/odisha-reporter/media/post_attachments/uploads/2022/11/7770.jpg)
Pakistan
ସିଡ୍ନୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପହଞ୍ଚିଛି। ବୁଧବାର ସିଡ୍ନୀରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍ରେ ଯେଉଁ ଦଳ ଜିତିବି, ସେ ଫାଇନାଲରେ ପାକିସ୍ତାନ ସହ ଖେଳିବ।
ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଦଳ ପକ୍ଷରୁ ଡାରିଲ୍ ମିଚେଲ ଅପରାଜିତ ରହି ସର୍ବାଧିକ ୫୩ ରନ୍ କରିଥିଲେ। ସେ ୩୫ଟି ବଲ୍ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟରେ ସେ ଏହି ରନ୍ ସଂଗ୍ରହ କରିଥିଲେ।
ଅଧିନାୟକ କେନ୍ ୱିଲିୟମସନ୍ ୪୨ଟି ବଲ୍ରୁ ୪୬ ରନ୍ କରିଥିଲେ। ତା’ ମଧ୍ୟରେ ମାତ୍ର ଗୋଟିଏ ଚୌକା ଓ ଛକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓପନର ଫିନ୍ ଆଲେନ୍ ୪ ରନ୍ କରିଥିବା ବେଳେ ଡେଭନ କନୱେ ୨୧ (୨୦ ବଲ୍) ଓ ଗ୍ଲେନ୍ ଫିଲିପ୍ସ ୬ ରନ୍ କରିଥିଲେ। ଜେମ୍ସ ନୀଶାମ ୧୨ଟି ବଲ୍ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।
ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ନୱାଜ ଗୋଟିଏ ୱିକେଟ୍ ନେଇଥିଲେ।
ଅନ୍ୟପକ୍ଷରେ ୧୫୩ ରନ୍ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୩ଟି ୱିକେଟ୍ ହରାଇ ହାସଲ କରି ନେଇଥିଲା ପାକିସ୍ତାନ। ଦଳ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଦମ୍ଦାର ଇନିଂସ ଖେଳିଥିଲେ। ଦୁହେଁ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ଅର୍ଦ୍ଧଶତକ କରିଥିଲେ। ୧୨.୪ ଓଭରରେ ଅଧିନାୟକ ବାବର ଆଜମ ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ସେ ଡେରିଲ ମିଚେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ୟାଭିଲିୟନକୁ ଫେରିଲା ବେଳକୁ ସେ ୪୨ ବଲ୍ରେ ୭ଟି ଚୌକା ସହାୟତାରେ ୫୩ ରନ୍ କରିଥିଲେ।
ବାବର ଆଉଟ୍ ହୋଇଯିବା ପରେ ମହମ୍ମଦ ରିଜୱାନଙ୍କ ସହିତ ଯୋଡ଼ି ହୋଇଥିଲେ ମହମ୍ମଦ ହାରିସ୍। ତେବେ ୧୬.୬ ଓଭରରେ ରିଜୱାନ ଆଉଟ୍ ହୋଇଯାଇଥିଲେ। ସେ ୪୩ଟି ବଲ୍ରୁ ୫ଟି ଚୌକା ସହାୟତାରେ ୫୭ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍ରେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୮.୬ ଓଭରରେ ମହମ୍ମଦ ହାରିସ୍ ୨୬ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ। ଶାନ୍ ମାସୁଦ୍ ୩ ରନ୍ କରି ଅପରାଜିତ ରହିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
