେ ବିଶ୍ୱ କ୍ରିକେଟରେ ପିସିବି ନିଜର ଭାବମୂର୍ତ୍ତି ମଧ୍ୟ ହରାଇବ ବୋଲି ଆଇସିସି କହି ସାରିଛି।
ପିସିବି ଅଧ୍ୟକ୍ଷ ମୋହଶିନ ନକବୀ ବାଂଲାଦେଶକୁ ବହିଷ୍କାର କରିବା ପ୍ରସଙ୍ଗରେ ଆଇସିସିକୁ ତୀବ୍ର ସମାଲୋଚନା କରିଥିଲେ। ଆଇସିସି ଦୋମୁହାଁ ନୀତି ଅବଲମ୍ବନ କରୁଛି ଓ ଆଇସିସିର ନିଷ୍ପତ୍ତି ଅନ୍ୟାୟ ବୋଲି କହିବାକୁ ମଧ୍ୟ ସେ ପଛାଇ ନଥିଲେ। ତେବେ ପାକିସ୍ତାନ ବିଶ୍ୱକପକୁ ବୟକଟ କରିବା ପ୍ରଶ୍ନରେ ନକବୀ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗି ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ କଥା ହେବା ପରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ନିଜର ସମ୍ମାନ ରଖିବାକୁ ମଧ୍ୟ ଏବେ ଉଦ୍ୟମ ଆରମ୍ଭ କରିଛି। ପ୍ରଥମେ ପାକିସ୍ତାନ କଥାରେ ହିଁ ବାଂଲାଦେଶ ଆଇସିସିକୁ ବିରୋଧ କରି ଭାରତ ବାହାରକୁ ମ୍ୟାଚ୍ ନେବାକୁ କହିଥିଲା। ଏପରି କି ଆଇସିସି ଉପରେ ଚାପ ପକାଇବାକୁ ପାକିସ୍ତାନ ମଧ୍ୟ ବୟକଟର ଧମକ ଦେଇଥିଲା। ପାକିସ୍ତାନ ଭରସାରେ ବାଂଲାଦେଶ ନିଜର ଆଭିମୁଖ୍ୟକୁ ଅଧିକ କଡ଼ା କରିଥିବା ଓ ଆଇସିସିର ବାରମ୍ବାର ବୁଝାସୁଝା ସତ୍ତ୍ୱେ ସ୍ଥାନ ପରିବର୍ତ୍ତନ ନିଷ୍ପତ୍ତିରେ ଅଟଳ ରହିଥିଲା। ଆଇସିସି ଏଥିଯୋଗୁ ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ବାଦ ଦେଇ ସ୍କଟଲ୍ୟାଣ୍ଡକୁ ସାମିଲ କରିଛି।
ବାଂଲାଦେଶ ବିଦା ହେବା ପରେ କ’ଣ ପାକିସ୍ତାନ ବିଶ୍ୱକପକୁ ବୟକଟ କରିବ ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ପିସିବି ପ୍ରଥମେ ବୟକଟ କରିବ ନାହିଁ କହିଥିଲା। ଏହାକୁ ନେଇ ବାଂଲାଦେଶର ସମର୍ଥକ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଥିଲେ। ଏବେ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କେବଳ ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍କୁ ବୟକଟ କରିବାକୁ ଚିନ୍ତା କରୁଥିବା ନିଜ ଦେଶର ଗଣମାଧ୍ୟମ ଜରିଆରେ ରିପୋର୍ଟ ପ୍ରକାଶ କରିଛି।
ଏତେ ସବୁ ବିବାଦ ଭିତରେ ପାକିସ୍ତାନକୁ ହାରିବା ଭୟ ମଧ୍ୟ ଘାରିଛି। ପ୍ରତି ଟି-୨୦ ବିଶ୍ୱକପରେ ଭାରତକୁ ପାକିସ୍ତାନ ଭେଟୁଥିଲେ ହେଁ କେବଳ ଗୋଟିଏ ଥର ଜିତିଛି। ନିକଟରେ ହୋଇଥିବା ଏସିଆ କପରେ ଦଳ ୩ ଥର ଭାରତର ସାମ୍ନା କରି ମାଟି କାମୁଡ଼ିଥିଲା। ଏହାକୁ ପାକିସ୍ତାନ ଫ୍ୟାନ୍ସ ସହଜରେ ହଜମ କରି ନପାରି ନିଜ ଦେଶର ଖେଳାଳିଙ୍କୁ ସମାଲୋଚନା କରିଥିଲେ।
ଏହାବାଦ ମ୍ୟାଚ୍ ସ୍ଥାନାନ୍ତର ବିବାଦ ମଧ୍ୟରେ ଯଦି ପାକିସ୍ତାନ ପୁଣି ବିଶ୍ୱକପରେ ହାରିଯିବ, ତା’ହେଲେ ଦଳର ନାକ କଟିବା ସୁନିଶ୍ଚିତ। ଏଥିପାଇଁ ସମ୍ଭବତଃ ପାକିସ୍ତାନ ଏବେ ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରି ଭାବମୂର୍ତ୍ତି ସୁଧାରିବାକୁ ଚାହୁଁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
