/odisha-reporter/media/post_attachments/uploads/2021/10/virat-and-babar.jpg)
virat-and-babar
ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ ଆଜି ଦୁବାଇରେ ଖେଳାଯାଉଛି। ଏହି ମହାମୁକାବିଲାରେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବ।
ସୁପର୍ ସଣ୍ଡେର ଏହି ହାଇ ପ୍ରେସର ମୁକାବିଲା ପାଇଁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଉକ୍ତ ମ୍ୟାଚ୍ ପୂର୍ବ ଦିନ ଅର୍ଥାତ୍ ଶନିବାର ପାକିସ୍ତାନ ତା’ର ଦ୍ୱାଦଶ ଦଳ ଘୋଷଣା କରିଥିଲା। ତେବେ ଭାରତ ଟସ୍ ପୂର୍ବରୁ ଏକାଦଶ ଘୋଷଣା କରିଛି। ଭାରତ ସ୍କ୍ୱାଡରୁ ଈଶାନ୍ କିଶନ, ରବିଚନ୍ଦ୍ରନ୍ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର ଓ ରାହୁଲ୍ ଚହର୍ ବାଦ୍ ପଡ଼ିଛନ୍ତି।
ସୂଚନାଯୋଗ୍ୟ, ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଶତପ୍ରତିଶତ ରହିଛି। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ଥର ପାକିସ୍ତାନକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ । ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀକୁ ଦିନିକିଆ ବିଶ୍ୱକପରେ ୭ଥର ଓ ଟି-୨୦ ବିଶ୍ୱକପରେ ୫ଥର ହରାଇଛି ।
ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଶେଷଥର ଲାଗି ୨୦୧୬ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା। ତେବେ ଆସନ୍ତୁ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୁଡ଼ିକ ଉପରେ ନଜର ପକାଇବା।
ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି।
ପାକିସ୍ତାନ: ବାବର ଆଜମ (କ୍ୟାପଟେନ୍), ମହମ୍ମଦ ରିଜୱାନ୍ (ୱିକେଟ୍ କିପର), ଫକର ଜମାନ, ମହମ୍ମଦ ହଫିଜ୍, ଶୋଏବ ମଲ୍ଲିକ୍, ଆସିଫ୍ ଅଲୀ, ଶଦାବ ଖାନ୍, ଇମାଦ ୱାସିମ୍, ହାସନ୍ ଅଲୀ, ହାରିସ୍ ରୌଫ, ଶାହୀନ ଆଫ୍ରିଦି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
