icc
ଇସଲାମାବାଦ: ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିବା ପରେ ବିବାଦ ସୃଷ୍ଟି ହୋଇଛି। ଭାରତର ଏପରି ଆଭିମୁଖ୍ୟକୁ ପାକିସ୍ତାନ କଡ଼ା ବିରୋଧ କରିଛି। ଏପରି କି ୨୦୨୩ ଭାରତରେ ହେବାକୁ ଦିନିକିଆ ବିଶ୍ୱକପରୁ ପାକିସ୍ତାନ ଓହରି ଯିବ ବୋଲି ଧମକ ଦେଇଛି।
ପାକିସ୍ତାନ ୨୦୨୩ରେ ହେବାକୁ ଥିବା ଏସିଆ କପର ହୋଷ୍ଟିଂ ଦାୟିତ୍ୱ ପାଇଛି। ଭାରତ ଏସିଆ କପକୁ ଖେଳିବାକୁ ପାକିସ୍ତାନ ଯିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଆଜି ଜୟ ଶାହ ଏସିଆ କପ ଖେଳିବାକୁ ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ ଓ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ଭେନ୍ୟୁରେ କରାଯିବ ବୋଲି କହିଥିଲେ।
ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହଙ୍କ ବୟାନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତରେ ଆୟୋଜିତ ୨୦୨୩ ବିଶ୍ୱକପକୁ ବୟକଟ କରିବା ଉପରେ ବିଚାର ଆରମ୍ଭ କରିଛି। ଯଦି ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ନ ଯିବ, ତା’ହେଲେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ବୋଲି ବୋର୍ଡ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ପିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପିସିବି ଏବେ କଠିନ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି। କାରଣ ଆଇସିସି ଓ ଏସିସି ଇଭେଣ୍ଟ ଗୁଡ଼ିକର ବ୍ୟବସାୟିକ ଦୃଷ୍ଟିକୋଣ ରହିଛି। ପାକିସ୍ତାନ ଯଦି ଭାରତ ସହ ନ ଖେଳିବ, ତା’ହେଲେ ଆଇସିସି ଓ ଏସିସିକୁ ମଲ୍ଟି ନେଶନ ଇଭେଣ୍ଟରେ ମଧ୍ୟ କ୍ଷତି ସହିବାକୁ ପଡ଼ିବ। ଆଇସିସି ଯଦି କ୍ଷତି ସହିବ, ତା’ହେଲେ ଭାରତ ଉପରେ ଚାପ ବଢ଼ିବ। ତେଣୁ ପାକିସ୍ତାନ ସବୁ କଥାକୁ ବିଚାରବିମର୍ଶ କରି ପଦକ୍ଷେପ ଗ୍ରହଣ କରିବ।”
ଭାରତ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ମ୍ୟାଚ୍ ଖେଳୁଛି। ହେଲେ ୨୦୦୮ ଏସିଆ କପ ପରେ ଭାରତ ଆଉ ପାକିସ୍ତାନ ଗସ୍ତରେ ଯାଇନି। ସେହିପରି ପାକିସ୍ତାନ ମଧ୍ୟ ୨୦୧୨ ପରେ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଭାରତ ଆସିନି। ଜୟ ଶାହଙ୍କ ବୟାନ ଉପରେ ଏଯାଏ ପିସିବି ଔପଚାରିକ ବୟାନ ଜାରି କରିନି। କିନ୍ତୁ ପାକ ଗଣମାଧ୍ୟମକୁ ପିସିବିର ଜଣେ ମୁଖପାତ୍ର କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମେ କିଛି କହିବାକୁ ଚାହୁଁନୁ। କିନ୍ତୁ ଆମେ ଠିକଣା ସମୟରେ ଉପଯୁକ୍ତ ଫୋରମରେ ଏହି ପ୍ରସଙ୍ଗ ଉଠାଇବୁ। ଆସନ୍ତା ମାସରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆଇସିସି ବୋର୍ଡ ମିଟିଂ ବସିବ। ଏହି ସମୟରେ ଆମେ ଆମ ପକ୍ଷ ରଖିବୁ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।
ତେବେ ଜୟ ଶାହଙ୍କ ଘୋଷଣା ପରେ ପିସିବି ଅଧ୍ୟକ୍ଷ ରମିଜ ରାଜା ଓ ଅନ୍ୟ ପଦାଧିକାରୀମାନେ ବେଶ ଚିନ୍ତିତ ରହିଛନ୍ତି। ସେମାନେ ମଧ୍ୟ ବଡ଼ ନିଷ୍ପତ୍ତି ନେବା ସପକ୍ଷରେ ବିଚାର କରୁଛନ୍ତି। ପିସିବି ସୂତ୍ର ଅନୁସାରେ, ରମିଜ ରାଜ ଏହି ପ୍ରସଙ୍ଗରେ ଏସିଆନ କ୍ରିକେଟ କାଉନସିଲକୁ ଗୋଟିଏ ଚିଠି ଲେଖିବେ। ଏଥିସହ ଏସିସି ବୋର୍ଡର ଜରୁରୀ ବୈଠକ ଡାକିବା ପାଇଁ ଅନୁରୋଧ କରିବେ।
ଯଦି ଦରକାର ପଡ଼ିବ ପାକିସ୍ତାନ ଏସିସି ସଦସ୍ୟତା ପଦରୁ ମଧ୍ୟ ଓହରି ଯିବ ବୋଲି ଏହି ସୂତ୍ରରେ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏସିସିର ସଭାପତି ହେଉଛନ୍ତି ଜୟ ଶାହ। ସେ ନିଜେ ଏପରି ବୟାନ ଦେଇଥିବାରୁ ପିସିସି ବେଶୀ କ୍ଷୁବ୍ଧ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/icc-2.jpg)