ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ଲଢ଼େଇକୁ ନେଇ କ୍ରିକେଟ ଫ୍ୟାନ୍ସ ଯେତିକି ଉତ୍ସାହିତ ଦୁଇ ଦେଶର ଖେଳାଳି ମଧ୍ୟ ସେତିକି ନର୍ଭସ। ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇ ଆସନ୍ତାକାଲି ଦିନ ୨.୩୦ରୁ ଆରମ୍ଭ ହୋଇଯିବ।
ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ କରୁଛି। କିନ୍ତୁ ଭାରତ ସେଠାକୁ ନ ଯାଇ ତା’ର ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳୁଛି। ପ୍ରଥମଥର ପାଇଁ କୌଣସି ଆୟୋଜକ ଦେଶ ନିଜର ମ୍ୟାଚ୍ ଖେଳିବା ପାଇଁ ଅନ୍ୟତ୍ର ଯାତ୍ରା କରିଛି। ଏହି ଅଲୋଡ଼ା କୀର୍ତ୍ତିମାନ ପାକିସ୍ତାନ ନାଁରେ ଯୋଡ଼ି ହୋଇଯାଇଛି। ସୁରକ୍ଷା କାରଣରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିଥିଲେ। ତେଣୁ ଭାରତ-ପାକିସ୍ତାନ ଲଢ଼େଇକୁ ନିଜ ଦେଶରେ ଉପଭୋଗ କରିବାକୁ ଚାହୁଁଥିବା ପାକ୍ ଫ୍ୟାନ୍ସ ମଧ୍ୟ ରୋହିତ ଆଣ୍ଡ କୋ ଉପରେ ଖପ୍ପା ହୋଇଛନ୍ତି।
ସେମାନେ ଏଥରର ଭାରତ-ପାକିସ୍ତାନ ଲଢ଼େଇକୁ ସମ୍ମାନର ଲଢ଼େଇ ଭାବେ ଚିତ୍ରିତ କରିଛନ୍ତି। ସେହିପରି ଆୟୋଜକ ହିସାବରେ ପାକିସ୍ତାନ ପ୍ରଥମ ମ୍ୟାଚ୍ କରାଚିରେ ଖେଳିଥିଲେ ହେଁ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଥିଲା। ଏବେ ଭାରତ ବିପକ୍ଷ ଲଢ଼େଇ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଭାରତ ଠାରୁ ପାକିସ୍ତାନ ହାରି ଯାଉଛି, ତା’ହେଲେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବିଦାୟ ନେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ପାକିସ୍ତାନ ଖେଳାଳି ଦୁଇ ପଟୁ ଅନେକ ଚାପରେ ରହିଛନ୍ତି।
ଅନ୍ୟପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ବେଶ ସହଜରରେ ୬ ୱିକେଟରେ ହରାଇ ଦେଇଛି। ଦଳ ପାଇଁ ବ୍ୟାଟିଂରେ ଶୁବମନ ଗିଲ ଶତକ ମାରିଥିବା ବେଳେ ବୋଲିଂରେ ମହମ୍ମଦ ଶାମି ୫ ୱିକେଟ ଦଖଲ କରିଥିଲେ। ଭାରତର ଅନ୍ୟ ଖେଳାଳି ମଧ୍ୟ ଠିକ ଠାକ ଫର୍ମରେ ରହିଛନ୍ତି।
ଭାରତୀୟ କ୍ୟାମ୍ପ ଖୁସି ଥିବା ବେଳେ ପାକିସ୍ତାନ ଡଗଆଉଟରେ ଅନେକ ସମସ୍ୟା ରହିଛି। ପ୍ରଥମେ ଆହତ କାରଣରୁ ଦଳର ଓପନର ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବାବର ଆଜମ ଅତ୍ୟନ୍ତ ଧିମା ଖେଳିବା ମଧ୍ୟ ପାକିସ୍ତାନର ଚିନ୍ତା ବଢ଼ାଇଛି। ପାକିସ୍ତାନର ୩ ପ୍ରମୁଖ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ହ୍ୟାରିଶ ରୌଫ ଓ ନଶୀମ ଶାହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରବଳ ରନ ଖର୍ଚ୍ଚ କରିଥିଲେ।
କିନ୍ତୁ ରବିବାର ଭାରତ ବିପକ୍ଷ ମ୍ୟାଚ୍ରେ ସବୁ କିଛି ଶୂନରୁ ହିଁ ଆରମ୍ଭ ହେବ। ପାକିସ୍ତାନ ଏହି ମ୍ୟାଚ୍ରେ କେମିତି ନୂଆ ଆରମ୍ଭ କରିବ, ସେ ଚିନ୍ତାରେ ରହିଛି। ଭାରତକୁ ଚାମ୍ପିୟନ୍ସ ଟ୍ରଫିର ସେମି ଫାଇନାଲ ପାଇଁ ଗୋଟିଏ ବିଜୟ ଦରକାର। ସେହିପରି ପାକିସ୍ତାନ ଟପ୍ ୪ରେ ରହିବା ପାଇଁ ଭାରତ ବିପକ୍ଷ ମ୍ୟାଚ୍ ଜିତିବା ଜରୁରୀ। ହାରିଲେ ଆୟୋଜକ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ।
କ’ଣ କହୁଛି ପରିସଂଖ୍ୟନ?
ଭାରତ-ପାକିସ୍ତାନ ଲଢ଼େଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଦିନିକିଆ ବିଶ୍ୱକପରେ ପାକିସ୍ତାନ ଏଯାଏ ଭାରତ ବିପକ୍ଷରେ ଜିତି ପାରିନାହିଁ। ଭାରତ ୮-୦ରେ ଆଗରେ ରହିଛି। ଟି-୨୦ ବିଶ୍ୱକପରେ ପାକିସ୍ତାନ କେବଳ ଗୋଟିଏ ଥର ୨୦୨୨ରେ ଭାରତ ଠାରୁ ଜିତି ପାରିଛି। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଗଣତି କିଛି ଭିନ୍ନ କଥା କହୁଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ବେଶ ଭାରୀ। ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ଅଧିକ ମ୍ୟାଚ୍ ଜିତିଛି।
ମେନ ଇନ ଗ୍ରୀନ ହେଡ ଟୁ ହେଡ ମୁକାବିଲାରେ ୩-୨ରେ ଆଗରେ ରହିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ମିନି ବିଶ୍ୱକପ ମଧ୍ୟ କୁହାଯାଏ। ୨୦୧୭ ମିନି ବିଶ୍ୱକପ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ପାକିସ୍ତାନ ପ୍ରଥମଥର ପାଇଁ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିବାକୁ ସକ୍ଷମ ହୋଇଥିଲା। ଏବେ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଖେଳା ଯାଉଛି। ଭାରତ ମଧ୍ୟ ୨୦୧୭ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ଚାମ୍ପିୟନ୍ସ ଟ୍ରଫିରେ କିଏ ଜିତିଛି ଅଧିକ ମ୍ୟାଚ୍?
୧- ଚାମ୍ପିୟନ୍ସ ଟ୍ରଫି(୨୦୦୪)-ଇଂଲଣ୍ଡ: ପ୍ରଥମଥର ପାଇଁ ଚାମ୍ପିୟନ୍ସ ଟ୍ରଫି ୨୦୦୪ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ବେଳେ ପାକିସ୍ତାନ ବିଜୟୀ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୩୪ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୦୬ ରନ କରିଥିଲା। କିନ୍ତୁ ରାହୁଲ ଡ୍ରାଭିଡଙ୍କ ୬୭ ଓ ଅଜିତ ଅଗରକରଙ୍କ ୪୭ ରନ ଯୋଗୁ ଭାରତ ୨୦୦ ରନ କରିପାରିଥିଲା। ପାକିସ୍ତାନ ଏହି ଟାର୍ଗେଟକୁ ପିଛା କରୁଥିବା ବେଳେ ଇରଫାନ ପଠାନଙ୍କ ଘାତକ ବୋଲିଂ ଯୋଗୁ ସଙ୍କଟରେ ପଡ଼ିଥିଲା। ପଠାନ ୩ଟି ୱିକେଟ ନେଇଥିଲେ। ହେଲେ ଇଞ୍ଜିମାମ ଉଲ ହକ ୪୧ ଓ ମହମ୍ମଦ ୟୁସୁଫଙ୍କ ଅପରାଜିତ ୮୧ ରନ ବଳରେ ପାକିସ୍ତାନ ୪୯.୨ ଓଭରରେ ୭ ୱିକେଟ ହରାଇ ୨୦୧ ରନ କରି ନେଇଥିଲା।
୨- ଚାମ୍ପିୟନ୍ସ ଟ୍ରଫି(୨୦୦୯)- ଦକ୍ଷିଣ ଆଫ୍ରିକା: ୨୦୦୯ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ସେଞ୍ଚୁରିଅନରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ସୋଏବ ମଲିକ ଦମଦାର ଶତକ ହାସଲ କରିଥିଲେ। ସେ ୧୨୮ ରନ କରିଥିବା ବେଳେ ମହମ୍ମଦ ୟୁସୁଫ ୮୭ ରନର ଇନିଂସ ଖେଳିଥିଲେ। ଫଳରେ ପାକିସ୍ତାନ ବିଶାଳ ୩୦୨ ରନ କରି ନେଇଥିଲା। ୩୦୩ ରନର ପିଛା କରୁଥିବା ଭାରତ ପାଇଁ ରାହୁଲ ଡ୍ରାଭିଡ ଓ ଗୌତମ ଗମ୍ଭୀର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଭାରତ ୫୪ ରନରେ ମ୍ୟାଚ୍କୁ ହାରିଥିଲା।
୩- ଚାମ୍ପିୟନ୍ସ ଟ୍ରଫି (୨୦୧୩)- ଇଂଲଣ୍ଡ: ପୁଣିଥରେ ଚାମ୍ପିୟନ୍ସ ଟ୍ରଫିର ଆଉ ଏକ ସଂସ୍କରଣରେ ଭାରତ ଓ ପାକିସ୍ତାନ ବର୍ମିଂହାମରେ ମୁହାଁମୁହିଁ ହୋଇଥିଲେ। ଏଠାରେ ଭାରତ ୨୦୦୪ ଓ ୨୦୦୯ ପରାଜୟର ପ୍ରତିଶୋଧ ନେଇଥିଲା। ଦମଦାର ବୋଲିଂ ବଳରେ ଭାରତ ପ୍ରଥମେ ପାକିସ୍ତାନକୁ ୩୯.୨ ଓଭରରେ ୧୬୫ ରନରେ ଅଲଆଉଟ କରି ଦେଇଥିଲେ। କିନ୍ତୁ ବର୍ଷା ଭାରତର ବିଜୟ ରାସ୍ତାରେ କଣ୍ଟା ହୋଇଥିଲା। ବର୍ଷା ଛାଡ଼ିବା ପରେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ୨୨ ଓଭରରେ ୧୦୨ ରନର ଟାର୍ଗେଟ ମିଳିଥିଲା। ଶିଖର ଧୱନଙ୍କ ୪୮ ଓ ବିରାଟ କୋହଲିଙ୍କ ୨୨ ରନ ବଳରେ ଭାରତ ମ୍ୟାଚ୍କୁ ଜିତି ନେଇଥିଲା। ୨୦୧୩ରେ ଭାରତ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଇଂଲଣ୍ଡକୁ ହରାଇ ହାସଲ କରିଥିଲା।
୪- ଚାମ୍ପିୟନ୍ସ ଟ୍ରଫି(୨୦୧୭)- ଇଂଲଣ୍ଡ: ୨୦୧୭ ସଂସ୍କରଣର ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତ ବେଶ ସହଜରେ ପାକିସ୍ତାନକୁ ହରାଇ ଦେଇଥିଲା। ରୋହିତ ଶର୍ମାଙ୍କ ୯୧ ଓ ଶିଖର ଧୱନଙ୍କ ୬୮ ରନ ବଳରେ ଭାରତ ପ୍ରଥମ ୱିକେଟ ପାଇଁ ୧୩୬ ରନ ଯୋଡ଼ିଥିଲେ। ଏହାପରେ ବିରାଟ କୋହଲି ୮୧ ଓ ଯୁବରାଜ ସିଂହ ୫୩ ରନର ଇନିଂସ ଖେଳିବାରୁ ଭାରତ ୫୦ ଓଭରରେ ୩ ୱିକେଟ ହରାଇ ବିଶାଳ ୩୧୯ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୩୩.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୬୪ ରନ କରିପାରିଥିଲା।
୫- ଚାମ୍ପିୟନ୍ସ ଟ୍ରଫି(୨୦୧୭)-ମେଗା ଫାଇନାଲ: ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ପାକିସ୍ତାନ ପରବର୍ତ୍ତୀ ଅବସ୍ଥାରେ ଫାଇନାଲକୁ ଯାଇଥିଲା। ଫାଇନାଲରେ ଦଳର ମୁକାବିଲା ଭାରତ ସହ ହୋଇଥିଲା। ଭାରତର ପ୍ରଦର୍ଶନକୁ ଦେଖିଲେ ଲାଗୁଥିଲା ଦଳ ପୁଣି ଚାମ୍ପିୟନ ହେବ। କିନ୍ତୁ ଫଖର ଜମାନ ପୂରା ସ୍ଥିତିକୁ ବଦଳାଇ ଦେଇଥିଲେ। ସେ ୧୧୪ ରନ ଇନିଂସ ଖେଳିଥିବା ବେଳେ ଆଝାର ଅଲୀ ୫୯ ରନ କରିଥିଲେ। ଫଳରେ ପାକିସ୍ତାନ ୫୦ ଓଭରରେ ୪ ୱିକେଟ ହରାଇ ୩୩୮ ରନ କରିଥିଲା।
୩୩୯ ରନର ପିଛା କରୁଥିବା ଭାରତର ଟପ ଅର୍ଡକୁ ମହମ୍ମଦ ଆମୀର ଧ୍ୱଂସ୍ତବିଧ୍ୱସ୍ତ କରି ଦେଇଥିଲେ। ରୋହିତ ଶର୍ମା ଖାତା ଖୋଲି ପାରି ନଥିବା ବେଳେ ଜୀବନ ଦାନ ପାଇବା ସତ୍ତ୍ୱେ ବିରାଟ ୫ ରନ କରି ପାରିଥିଲେ। ସେହିପରି ଶିଖର ଧୱନ ୨୧, ମହେନ୍ଦ୍ର ସିଂହ ଧୋନି ୪ ଓ ମଧ୍ୟକ୍ରମର ବିଫଳତା ଯୋଗୁ ଭାରତ ୭୨ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଏତିକି ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କାଉଣ୍ଟର ଆଟାକ କରି ୪୩ ବଲରେ ୭୬ ରନ କରିଥିଲେ। ଭାରତର ବିଜୟ ଆଶା ମଧ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ୨୭ତମ ଓଭରରେ ସେ ରବୀନ୍ଦ୍ର ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇଯାଇଥିଲେ। ଏହାପରେ ଭାରତ ୩୧ ଓଭରରେ ୧୫୮ ରନ କରି ଅଲଆଉଟ ହୋଇଯାଇଥିଲା। ପାକିସ୍ତାନ ୧୮୦ରେ ମ୍ୟାଚ୍ ଜିତିବା ସହ ୧୯୯୨ ବିଶ୍ୱକପ ପରେ ଦିନିକିଆ ଫର୍ମାଟରେ ଖେଳା ଯାଉଥିବା କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟକୁ ପ୍ରଥମଥର ଜିତିବାର ଗୌରବ ମୁଣ୍ଡାଇ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।