Advertisment

T20 World Cup: ପାକିସ୍ତାନ ଧୋକାବାଜ, ବାଂଲାଦେଶକୁ ଗଛରେ ଚଢ଼ାଇ ମୂଳରୁ କାଟିଦେଲା

ଆଇସିସି ଓ ବାଂଲାଦେଶ ବିବାଦ ମଧ୍ୟରେ ଆମେ କାହିଁକି ପାକିସ୍ତାନକୁ ଧୋକାବାଜ କହୁଛୁ? ଏହା ପଛରେ ଯଥେଷ୍ଟ କାରଣ ରହିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ପାକିସ୍ତାନ ଖୋଲାଖୋଲି ଢାକାର ସମର୍ଥନ କରିଥିଲା।

Bangladesh

ବାଂଲାଦେଶ କ୍ରିକେଟ ଟିମ

Advertisment

ପାକିସ୍ତାନ ଗୋଟିଏ ଧୋକାବାଜ ଦେଶ। ଏହା ପୁଣି ପ୍ରମାଣିତ ହୋଇଛି। ପାକିସ୍ତାନକୁ ବିଶ୍ୱାସ କରିବା ଯାହା, ସାପକୁ କ୍ଷୀର ଦେଇ ରଖିବା ସେଇଆ। ବାରମ୍ବାର ପାକିସ୍ତାନ ଏହାକୁ ପ୍ରମାଣିତ କରି ଆସିଛି। ପାକିସ୍ତାନ ଉପରେ ଅଧିକ ଭରସା ଓ ବିଶ୍ୱାସ ଦେଖାଇ ନାମ ନେଇଛି ବାଂଲାଦେଶ। ସ୍ଥିତି ଏପରି ହୋଇଛି ଯେ ବାଂଲାଦେଶ କ୍ରିକେଟ ଟିମ ଆଗାମୀ ଟି-୨୦ ବିଶ୍ୱକପ(T20 World Cup)ରୁ ବାଦ ପଡ଼ିଛି। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ନେଇ ଆଇସିସି ଧାର୍ଯ୍ୟ ସୂଚୀ ଅନୁସାରେ ଟି-୨୦ ବିଶ୍ୱକପ ଆୟୋଜନ କରିବ ବୋଲି ରାଜି ହୋଇ ଯାଇଛି। 

Advertisment

ଆଇସିସି ଓ ବାଂଲାଦେଶ ବିବାଦ ମଧ୍ୟରେ ଆମେ କାହିଁକି ପାକିସ୍ତାନକୁ ଧୋକାବାଜ କହୁଛୁ? ଏହା ପଛରେ ଯଥେଷ୍ଟ କାରଣ ରହିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରେ ପାକିସ୍ତାନ ଖୋଲାଖୋଲି ଢାକାର ସମର୍ଥନ କରିଥିଲା। ବିସିସିଆଇ କଥାରେ ଆଇପିଏଲ ପ୍ରାଞ୍ଚାଇଜ କେକେଆର ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହମନଙ୍କୁ ବହିଷ୍କାର କରିବାରୁ ବିବାଦ ଆହୁରି ବଢ଼ିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ କିମ୍ବା ମୁସ୍ତାଫିଜରୁ କେକେଆର କିମ୍ବା ବିସିସିଆଇ ବିରୋଧରେ କୌଣସି ପ୍ରକାରର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। 

ଏସବୁ ଭିତରେ ହଠାତ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାର ଓ ପାକିସ୍ତାନ କଥାରେ ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ମ୍ୟାଚ୍‌ଗୁଡ଼ିକ ଭେନ୍ୟୁ ବଦଳାଇବାକୁ ଅନୁରୋଧ କରିଥିଲା। ବିସିବି ପକ୍ଷରୁ ଆଇସିସିକୁ ଏନେଇ ଅବଗତ କରାଯାଇଥିଲା। ଆଇସିସି ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିବିକୁ ବୁଝାସୁଝା କରିଥିଲା। ବିସିବି ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରୁଥିବାରୁ ଆଇସିସି ଏହାର ସମାଧାନ କରିବ ବୋଲି କହିଥିଲା। 

Advertisment

ଏନେଇ ଆଇସିସି ଓ ବିସିବି ମଧ୍ୟରେ ଏକାଧିକ ବୈଠକ ବସିଥିଲା। ତଥାପି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତରେ ମ୍ୟାଚ୍‌ ନ ଖେଳିବା ଜିଦରେ ଅଟଳ ରହିଥିଲା। ସେହିପରି ଭାରତ ବାହାରକୁ ଅର୍ଥାତ ଶ୍ରୀଲଙ୍କାକୁ ମ୍ୟାଚ୍‌ ସ୍ଥାନାନ୍ତର ପାଇଁ ଦାବି କରିଥିଲା। ପୂର୍ବରୁ ହାଇବ୍ରିଡ ମଡେଲ ଅନୁସାରେ ପାକିସ୍ତାନ କ୍ରିକେଟ ଟିମ ଶ୍ରୀଲଙ୍କାରେ ତା’ର ବିଶ୍ୱକପ ମ୍ୟାଚ୍‌ ଖେଳିବ ବୋଲି ଆଇସିସି ଧାର୍ଯ୍ୟ କରି ସାରିଥିଲା। ସେହି ଅନୁସାରେ ବାଂଲାଦେଶ ମଧ୍ୟ ପାକିସ୍ତାନ ଭଳି ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଥିଲା।

ଆଇସିସି ବିସିବିକୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଏଥିରେ ଭଦ୍ରଲୋକି ସାଜି ଥିଲା ପାକିସ୍ତାନ। ପରାଦ ପଛରେ ରହି ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ବିରୋଧରେ ବାଂଲାଦେଶର ଆଭିମୁଖ୍ୟକୁ ସମର୍ଥନ କରିଥିଲା। ଆଇସିସି ଉପରେ ଚାପ ସୃଷ୍ଟି କରିବାକୁ ପାକିସ୍ତାନ ବିଭିନ୍ନ ବୟାନ ଦେଇଥିଲା। ଏଥିସହ ବାଂଲାଦେଶକୁ ସ୍ଥାନ ପରିବର୍ତ୍ତନ ଜିଦରେ ଅଟଳ ରହିବାକୁ ଉସକାଇଥିଲା। 

ବାଂଲାଦେଶ ମଧ୍ୟ ପାକିସ୍ତାନ କଥାରେ ପଡ଼ି ଆଇସିସିର କୌଣସି କଥା ଶୁଣି ନଥିଲା। ଜାନୁଆରୀ ୨୧ରେ ଅନୁଷ୍ଠିତ ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଭଦ୍ରଲୋକି ବି ସାଜିଥିଲା। ପିସିବି କହିଥିଲା ଯେ ବାଂଲାଦେଶର ଦାବି ଯର୍ଥାର୍ଥ ଓ ଆଇସିସି ଏହାକୁ ଗ୍ରହଣ କରିବା କଥା। ଯଦି ବାଂଲାଦେଶର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାରେ କିଛି ଅସୁବିଧା ରହିଛି, ତା’ହେଲେ ପାକିସ୍ତାନ ସେମାନଙ୍କର ସମସ୍ତ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ହେଲେ ପାକିସ୍ତାନ କଥାକୁ ଆଇସିସି କର୍ଣ୍ଣପାତ କରି ନଥିଲା।

ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ହୋଇଥିବା ଭୋଟିଂରେ ବାଂଲାଦେଶ ସପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୪ ରାଷ୍ଟ୍ର ରହିଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ ଓ ପାକିସ୍ତାନ କ୍ରିକେଟ ବୋର୍ଡ ହିଁ ସପକ୍ଷରେ ୨ଟି ଭୋଟ ଦେଇଥିଲେ। ଭୋଟିଂ ଜରିଆରେ ଆଇସିସି ବିସିବିର ଦାବିକୁ ଖାରଜ କରିବାରୁ ପାକିସ୍ତାନ ନୂଆ ଭେଳିକି ଦେଖାଇଥିଲା। 

ଯଦି ଆଇସିସି ବିସିବିର କଥା ନ ଶୁଣି ଭାରତ ବାହାରକୁ ବାଂଲାଦେଶର ମ୍ୟାଚ୍‌ ସ୍ଥାନାନ୍ତର ନ କରିବ, ତା’ହେଲେ ପାକିସ୍ତାନ ମଧ୍ୟ ଟି-୨୦ ବିଶ୍ୱକପକୁ ବୟକଟ କରିପାରେ। ବାଂଲାଦେଶ ଆଗରେ ଭଦ୍ରଲୋକି ଦେଖାଇବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶ ଗଣମାଧ୍ୟମ ଜରିଆରେ ଢାକା ସପକ୍ଷରେ ଖବର ପ୍ରକାଶ କରିଥିଲା। ଏପରି କି ବାଂଲାଦେଶ ସପକ୍ଷରେ ପାକିସ୍ତାନ ନିଜ ଦେଶର ଖେଳାଳିଙ୍କ ବିଶ୍ୱକପ ପ୍ରସ୍ତୁତି ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲା। 

ଏହାକୁ ଦେଖି ବାଂଲାଦେଶ ବେଶ ଖୁସି ହେବା ସହ ଆଇସିସି ଉପରେ ଭାରତ ବାହାକୁ ନିଜ ମ୍ୟାଚ୍‌ ସ୍ଥାନାନ୍ତର ଦାବିକୁ ଆହୁରି ତୀବ୍ର କରିଥିଲା। ବାଂଲାଦେଶ ଭାବିଥିଲା ଯେ ପାକିସ୍ତାନ ଯେକୌଣସି ସ୍ଥିତିରେ ମଧ୍ୟ ଢାକାର ସାଥ ଦେବ। ଯଦି ଆଇସିସି ନିଜ ଜିଦର ଅଟଳ ରହିବ, ତା’ହେଲେ ବାଂଲାଦେଶ ଓ ପାକିସ୍ତାନ ଉଭୟ ବିଶ୍ୱକପକୁ ବୟକଟ କରି ପୂରା ବିଶ୍ୱରେ ହଇଚଇ ସୃଷ୍ଟି କରିବେ। 

ପାକିସ୍ତାନ ଉପରେ ଅଧିକ ଭରସା ଓ ବିଶ୍ୱାସ ଦେଖାଇ ବାଂଲାଦେଶ ମ୍ୟାଚ ନ ଖେଳିବା ଜିଦରେ ଅଟଳ ରହିଥିଲା। ଭାରତରେ ମ୍ୟାଚ୍‌ ଖେଳିବା ଅସମ୍ଭବ ବୋଲି ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଥିଲା ବାଂଲାଦେଶ। ଏହାପରେ ଆଇସିସି ବାଂଲାଦେଶକୁ ବିଶ୍ୱକପରୁ ବାଦ ଦେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ବୋଲି ପ୍ରକ୍ରିୟା ଆରମ୍ଭ କରିଛି। 
ବାଂଲାଦେଶର ଏପରି ଘୋଷଣା ପରେ ଢାକା ଭାବିଥିଲା ଯେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଠିକ୍ ସମୟରେ ବାଂଲାଦେଶର ହାତ ଛାଡ଼ି ଦେଇଛି। ବାଂଲାଦେଶ ବିଶ୍ୱକପ ଭାରତରେ ଖେଳିବ ନାହିଁ ବୋଲି ଘୋଷଣା କରିବା ପରେ ପାକିସ୍ତାନ ତୁରନ୍ତ ପଲଟି ଯାଇଛି। ବିଶ୍ୱକପ୍‌ରୁ ପାକିସ୍ତାନ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ପିସିବି କହିବା ପରେ ବାଂଲାଦେଶ ହତାଶ ହୋଇଛି। 

ଯଦିଓ ଆଇସିସିର ବାଂଲାଦେଶ ନିଷ୍ପତ୍ତିକୁ ପିସିବି ନିରାଶଜନକ କହିଛି, କିନ୍ତୁ ପାକିସ୍ତାନ ବିଶ୍ୱକପରୁ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି।  ଧାର୍ଯ୍ୟ ସୂଚୀ ଅନୁସାରେ ପାକିସ୍ତାନ ତା’ର ମ୍ୟାଚ୍‌ ଗୁଡ଼ିକ କଲୋମ୍ବୋରେ ଖେଳିବ ବୋଲି ପିସିବି ପକ୍ଷରୁ କୁହାଯାଇଛି। 

ପିସିବି କହିଛି ଯେ ବାଂଲାଦେଶର ନିଷ୍ପତ୍ତିକୁ ପାକିସ୍ତାନ ନୀତିଗତ ଦୃଷ୍ଟିରୁ ସମର୍ଥନ କରିଥିଲା। କାରଣ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତ କଥାରେ ଆଇସିସି ମ୍ୟାଚ୍‌ଗୁଡ଼ିକ ପାକିସ୍ତାନରୁ ଦୁବାଇକୁ ପରିବର୍ତ୍ତନ କରିଥିଲା। କିନ୍ତୁ ବାଂଲାଦେଶର ସମାନ ଦାବିକୁ ଆଇସିସି ଗ୍ରହଣ କରିନାହିଁ। ଏହା ଅତ୍ୟନ୍ତ ନିରାଶାଜନକ। ଏବେ ବି ପିସିବି ବାଂଲାଦେଶକୁ ସମର୍ଥନ କରୁଛି। ହେଲେ ପାକିସ୍ତାନ ବିଭିନ୍ନ ବିକଳ୍ପର ବିଚାର କରୁଛି। କିନ୍ତୁ ବିଶ୍ୱକପରୁ ଓହରିବା ବିକଳ୍ପ ନୁହେଁ।

ଟି-୨୦ ବିଶ୍ୱକପ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବ। ମାର୍ଚ୍ଚ ୮ ଯାଏ ଚାଲିବାକୁ ଥିବା ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରୁଛନ୍ତି। ନଭେମ୍ବର ମାସରେ ଆଇସିସି ଜାରି କରିଥିବା ମ୍ୟାଚ୍‌ ସୂଚୀ ଅନୁସାରେ ବାଂଲାଦେଶ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳିବାକୁ ଧାର୍ଯ୍ୟ ହୋଇଥିଲା।

କିନ୍ତୁ ଭାରତ ସହ ରାଜନୀତିକ ବିବାଦ କାରଣରୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାରଙ୍କ କଥାରେ ପରିଚାଳିତ ହୋଇ ଭାରତକୁ ଟିମ ପଠାଇବ ନାହିଁ ବୋଲି କହିଥିଲା। ଏଥିସହ ଭାରତ ବାହାରକୁ ନିଜର ମ୍ୟାଚ୍‌କୁ ସ୍ଥାନାନ୍ତର କରିବାକୁ କହିଥିଲା। ହେଲେ ଆଇସିସି ଆଜି ବିଧିବଦ୍ଧ ଭାବେ ବାଂଲାଦେଶର ସବୁ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି। 

ବାଂଲାଦେଶ ବିଶ୍ୱକପରୁ ବାଦ ପଡ଼ିଥିବାରୁ ଗ୍ରୁପ ସିରେ ନୂଆଦଳ ଭାବେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯିବ। ଏହି ଗ୍ରୁପରେ ପୂର୍ବରୁ ୱେଷ୍ଟଇଣ୍ଡିଜ, ଇଟାଲୀ, ଇଂଲଣ୍ଡ ଓ ନେପାଳ ରହିଛନ୍ତି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe