Advertisment

ପାକିସ୍ତାନ ବୋଲରଙ୍କ ଧୂଲେଇ କଲେ ଶ୍ରୀଲଙ୍କା ବ୍ୟାଟର୍‌, କୁଶଲ ଓ ସଦୀରାଙ୍କ ଶତକ

ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ ୭୭ ବଲରେ ବିସ୍ଫୋରକ ୧୨୨ ରନ କରିଥିବା ବେଳେ ସଦୀରା ସମରାବିକ୍ରମା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକୀୟ(୧୦୮ ରନ) ଇନିଂସ ଖେଳିଛନ୍ତି।

author-image
Hemant Lenka
WC

WC

ହାଇଦ୍ରାବାଦରେ ପାକିସ୍ତାନ ବୋଲରଙ୍କୁ ପ୍ରବଳ ଧୂଲେଇ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର। ବିଶ୍ୱକପର ଏହି ମୁକାବିଲାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୪୪ ରନ କରିଛି। ଫଳରେ ପାକିସ୍ତାନକୁ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୩୪୫ ରନର ଟାର୍ଗେଟ ମିଳିଛି।

Advertisment

ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ ୭୭ ବଲରେ ବିସ୍ଫୋରକ ୧୨୨ ରନ କରିଥିବା ବେଳେ ସଦୀରା ସମରାବିକ୍ରମା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକୀୟ(୧୦୮ ରନ) ଇନିଂସ ଖେଳିଛନ୍ତି।

ହାଇଦ୍ରାବାଦରେ ଖେଳା ଯାଉଥିବା ବିଶ୍ୱକପର ୮ମ ମ୍ୟାଚ୍‌ରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ହାସନ ଅଲୀ ଦ୍ୱିତୀୟ ଓଭର୍‌ରେ କୁଶଲ ପେରେରା(୦)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। କିନ୍ତୁ ଦ୍ୱିତୀୟ ୱିକେଟ ପାଇଁ ପଥୁମ ନିଶାଙ୍କା ଓ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ।

Advertisment

ବିଶେଷ କରି ମେଣ୍ତିସଙ୍କ ବ୍ୟାଟରକୁ ବଡ଼ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା। ଶାହିନୀ ଶାହ ଆଫ୍ରିଦିଙ୍କ ଠାରୁ ଆରମ୍ଭ କରି ହାରିସ ରୌଫଙ୍କ ଯାଏ କେହି ତାଙ୍କୁ ଅଟକା ପାରି ନଥିଲେ। ନିଶାଙ୍କା ମଧ୍ୟ ଦମଦାର ବ୍ୟାଟିଂ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୦୭ ରନ ଥିବା ବେଳେ ବ୍ୟକ୍ତିଗତ ୫୧ ରନ କରି ନିଶାଙ୍କା ଲେଗ ସ୍ପିନର ଶଦାବ ଖାନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାର ପ୍ରଭାବ କିନ୍ତୁ ମେଣ୍ଡିସ ଓ ସଦୀରାଙ୍କ ଉପରେ ପଡ଼ି ନଥିଲା। ମେଣ୍ଡିସ ଶତକ ହାସଲ କରିବା ସହ ତୃତୀୟ ୱିକେଟ ପାଇଁ ସଦୀରାଙ୍କ ସହ ମିଶି ଦଳର ସ୍କୋରକୁ ୧୦୭ ରନରୁ ୨୧୮ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ହାସନ ଅଲୀ ୧୨୨ ରନ କରିଥିବା ମେଣ୍ତିସଙ୍କୁ ଆଉଟ କରିଥିଲେ।

ଚରିଥା ଅସଲଙ୍କା(୧) ଅଲୀଙ୍କ ତୃତୀୟ ଶିକାର ବନିଥିଲେ। ଲଗାତର ଦୁଇଟି ୱିକେଟ ହରାଇବାରୁ ଶ୍ରୀଲଙ୍କାର ରନ ସଂଗ୍ରହ ହାର ସାମାନ୍ୟ ହ୍ରାସ ପାଇଥିଲା। ସଦୀରା ଓ ଧନଞ୍ଜୟ ଡି’ସଲଭା ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିଛି ସମୟ ସ୍ଥିତି ସମ୍ଭାଳିବା ପରେ ସଦୀରା କାଉଣ୍ଟର ଆଟାକ ଆରମ୍ଭ କରିଥିଲେ।

ଧନଞ୍ଜୟ ମଧ୍ୟ ତାଙ୍କୁ ସାଥ ଦେଇଥିଲେ। ଦଳୀୟ ସ୍କୋର ୨୯୪ ହୋଇଥିବା ବେଳେ ଧନଞ୍ଜୟ ୨୫ ରନ କରି ମହମ୍ମଦ ନୱାଜଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ସଦୀରା ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। କିନ୍ତୁ ସେ ୧୦୮ ରନ କରିଥିବା ବେଳେ ହାସନ ଅଲୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ପୂର୍ବରୁ ଅଧିନାୟକ ଶଣକା(୧୨)ଙ୍କୁ ଆଫ୍ରିଦି ଆଉଟ କରି ଦେଇଥିଲେ। ସଦୀରା ଆଉଟ ହେବା ବେଳକୁ ଦଳୀୟ ସ୍କୋର ୩୩୫ ରହିଥିଲେ।

ଶେଷ ଭାଗରେ ଦୁନିଥ ୱାଲେଲାଗେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ସେ ୮ ବଲରେ ୧୦ ରନ କରିଥିଲେ ହେଁ ଶେଷ ଓଭରର ଶେଷ ବଲରେ ଆଉଟ ହୋଇ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହୀଶ ତିକସାନା(୦) ଓ ମଥିସା ପଥିରାଣା ଅପରାଜିତ ୧ ରନ କରିଛନ୍ତି। ଏହି ସବୁ ରନକୁ ମିଶାଇ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୪୪ ରନ କରିଛି।

ICC ICC Men’s Cricket World Cup 2023 ICC World Cup 2023