ନିଜ ସ୍ପିନ ଜାଲରେ ନିଜେ କେମିତି ଫସିଗଲା ପାକିସ୍ତାନ? ୩୫ ବର୍ଷ ପରେ ଜିତିଲା ୱେଷ୍ଟଇଣ୍ଡିଜ

ପ୍ରଥମ ଟେଷ୍ଟକୁ ଦଳ ସ୍ପିନ ବଲରେ ୧୨୭ ରନରେ ଜିତି ନେଇଥିଲା। ମ୍ୟାଚ୍‌ ଜିତିବା ପରେ ଉତ୍ସାହିତ ପାକିସ୍ତାନ ମୁଲତାନ ପିଚ୍‌କୁ ଆହୁରି ଅଧିକ ସ୍ପିନିଂ ଟ୍ରାକ କରି ଦେଇଥିଲା।

ୱେଷ୍ଟଇଣ୍ଡିଜ ଟିମ

  • Published: Monday, 27 January 2025
  • , Updated: 27 January 2025, 03:28 PM IST

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସାଂଘାତିକ ସ୍ପିନ ଟ୍ରାକ ପ୍ରସ୍ତୁତ କରିଥିବା ପାକିସ୍ତାନ ନିଜ ଜାଲରେ ଫସି ଯାଇଛି। ଇଣ୍ଡିଜ ଟିମକୁ ହରାଇବା ପାଇଁ ପାକିସ୍ତାନ ଯେଉଁ ଯୋଜନା କରିଥିଲା, ତା’ହା ବୁମେରାଂ ହୋଇଛି। ଶେଷରେ ପାକିସ୍ତାନ ନିଜ ସ୍ପିନ ଜାଲରେ ଫସି ୱେଷ୍ଟଇଣ୍ଡିଜ ଠାରୁ ଦ୍ୱିତୀୟ ଟେଷ୍ଟକୁ ଲଜ୍ଜାଜନକ ଭାବେ ହାରି ଯାଇଛି।

ପ୍ରଥମ ଟେଷ୍ଟକୁ ଦଳ ସ୍ପିନ ବଲରେ ୧୨୭ ରନରେ ଜିତି ନେଇଥିଲା। ମ୍ୟାଚ୍‌ ଜିତିବା ପରେ ଉତ୍ସାହିତ ପାକିସ୍ତାନ ମୁଲତାନ ପିଚ୍‌କୁ ଆହୁରି ଅଧିକ ସ୍ପିନିଂ ଟ୍ରାକ କରି ଦେଇଥିଲା। ହେଲେ ଇଣ୍ଡିଜ ଟିମ ସବୁ ପ୍ରତିକୂଳର ପରିସ୍ଥିତିର ସାମ୍ନା କରି ପାକିସ୍ତାନକୁ ତା’ ମାଟିରେ ମାତ ଦେଇଛି। ଅଢ଼େଇ ଦିନରେ ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ଡ୍ର କରି ନେଇଛି। ସିରିଜ ଜିତିବାକୁ ଲକ୍ଷ୍ୟ ରଖିଥିବା ପାକିସ୍ତାନ ଶେଷରେ ନିଜ ମାଟିରେ ମାଟି କାମୁଡ଼ିଛି।

ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଜ ସ୍ପିନର ଜୋମେଲ ୱାରିକାନ କମାଲ କରିଛନ୍ତି। ସେ ଦ୍ୱିତୀୟ ଇନିଂସରେ ୫ ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ ଦୀର୍ଘ ୩୫ ବର୍ଷ ପରେ ପାକିସ୍ତାନରେ କୌଣସି ଟେଷ୍ଟ ମ୍ୟାଚ୍‌ ଜିତି ପାରିଛି। ୱେଷ୍ଟଇଣ୍ଡିଜ ଶେଷଥର ପାଇଁ ୧୯୯୦ରେ ପାକିସ୍ତାନରେ କୌଣସି ଟେଷ୍ଟ ମ୍ୟାଚ ଜିତିଥିଲା। ଏହି ସମୟରେ ବର୍ତ୍ତମାନ ଇଣ୍ଡିଜ ଟିମରେ ଥିବା କେମା ରୋଚଙ୍କୁ ଛାଡ଼ି ଦେଲେ ଆଉ କୌଣସି ଖେଳାଳି ଜନ୍ମ ମଧ୍ୟ ହୋଇ ନଥିଲେ। କେମା ରୋଚ ୪ ବର୍ଷ ବୟସର ହୋଇଥିବା ବେଳେ ଇଣ୍ଡିଜ ଟିମ ଫୈସଲାବାଦରେ ଟେଷ୍ଟ ମ୍ୟାଚ ଜିତିଥିଲା। ଏବେ ୩୫ ବର୍ଷ ପରେ ଦଳକୁ ପାକିସ୍ତାନ ମାଟିରେ ବିଜୟ ମିଳିଛି।

ୱେଷ୍ଟଇଣ୍ଡିଜ ମୁଲତାନ ଟେଷ୍ଟକୁ ୧୨୦ରେ ଜିତି ୨ଟିକିଆ ସିରିଜକୁ ୧-୧ରେ ଶେଷ କରିଛି। ପାକିସ୍ତାନ ପ୍ରଥମ ଟେଷ୍ଟକୁ ୧୨୭ ରନରେ ଜିତିଥିଲା। ଆଜିର ପରାଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(୨୦୨୩-୨୫) ପଏଣ୍ଟ ଟେବୁଲରେ ପାକିସ୍ତାନ ସବୁଠାରୁ ଶେଷରେ ରହି ନିଜର ଅଭିଯାନ ଶେଷ କରିଛି।

ଶାନ ମସୁଦଙ୍କ ପାକିସ୍ତାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୧୪ଟି ମ୍ୟାଚ୍‌ରୁ ୯ଟି ହାରିଥିବା ବେଳେ କେବଳ ୫ଟିରେ ଜିତି ପାରିଛି। WTC ଫର୍ମାଟ ଆରମ୍ଭ ହେବା ଦିନ ଠାରୁ ପାକିସ୍ତାନ ପ୍ରଥମଥର ପାଇଁ ସବୁଠାରୁ ଶେଷରେ ରହିଛି। ୧୯୯୦ ପରେ ୧୯୯୭ ଓ ୨୦୦୬ରେ ଇଣ୍ଡିଜ ପାକିସ୍ତାନ ଗସ୍ତ କରିଥିଲା। ହେଲେ ଦଳକୁ ଟେଷ୍ଟରେ ବିଜୟ ମିଳି ନଥିଲା।

କେମିତି ଥିଲା ମ୍ୟାଚ୍‌?

ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଜ ଟିମ ପାକିସ୍ତାନକୁ ଦ୍ୱିତୀୟ ଇନିଂସରେ ୧୩୩ ରନରେ ଅଲଆଉଟ କରି ଦେଇଛି। ଏଥିସହ ଦ୍ୱିତୀୟ ଟେଷ୍ଟକୁ ଅଢ଼େଇ ଦିନରେ ଶେଷ କରି ୧୨୦ ରନରେ ବାଜିମାତ କରିଛି। ତୃତୀୟ ଦିନରେ ପାକିସ୍ତାନକୁ ବିଜୟ ପାଇଁ ୧୭୮ ରନର ଦରକାର ଥିବା ବେଳେ ହାତରେ ୬ଟି ୱିକେଟ ରହିଥିଲା। କିନ୍ତୁ ୱାରିକାନଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ୧୨୦ ରନ ପଛରେ ରହି ଯାଇଥିଲା। ୱାରିକାନ ଦ୍ୱିତୀୟ ଇନିଂସରେ ୨୭ ରନ ଦେଇ ୫ ୱିକେଟ ନେଇଛନ୍ତି।

ପାକିସ୍ତାନ ଆଜି ୭୬-୪ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ଓଭରରେ କେଭିନ ସିନକ୍ଲୈୟର(୩-୬୧) ସୌଦ ସକୀଲଙ୍କୁ ସ୍ଲିପ ଅଞ୍ଚଳରେ ଆଉଟ କରିଥିଲେ। ଏହାପରେ ୱାରିକାନ ନାଇଟ ୱାଚମ୍ୟାନ କାଶିଫ ଅଲୀଙ୍କ ୱିକେଟ ନେଇଥିଲେ। ମହମ୍ମଦ ରିଜୱାନ(୨୫) ଓ ସଲମାନ ଅଲୀ ଆଘା୧୫) ୩୯ ରନ ଯୋଡ଼ିଥିଲେ। କିନ୍ତୁ ଉଭୟଙ୍କୁ ବାମହାତୀ ସ୍ପିନର ୱାରିକାନ ଆଉଟ କରି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷରେ ସେ ପାକିସ୍ତାନ ସ୍ପିନର ସାଜିଦ ଖାନଙ୍କୁ ବୋଲ୍ଡ କରି ଇଣ୍ଡିଜ ଟିମକୁ ଐତିହାସିକ ବିଜୟ ଭେଟି ଦେଇଥିଲେ।

ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୬୩ ରନ କରିଥିବା ବେଳେ ପାକିସ୍ତାନ ୧୫୪ ରନ କରିପାରିଥିଲା। ପ୍ରଥମ ଇନିଂସରେ ପାକିସ୍ତାନ ପାଇଁ ସ୍ପିନର ନୋମାନ ଅଲୀ ହ୍ୟାଟ୍ରିକ ସହ ୬ଟି, ସାଜିଦ ଖାନ ୨ଟି, ଅବ୍ରାର ଅହମଦ ଓ କାଶିଫ ଅଲୀ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ୨୪୪ ରନ କରିବାରୁ ପାକିସ୍ତାନକୁ ବିଜୟ ପାଇଁ ୨୫୪ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ପାକିସ୍ତାନ ୧୩୩ ରନ କରିବାକୁ ହିଁ ସକ୍ଷମ ହୋଇଥିଲା।

Related story