Advertisment

ବିଶ୍ୱକପ୍‌ କ୍ରିକେଟ: ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ପାକିସ୍ତାନ, ସେମି ଫାଇନାଲ ସୁଯୋଗ ସମ୍ଭାବନା ବଢ଼ିଲା

ବେଙ୍ଗାଲୁରୁର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ୪୦୧ ରନ୍ କରିଥିଲା।

ଅଦ୍ୟତନ ହୋଇଛି
Fakhar

Fakhar

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି ବର୍ଷା ବାଧିତ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ। ବର୍ଷା ଯୋଗୁ ପାକିସ୍ତାନ ପୂରା ବ୍ୟାଟିଂ କରିପାରି ନଥିବା ବେଳେ ଡିଏଲ୍‌ଏସ୍ ନିୟମରେ ମ୍ୟାଚ୍‌ର ଫଇସଲା ହୋଇଥିଲା।

Advertisment

ବେଙ୍ଗାଲୁରୁରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ୪୦୧ ରନ୍ କରିଥିଲା। ରଚିନ ରବୀନ୍ଦ୍ର ସର୍ବାଧିକ ୧୦୮ ରନ୍ (୯୪ ବଲ୍‌, ୧୫ ଚୌକା, ଗୋଟିଏ ଛକା) କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୭୯ଟି ବଲ୍‌ରୁ ୧୦ ଚୌକା ଓ ୨ ଛକା ସହାୟତାରେ ୯୫ ରନ୍ କରି ଆଉଟ୍ ହୋଇଥିଲେ। ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଓପନର ଡେଭନ କନୱେ ୩୫, ମାର୍କ ଚାପ୍‌ମ୍ୟାନ ୩୯ ଓ ଗ୍ଲେନ୍ ଫିଲିପ୍ସ ୪୧ ରନ୍ କରିଥିଲେ।

ପାକିସ୍ତାନ ତରଫରୁ ମହମ୍ମଦ ୱାସିମ ଜୁନିୟର ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ୧୦ ଓଭରରେ ୬୦ ରନ୍ ଦେଇଥିଲେ। ସବୁଠୁ ଅଧିକ ମାଡ଼ ଖାଇଥିଲେ ଶାହୀନ ଆଫ୍ରିଦି। ସେ ୧୦ ଓଭରରେ ୯୦ ରନ୍ ଦେଇଥିଲେ। କିନ୍ତୁ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ହସନ ଅଲ୍ଲୀ ୧୦ ଓଭରରେ ୮୨ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ହରିସ ରୌଫ ୮୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଇଫ୍‌ତିଖର ଅହମଦ ୮ ଓଭରରେ ୫୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସଲମାନ ଅଲ୍ଲୀ ଆଗା ୨ ଓଭରରେ ୨୧ ରନ୍ ଦେଇଥିଲେ।

Advertisment

ଅନ୍ୟପକ୍ଷରେ ୪୦୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନକୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ୧.୬ ଓଭରରେ ଟିମ୍ ସାଉଦିଙ୍କ ବଲରେ ୱିଲିୟମସନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ଓପନର ଅବଦୁଲ୍ଲା ଶଫିକ୍। ସେ ମାତ୍ର ୪ ରନ୍ କରିଥିଲେ। ତେବେ ତା’ପରେ ଫଖର ଜମାନ ଓ ଅଧିନାୟକ ବାବର ଆଜମ କ୍ରିଜ୍‌ରେ ଜମି ଯାଇଥିଲେ। ଫଖର ଦ୍ରୁତ ରନ୍ ସଂଗ୍ରହ କରି ଚାଲିଥିବା ବେଳେ ବାବର ଆଜମ ନିଜକୁ ନିୟନ୍ତ୍ରଣରେ ରଖି ରନ୍ ସଂଗ୍ରହ କରୁଥିଲେ।

ଫଖର ୮୧ଟି ବଲ୍‌ରୁ ୮ ଚୌକା ଓ ୧୧ ଛକା ମାରି ୧୨୬ ରନ୍ ସଂଗ୍ରହ କରିଥିଲେ। ସେହିପରି ବାବର ଆଜମ ୬୩ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୬ ରନ୍ କରିଥିଲେ। ଦୁହେଁ ଅପରାଜିତ ରହିଥିଲେ।

ପାକିସ୍ତାନ ଇନିଂସ ବେଳେ ବାରମ୍ବାର ବର୍ଷା ବାଧକ ସାଜିଥିଲା। ୨୫.୩ ଓଭର ପରେ ଆଉ ଖେଳ ହୋଇପାରି ନଥିଲା। ତେଣୁ ଡିଏଲ୍‌ଏସ୍ ବ୍ୟବସ୍ଥାରେ ମ୍ୟାଚ୍‌ର ଫଇସଲା କରାଯାଇଥିଲା। ୨୫.୩ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରି ନେଇଥିଲା। ଡିଏଲ୍‌ଏସ୍‌ ବ୍ୟବସ୍ଥା ଅନୁଯାୟୀ ପାକିସ୍ତାନକୁ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଇଥିଲା, ଦଳ ୨୫.୩ ଓଭରରେ ତା’ଠାରୁ ଆହୁରି ୨୧ ରନ୍ ଅଧିକ କରି ସାରିଥିଲା। ତେଣୁ ଆଉ ଖେଳ ହୋଇନପାରିବାରୁ ପାକିସ୍ତାନକୁ ବିଜୟୀ ଘୋଷଣା କରାଯାଇଥିଲା।

ଏହି ବିଜୟ ସହିତ ପାକିସ୍ତାନ ତା’ର ସେମି ଫାଇନାଲ ଖେଳିବା ଆଶାକୁ ଉଜ୍ଜୀବିତ ରଖିଛି। ଆଜିର ମ୍ୟାଚ୍‌ ପରେ ଉଭୟ ଦଳ ୮ଟି ଲେଖାଏଁ ମ୍ୟାଚ୍‌ରୁ ୪ଟି ଲେଖାଏଁ ଜିତି ୮ ପଏଣ୍ଟ ଲେଖାଏଁ ପାଇଛନ୍ତି। ତେବେ ନେଟ୍ ରନ୍ ରେଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଗର ରହିଛି। ତେଣୁ ପଏଣ୍ଟ ଟେବୁଲରେ ପାକିସ୍ତାନ ୫ ନମ୍ବରରେ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪ ନମ୍ବରରେ ରହିଛି।

ଉଭୟ ଦଳ ଆଉ ଗୋଟିଏ ଲେଖାଏଁ ଗ୍ରୁପ୍ ମ୍ୟାଚ୍ ଖେଳିବେ। ଆସନ୍ତା ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ ପାକିସ୍ତାନ। ସେହିପରି ଶ୍ରୀଲଙ୍କାକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ। ଯଦି ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଜିତି ଯାଏ ଓ ଶ୍ରୀଲଙ୍କା ଠାରୁ ନ୍ୟୁଜିଲ୍ୟାଣ୍ଡ ହାରିଯିବ, ତା’ହେଲେ ବାବର ଆଜମଙ୍କ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ପଛରେ ପକାଇ ପଏଣ୍ଟ ଟେବୁଲରେ ଉପରକୁ ଚଢ଼ିବ। ଯଦି ଉଭୟ ନିଜ ନିଜ ମ୍ୟାଚ୍ ଜିତି ଯାଆନ୍ତି, ତା’ହେଲେ ରନ୍‌ ରେଟ୍ ଅନୁସାରେ ପଏଣ୍ଟ ଟେବୁଲରେ ସ୍ଥାନ ପାଇବେ।

ଏହି ଦୁଇ ଟିମ୍‌ ବ୍ୟତୀତ ଆଫଗାନିସ୍ତାନ ମଧ୍ୟ ତା’ର ସେମି ଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି। ଆଫ୍‌ଗାନିସ୍ତାନ ୭ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ହୋଇ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ ନମ୍ବର ସ୍ଥାନରେ ରହିଛି। ଦଳ ଆହୁରି ଦୁଇଟି ଗ୍ରୁପ୍ ମ୍ୟାଚ୍ ଖେଳିବ। ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଯଦି ଆଫଗାନିସ୍ତାନ ଦୁଇଟି ଯାକ ମ୍ୟାଚ୍ ଜିତି ଯିବ, ତା’ହେଲେ ସେମି ଫାଇନାଲରେ ପହଞ୍ଚିଯିବ। ଯଦି ଦଳ ଗୋଟିଏ ମ୍ୟାଚ୍ ଜିତିବ ଓ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତି ଯିବେ, ତା’ହେଲେ ତିନିଟି ଯାକ ଦଳ ୧୦ ପଏଣ୍ଟ ଲେଖାଏଁ ପାଇବେ। ସେତେବେଳେ ନେଟ୍ ରନ୍‌ ରେଟ୍ ଅନୁସାରେ ସେମାନଙ୍କୁ ପଏଣ୍ଟ ଟେବୁଲରେ ସ୍ଥାନ ଦିଆଯିବ। ଆଉ ଯିଏ ଟପ୍‌ରେ ରହିବ, ସେ ସେମି ଫାଇନାଲକୁ ଯିବ।

ଅଷ୍ଟ୍ରେଲିଆ ୮ ପଏଣ୍ଟ ପାଇ ଟେବୁଲର ତିନି ନମ୍ବର ସ୍ଥାନରେ ରହିଛି। ତେବେ ତା’ର ଆହୁରି ତିନିଟି ମ୍ୟାଚ୍ ବାକି ଅଛି। ସେଥିରୁ ଗୋଟିଏ ଆଜି ଇଂଲଣ୍ଡ ବିପକ୍ଷରେ ଚାଲିଛି। ଯଦି ଦଳ ତିନିଟି ଯାକ ମ୍ୟାଚ୍ ହାରିଯିବ, ତା’ହେଲେ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରୁ ଦୁଇଟି ଦଳ ଟପ୍ ୪ରେ ରହିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe