ପାକିସ୍ତାନ ଖେଳାଳି
ଟି-୨୦ ବିଶ୍ୱକପ( T20 World Cup)ରେ ‘ଭାରତ ବୟକଟ’ ପ୍ରସଙ୍ଗରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ୟୁ-ଟର୍ଣ୍ଣ ନେବାର ସଙ୍କେତ ଦେଇଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଅନୁରୋଧକ୍ରମେ ପିସିବି ତା’ର ଭାରତ ବିପକ୍ଷ ମ୍ୟାଚ୍ ବୟକଟ ନିଷ୍ପତ୍ତିକୁ ନେଇ ପୁଣି ସରକାରଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି। ଚଳିତ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଫେବୃଆରୀ ୧୫ ତାରିଖରେ ମୁହାଁମୁହିଁ ହେବାର ଅଛି।
ମ୍ୟାଚ୍ଟି କଲମ୍ବୋରେ ଖେଳାଯିବାକୁ ଥିବା ବେଳେ ପାକିସ୍ତାନ ଏହାକୁ ବୟକଟ କରିବ ବୋଲି କହିଛି। ଏଥିପାଇଁ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଉପରେ କଳାବାଦଲ ଘୋଟାଇ ଆସିଛି। ଆଇସିସି ଓ ଏହାର ପ୍ରସାରଣକାରୀ ସଂସ୍ଥା ପାଇଁ ଏହା ସବୁଠାରୁ ବଡ଼ ମ୍ୟାଚ୍ ହୋଇଥିବା ବେଳେ ପାକିସ୍ତାନର ବୟକଟ ନିଷ୍ପତ୍ତି ସମସ୍ତଙ୍କୁ ଅଡ଼ୁଆରେ ପକାଇଛି।
ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପିସିବିକୁ ଗୋଟିଏ ଇ-ମେଲ କରାଯାଇଛି। ଏଥିରେ କୁହାଯାଇଛି ଯେ ଫେବୃଆରୀ ୧୫ରେ ହେବାକୁ ଥିବା ବଡ଼ ମୁକାବିଲା ବାତିଲ ହେଲେ ଏହା ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବଡ଼ ଆର୍ଥିକ କ୍ଷତି ଦେବ। ଏଥିସହ ସଂସ୍ଥାକୁ ଆଘାତ ଦେବ ଓ ଟୁର୍ଣ୍ଣାମେଣ୍ଟର ଛବିକୁ ଖରାପ କରିବ।
ଭାରତ ଓ ଶ୍ରୀଲଙ୍କା ଚଳିତ ବର୍ଷ ଟି-୨୦ ବିଶ୍ୱକପର ଆୟୋଜନ କରୁଛନ୍ତି। ହାଇବ୍ରିଡ ମଡେଲ ଅନୁସାରେ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍ କଲମ୍ବୋରେ ଖେଳିବ। ହେଲେ ଭାରତ ବିପକ୍ଷ ମ୍ୟାଚକୁ ପାକିସ୍ତାନ ବୟକଟ କରିବ ବୋଲି କହିଛି।
ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଇମେଲ ପରେ ପିସିବିର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ନିଶ୍ଚିତ ଭାବେ ଶ୍ରୀଲଙ୍କା ସବୁବେଳେ ପାକିସ୍ତାନର ଗୋଟିଏ ଘନିଷ୍ଠ ସହଯୋଗୀ ରହି ଆସିଛି। ଦୁଇ ଦେଶର ସରକାର ଓ କ୍ରିକେଟ ସ୍ତରରେ ସମ୍ପର୍କ ବେଶ ସୁଦୃଢ଼। ତେଣୁ ବୋର୍ଡ(Srilanka) ପକ୍ଷରୁ ଆସିଥିବା ଇ-ମେଲକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ।
ପିସିବି ଅଧ୍ୟକ୍ଷ ମୋହଶିନ ନକଭୀଙ୍କୁ ଶ୍ରୀଲଙ୍କା ବୋର୍ଡର ସଭାପତି ଶାମ୍ମି ସିଲଭା ସିଧାସଳଖ ଯୋଗାଯୋଗ କରିଥିଲେ। ଶ୍ରୀଲଙ୍କା ଏହି ସମୟରେ ପାକିସ୍ତାନର ଆବଶ୍ୟକ କରୁଛି। ପାକିସ୍ତାନ ଓ ଭାରତ ମ୍ୟାଚ୍ ବିନା ଶ୍ରୀଲଙ୍କା ବୋର୍ଡ ଅତିରିକ୍ତ ରାଜସ୍ୱ ହରାଇବ ବୋଲି ସିଲଭାଙ୍କ ପକ୍ଷରୁ ନକଭୀଙ୍କୁ କୁହାଯାଇଛି।
ଏକଥା ଶୁଶିବା ପରେ ନକଭୀ ସରକାରଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇ ତାଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀଲଙ୍କାର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିବା ରିପୋର୍ଟରେ ସତ୍ୟତା ନାହିଁ।”
ସୂତ୍ରରେ ଆହୁରି କୁହାଯାଇଛି ଯେ ପିସିବି ଅଧ୍ୟକ୍ଷ ନକଭୀ ଶୁକ୍ରବାର ଠାରୁ ଦେଶରେ ନଥିଲେ ଓ ସେ ଆଜି ଆସୁଛନ୍ତି। ଶ୍ରୀଲଙ୍କା ବୋର୍ଡ ପଠାଇଥିବା ଇ-ମେଲ ସମ୍ପର୍କରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ। ଏହାପରେ ସୋମବାର ସୁଦ୍ଧା ପାକିସ୍ତାନ ବିଶ୍ୱକପରେ ଭାରତ ସହ ଖେଳିବ କି ନାହିଁ, ସେବିଷୟରେ ଘୋଷଣା କରାଯିବ।
ଗତବର୍ଷ ନଭେମ୍ବର ମାସରେ ଶ୍ରୀଲଙ୍କା ସରକାର ଦୃଢ଼ ଭାବେ ପାକିସ୍ତାନ ସହ ଛିଡ଼ା ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ କିଛି ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ ଫେରିବାକୁ ଚାହିଁଥିଲେ। କିନ୍ତୁ ଶ୍ରୀଲଙ୍କା ସରକାର ଖେଳାଳିଙ୍କ କଥାରେ ରାଜି ହୋଇ ନଥିଲେ।
ସେମାନଙ୍କୁ ସିରିଜ ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପାକିସ୍ତାନକୁ ବେଶ ଖୁସି କରିଥିଲା। ତେଣୁ ଏବେ ପାକିସ୍ତାନ ସମ୍ଭବତଃ ଭାରତ ବିପକ୍ଷ ମ୍ୟାଚକୁ ଖେଳିବା ପାଇଁ ଶ୍ରୀଲଙ୍କା କଥାରେ ରାଜି ହୋଇପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/07/pakistan-2026-02-07-15-31-20.jpg)