Advertisment

ପାକିସ୍ତାନର ବିଶ୍ୱକପ ସ୍କ୍ୱାଡରୁ ନଶୀମ ଶାହ ଆଉଟ, ଫେରିଲେ ହାସନ ଅଲୀ

ଏସିଆ କପ ବେଳେ ନଶୀମ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଭାରତରେ ହେବାକୁ ଥିବା ବିଶ୍ୱକପରୁ ବାଦ ପଡ଼ିଛନ୍ତି।

author-image
Hemant Lenka
Hasan ali

Hasan ali

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଏଥିରେ ଯୁବ ଦ୍ରୁତ ବୋଲର ନଶୀମ ଶାହ ନାହାନ୍ତି।

Advertisment

ଏସିଆ କପ ବେଳେ ନଶୀମ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ସେ ଭାରତରେ ହେବାକୁ ଥିବା ବିଶ୍ୱକପରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଅଭିଜ୍ଞ ମିଡିୟମ ପେସର ହାସନ ଅଲୀ କମବ୍ୟାକ କରିଛନ୍ତି। ସେ ଦୀର୍ଘ ଦିନ ହେବା ପାକିସ୍ତାନର ଜାତୀୟ ଟିମରୁ ବାହାରେ ରହିଥିଲେ। 

ଏସିଆ କପରେ ଭାରତ ବିପକ୍ଷ ମ୍ୟାଚ୍‌ ବେଳେ ନଶୀମ ଆହତ ହୋଇଥିଲେ। ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ତେଣୁ ଏହାର ସର୍ଜରୀ ହେବ। ସେ ଫିଟ ହେବାକୁ ୩ରୁ ୪ ମାସ ସମୟ ଲାଗିପାରେ।

Advertisment

ପାକିସ୍ତାନ ବିଶ୍ୱକପ ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଥିବା ବେଳେ ୩ ଜଣଙ୍କୁ ଷ୍ଟାଣ୍ଡବାଇରେ ରଖିଛି। ସେମାନେ ହେଲେ ୱିକେଟ କିପର ବ୍ୟାଟର ମହମ୍ମଦ ହାରିସ, ସ୍ପିନର ଆବରାର ଅହମଦ ଓ ପେସ ବୋଲର ଜମାନ ଖାନ। ଏମାନେ ପାକିସ୍ତାନ ଟିମ ସହ ଭାରତ ଗସ୍ତରେ ମଧ୍ୟ ଆସିବେ। ଯଦି ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ କେହି ଆହତ ହୁଅନ୍ତି, ତା’ହେଲେ ଏମାନଙ୍କୁ ପାକିସ୍ତାନ ସ୍କ୍ୱାଡରେ ସାମିଲ କରାଯିବ।

ଅନ୍ୟପକ୍ଷରେ ଏସିଆ କପରେ ଅନ୍ୟତମ ଦ୍ରୁତ ବୋଲର ହାରିସ ରୌଫ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେ ଫିଟ ହେବା ସହ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ବୋଲିଂ ଆରମ୍ଭ କରିଛନ୍ତି। ତେଣୁ ତାଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି।

ପାକିସ୍ତାନ ୨୦୧୬ ପରେ ବିଶ୍ୱକପ ଖେଳିବାକୁ ଭାରତ ଆସୁଛି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଦଳ ଏଠାରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବ। ପ୍ରଥମେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେପ୍ଟେମ୍ବର ୨୯ରେ ଅଭ୍ୟାସ ମ୍ୟାଚ ହେବ। ଏହାପରେ ଅକ୍ଟୋବର ୩ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ସେହିପରି ପାକିସ୍ତାନ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୬ରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରୁ ଆରମ୍ଭ କରିବ।

ପାକିସ୍ତାନର ବିଶ୍ୱକପ ସ୍କ୍ୱାଡ: ବାବର ଆଜମ(ଅଧିନାୟକ), ଶଦାବ ଖାନ(ଉପ ଅଧିନାୟକ), ମହମ୍ମଦ ରିଜୱାନ, ଇମାମ ଉଲ ହକ, ଅବଦୁଲ୍ଲା ଶଫିକ୍ୟୁ, ସୌଦ ଶକୀଲ, ଫଖର ଜମାନ, ହାରିସ ରୌଫ, ହାସନ ଅଲୀ, ଇଫତକାର ଅହମଦ, ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ଆଘା ସଲମାନ, ଶାହୀନ ଶାହ ଆଫ୍ରିଦି ଓ ଓସମାନ ମୀର।

ଷ୍ଟାଣ୍ଡବାଇ: ମହମ୍ମଦ ହାରିସ, ଅବରାର ଅହମଦ ଓ ଜମାନ ଖାନ।

Pakistan Cricket ICC Men’s Cricket World Cup 2023 ICC World Cup 2023