Pakistan
ବୟକଟ ଭାରତ-ପାକିସ୍ତାନ ମ୍ୟାଚ୍। ରକ୍ତ ଓ କ୍ରିକେଟ ମ୍ୟାଚ୍ ଏକାଟି ଚାଲି ପାରିବ ନାହିଁ। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଏପରି ନାରା ବେଶ କିଛି ଦିନ ହେବ ଦିଆଯାଉଥିଲା। ଏସବୁ ଭିତରେ ରବିବାର ଭାରତ ଓ ପାକିସ୍ତାନ ମ୍ୟାଚ୍ ଦୁବାଇରେ ଶେଷ ହୋଇଛି। କୌଣସି ଅପ୍ରତ୍ୟାଶିତ ଘଟଣା ଘଟି ନାହିଁ ଓ ଭାରତ ବେଶ ଏକତରଫା ଭାବେ ଦୁର୍ବଳ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି।
ପାକିସ୍ତାନ ଦେଇଥିବା ୧୨୮ ରନର ଟାର୍ଗେଟକୁ ବାର୍ଥ ଡେ ବୟ ତଥା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଛକା ମାରି ୨୫ ବଲ ପୂର୍ବରୁ ଶେଷ କରିଛନ୍ତି। ଭାରତ ଜିତିବ ବୋଲି ଯେଉଁ ଆଶା ଥିଲା, ତାହା ୨୫ ବଲ ପୂର୍ବରୁ ପୂରଣ ହୋଇଛି। ତେବେ ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ପରେ ଘଟିଥିବା ଘଟଣା ଏବେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ତୀବ୍ର କରିଛି।
ବୟକଟ ନାରା ଭିତରେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ସହ ମ୍ୟାଚ୍ ଖେଳିଥିଲା ସତ, କିନ୍ତୁ ଟସ୍ ବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ତାଙ୍କ ପାକିସ୍ତାନ ପ୍ରତିପକ୍ଷ ସଲମାନ ଅଲୀ ଆଘାଙ୍କ ସହ ହାତ ମିଳାଇ ନଥିଲେ। ସେହିପରି ମ୍ୟାଚ୍ ବେଳେ ଦୁଇ ଦଳର କ୍ରିକେଟରଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା କିମ୍ବା ଥଟ୍ଟାମଜା ଦେଖିବାକୁ ମିଳି ନଥିଲା। ସବୁଠାରୁ ବଡ଼ ଘଟଣା ମ୍ୟାଚ୍ ଶେଷ ହେବା ପରେ ଘଟିଥିଲା।
ପରମ୍ପରା ଅନୁସାରେ ମ୍ୟାଚ୍ ପରେ ଦୁଇ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ ପରସ୍ପର ସହ ହାତ ମିଳାଇଥାଆନ୍ତି। କିନ୍ତୁ ରବିବାର ସେମିତି କିଛି ବି ଘଟଣା ଘଟିନାହିଁ। ମ୍ୟାଚ୍ ପରେ ପାକିସ୍ତାନ ଖେଳାଳିମାନେ ହାତ ମିଳାଇବାକୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। କିନ୍ତୁ ଭାରତୀୟ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ କେହି ବି ହାତ ମିଳାଇବାକୁ ଆସି ନଥିଲେ। ବରଂ ସେମାନେ ଡ୍ରେସିଂ ରୁମରେ ପଶି ଯାଇଥିଲେ। ଏହାକୁ ଦେଖି ପାକିସ୍ତାନ ଖେଳାଳି ଭକୁଆ ହେବା ସହ ନିଜ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ।
ଏହାବାଦ ପହଲଗାମ ନରସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଭାରତୀୟ କ୍ରିକେଟ ଟିମ ଏହି ବିଜୟକୁ ଉତ୍ସର୍ଗ କରୁଥିବା ପୋଷ୍ଟ ମ୍ୟାଚ ପ୍ରେଜେନଟେସନରେ ଅଧିନାୟକ ସୂର୍ଯ୍ୟ କୁମାର କହିଛନ୍ତି। ସେହିପରି ଭାରତୀୟ ସେନା ଅପରେସନ ସିନ୍ଦୂର ବେଳେ ଦେଖାଇଥିବା ପରାକ୍ରମକୁ ମଧ୍ୟ ଭାରତୀୟ କ୍ରିକେଟ ଟିମ ସଲାମ କରିଛି। ଏସବୁ ଘଟଣା ପାକିସ୍ତାନକୁ ବେଶ ବାଧିଛି। ଖାସ ଏଥିପାଇଁ ମ୍ୟାଚ୍ ପରେ ମଧ୍ୟ ପାକିସ୍ତାନ ଅଧିନାୟକ ପୁରସ୍କାର ବିତରଣ ଉତ୍ସବକୁ ଆସି ନଥିଲେ। ସେ ଏହାକୁ ବୟକଟ କରିଛନ୍ତି।
ମ୍ୟାଚ୍ ଶେଷରେ ଭାରତୀୟ ଖେଳାଳି ହାତ ନ ମିଳାଇବା ଘଟଣା ପାକିସ୍ତାନକୁ ଏତେ ଆଘାତ ଦେଇଛି ଯେ ଏଥିପାଇଁ ଦଳ ପକ୍ଷରୁ ଭାରତୀୟ କ୍ରିକେଟ ଟିମ ବିରୋଧରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରାଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ଏଥିପାଇଁ ବୋର୍ଡ ପକ୍ଷରୁ ଏସିଆନ କ୍ରିକେଟ କାଉନସିଲ ନିକଟରେ ଅଭିଯୋଗ କରାଯାଇଛି।
ଭାରତୀୟ କ୍ରିକେଟ ଟିମ ଖେଳାଳିମାନେ ମ୍ୟାଚ୍ ଆରମ୍ଭରୁ କିମ୍ବା ମ୍ୟାଚ୍ ପରେ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହୋଇଥିବା ପ୍ରେସ କନଫରେନ୍ସ ବେଳେ ମଧ୍ୟ ସୂର୍ଯ୍ୟ କୁମାର ଓ ସଲମାନ ଆଘା ହାତ ମିଳାଇ ନଥିଲେ। ପାକିସ୍ତାନ ପକ୍ଷରୁ ହାତ ମିଳାଇବାକୁ ଚେଷ୍ଟା କରାଯାଉ ଥିଲେ ହେଁ ଭାରତୀୟ ଖେଳାଳି ଏହାକୁ ଖାତିର କରି ନଥିଲେ।
ଏଥିରେ ହତାଶ ହୋଇ ସଲମାନ ପୁରସ୍କାର ବିତରଣ ଉତ୍ସବକୁ ଆସି ନଥିଲେ। ଏବେ ଖବର ମିଳିଛି ଯେ ପାକିସ୍ତାନ କ୍ରିକେଟ ଟିମ ଓ ବୋର୍ଡ ମ୍ୟାଚ୍ ରେଫରୀ ଆଣ୍ଡୀ ପ୍ୟାକ୍ରଫ୍ଟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଦାଖଲ କରିଛି। ଟସ୍ ବେଳେ ସେ ସୂର୍ଯ୍ୟ କୁମାର ଯାଦବଙ୍କ ସହ ହାତ ନ ମିଳାଇବାକୁ ସଲମାନ ଆଘାଙ୍କୁ ପରାମର୍ଶ ଦେଇଥିଲେ ବୋଲି ପାକିସ୍ତାନ ଅଭିଯୋଗ କରିଛି।
ପିସିବି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ମ୍ୟାଚ୍ ରେଫରୀ ଆଣ୍ଡୀ ପ୍ୟାକ୍ରଫ୍ଟ ଟସ ବେଳେ କ୍ୟାପ୍ଟେନ ସଲମାନ ଅଲୀ ଆଘାଙ୍କୁ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ହାତ ନ ମିଳାଇବାକୁ କହିଥିଲେ। ଏନେଇ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ଗୋଟିଏ ଅଭିଯୋଗ ଦାଖଲ କରି ଏହାକୁ କ୍ରୀଡ଼ା ମନୋଭାବର ବିରୋଧାଚରଣ ବୋଲି କହିଛି। ଏପରି ବ୍ୟବହାରକୁ ବିରୋଧ କରି ସଲମାନ ଆଘା ପୁରସ୍କାର ବିତରଣ ଉତ୍ସବକୁ ବୟକଟ କରିଛନ୍ତି। କାରଣ ଉକ୍ତ ପୁରସ୍କାର ବିତରଣ ଉତ୍ସବକୁ ଜଣେ ଭାରତୀୟ ହିଁ ପରିଚାଳନା କରୁଥିଲେ।”
ପାକିସ୍ତାନର କହିବା କଥା ଯେ ଭାରତୀୟ କ୍ରିକେଟ ଟିମ ଆଇସିସି ପକ୍ଷରୁ କ୍ରୀଡ଼ା ମନୋଭାବକୁ ନେଇ ପ୍ରଣୟନ କରାଯାଇଥିବା ନିୟମର ଉଲ୍ଲଙ୍ଘନ। ମ୍ୟାଚ୍ ପରେ ସବୁ ଟିମ ନିଜର ପ୍ରତିପକ୍ଷଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇବା କଥରା। ଏକଥା ଆଇସିସିର ଧାରା ୨ରେ ପ୍ରଣୟନ କରାଯାଇଛି।
ପାକିସ୍ତାନ ଏତେ କଥା କହିଥିଲେ ହେଁ ଏଯାଏ ବିସିସିଆଇ କିମ୍ବା ଭାରତୀୟ କ୍ରିକେଟ ଟିମ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1757917741.jpg)