Advertisment

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ସହିବ ୫୪୯୭ କୋଟିର କ୍ଷତି, ଭୋଗିବ ଏମିତି ଦଶା

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

author-image
Hemant Lenka
ICC

ICC

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବାକୁ ଭାରତୀୟ ଟିମକୁ ଭାରତର ସରକାର ଅନୁମତି ଦେଇ ନାହାନ୍ତି। ଏକଥା ବିସିସିଆଇ ପକ୍ଷରୁ ଆଇସିସିକୁ ଜଣାଇ ଦିଆଯାଇଛି।

Advertisment

ଆଇସିସି ମଧ୍ୟ ଏକଥା ପାକିସ୍ତାନ କ୍ରିକେଟ ବୋର୍ଡକୁ ଜଣାଇ ଦେଇଛି। ହେଲେ ପାକିସ୍ତାନ ନିଜ ଜିଦରେ ଅଟଳ ରହିବା ସହ ଚାମ୍ପିୟନ୍ସ ଟ୍ରଫିର ଗୋଟିଏ ବି ମ୍ୟାଚ୍‌ ଦେଶ ବାହାରେ ହେବାକୁ ଦେବ ନାହିଁ ବୋଲି କହିଛି। ଏଥିସହ ବିସିସିଆଇର ଆଭିମୁଖ୍ୟ ଉପରେ ଆଇସିସି ନିଜର ପକ୍ଷ ସ୍ପଷ୍ଟ କରିବାକୁ ମଧ୍ୟ ପିସିବି ଚିଠି ଲେଖିଛି।

ରାଜନୀତିକ ବିବାଦ ଯୋଗୁ ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨-୧୩ରୁ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ହେଉନାହିଁ। ଉଭୟ ଦେଶ କେବଳ ଆଇସିସି ଓ ଏସିଆ କପରେ ମୁହାଁମୁହିଁ ହେଉଛନ୍ତି। ୨୦୨୩ ଏସିଆ କପର ଆୟୋଜନ ପାକିସ୍ତାନ ପାଇଥିଲେ ହେଁ ଭାରତ ଶ୍ରୀଲଙ୍କାରେ ତା’ର ମ୍ୟାଚ୍‌ ଗୁଡ଼ିକ ଖେଳିଥିଲା। ଏସିଆ କପରେ ହାଇବ୍ରିଡ ମଡେଲ ଆପଣା ଯାଇଥିଲା। ଚାମ୍ପିୟନ୍ସ ଟ୍ରଫିରେ କିନ୍ତୁ ପାକିସ୍ତାନ ହାଇବ୍ରିଡ ମଡେଲ ସପକ୍ଷରେ ନାହିଁ। ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।

Advertisment

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯଦି ପାକିସ୍ତାନ ଯଦି ନିଜ ଜିଦରେ ଅଟଳ ରହିବ ଓ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପ୍ରଭାବିତ ହେବ, ତା’ହେଲେ ଆଇସିସି ବାଧ୍ୟ ହୋଇ ପାକିସ୍ତାନ ଉପରେ କଟକଣା ଲଗାଇବ। ଯଦି ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯିବ, ତା’ହେଲେ ଆଇସିସି ପକ୍ଷରୁ ପାଇବାକୁ ଥିବା ପାଣ୍ଠି ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇବ।

ପାକିସ୍ତାନ କ୍ରିକେଟ ବୋର୍ଡ ଯଦି ବିବାଦକୁ ଦୃଷ୍ଟିରେ ରଖି ଚାମ୍ପିୟନ୍ସ ଟ୍ରଫି ଉପରେ ରୋକ ଲଗାଏ, ତା’ହେଲେ ଦେଶକୁ ଆୟୋଜକ ଫି’ ବାବଦରେ ୬୫ ମିଲିୟନ ଡଲାର ବା ପ୍ରାୟ ୫୪୯୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ନିକଟରେ ପିସିବି କରାଚି, ରାୱଲପିଣ୍ଡି ଓ ଲାହୋର ଷ୍ଟାଡିୟମର ଉନ୍ନତିକରଣ କରିଥିଲା। ଯଦି ମ୍ୟାଚ୍‌ ନ ହେବ, ତା’ହେଲେ ଏ ବାବଦରେ ମଧ୍ୟ ପାକିସ୍ତାନକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ।

ଭାରତ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ମନା କରୁଛି। କିନ୍ତୁ ପାକିସ୍ତାନର କହିବା କଥା ଯେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସିରିଜକୁ ଦେଶ ସଫଳତାର ସହ ଆୟୋଜନ କରିଥିଲା। ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ।

ତେବେ ଏଯାଏ ‌ଆଇସିସି ପକ୍ଷରୁ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ କିଛି ବି କହି ନାହିଁ।

India Vs Pakistan Champions Trophy