ପାକିସ୍ତାନ ଖେଳାଳି
ଚଳିତ ଟି-୨୦ ବିଶ୍ୱକପ(T20 World Cup) ବେଳେ ପାକିସ୍ତାନର ଜଣେ ଖେଳାଳିଙ୍କ ଲଜ୍ଜାଜନକ କାରନାମା ସାମ୍ନାକୁ ଆସିଛି। ବିଶ୍ୱକପ ଟିମରେ ଥିବା ଜଣେ ପାକିସ୍ତାନ ଖେଳାଳି ସେ ରହୁଥିବା ହୋଟେଲର ମହିଳା କର୍ମଚାରୀଙ୍କ ସହ କରିଥିଲେ ଦୁର୍ବ୍ୟବହାର। ଏହାକୁ ହୋଟେଲ କର୍ମଚାରୀ ଗୁରୁତ୍ୱର ସହ ନେବା ସହ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପାକିସ୍ତାନ କ୍ରିକେଟ ଟିମର ମ୍ୟାନେଜର ଅଭିଯୁକ୍ତ ଖେଳାଳିଙ୍କ ବ୍ୟବହାର ପାଇଁ ହୋଟେଲକୁ କ୍ଷମା ମାଗିବାରୁ ମାମଲା ଶାନ୍ତ ପଡ଼ିଥିଲା। ତଥାପି ଦୁର୍ବ୍ୟବହାର କରିଥିବା ଖେଳାଳିଙ୍କ ଉପରେ ଜୋରିମାନା ଲାଗୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଶ୍ରୀଲଙ୍କାର କ୍ୟାଣ୍ଡୀ ସ୍ଥିତ ହୋଟେଲରେ ପାକିସ୍ତାନର ଖେଳାଳିମାନେ ବିଶ୍ୱକପର ସୁପର ୮ ମ୍ୟାଚ ପାଇଁ ରହିବା ବେଳେ ପୂରା ଘଟଣା ଘଟିଥିଲା। ବିଶ୍ୱକପର ସହ ଆୟୋଜକ ଶ୍ରୀଲଙ୍କା ବିପକ୍ଷ ଶେଷ ସୁପର ୮ ମ୍ୟାଚ୍ ପୂର୍ବରୁ ଘଟିଥିବା ଏହି ଘଟଣା ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ଟିମ ଭିତରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା ବିପକ୍ଷ ପାକିସ୍ତାନର ଶେଷ ସୁପର ୮ ମ୍ୟାଚ୍ ପୂର୍ବରୁ ବିଶ୍ୱକପ ସ୍କ୍ୱାଡରେ ଥିବା ଜଣେ ପାକ ଖେଳାଳି ସେମାନେ ରହୁଥିବା ହୋଟେଲର ଜଣେ ମହିଳା ହାଉସକିପିଂ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିଥିଲେ। ପାକିସ୍ତାନ ଖେଳାଳି ଜଣଙ୍କ ଦୁର୍ବ୍ୟବହାରର ସୀମା ଟପିବାରୁ ମହିଳା କର୍ମଚାରୀ ଜଣଙ୍କ ଚିତ୍କାର କରି ସାହାଯ୍ୟ ମାଗିଥିଲେ।
ତାଙ୍କ ଚିତ୍କାର ଶୁଣି ହୋଟେଲର ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିବା ସହ ନିଜ ସହଯୋଗୀଙ୍କୁ ପାକିସ୍ତାନୀ ଖେଳାଳିଙ୍କ କବଳରୁ ରକ୍ଷା କରିଥିଲେ। ଏଥିସହ ପାକିସ୍ତାନ ଟିମ ମ୍ୟାନେଜର ନଭୈଦ ଚିମାଙ୍କୁ ଏନେଇ ଅବଗତ କରାଇଥିଲେ।
ଗୋଲ୍ଡେନ କ୍ରାଉନ ହୋଟେଲର ବରିଷ୍ଠ ସଦସ୍ୟମାନେ ବେଶ ଦୃଢ଼ ଭାବେ ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ହେଲେ ଚିମା ପାକିସ୍ତାନ ଖେଳାଳିଙ୍କ ବ୍ୟବହାର ପାଇଁ ସମସ୍ତଙ୍କୁ କ୍ଷମା ମାଗିଥିଲେ। ସେହିପରି ଦୁର୍ବ୍ୟବହାର ପାଇଁ ଉକ୍ତ ଖେଳାଳିଙ୍କ ଉପରେ ଜୋରିମାନା ଲଗାଇବାରୁ ମାମଲା ଶାନ୍ତ ପଡ଼ିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏତେ ସବୁ ବିବାଦ ପରେ ପାକିସ୍ତାନ ନିଜର ଶେଷ ସୁପର ୮ ମ୍ୟାଚ୍କୁ ୫ ରନରେ ଜିତିଥିଲା। ତଥାପି ପାକିସ୍ତାନ ବିଶ୍ୱକପରୁ ବିଦା ନେଇ ସ୍ୱଦେଶ ଫେରିଛି। ଅଭିଯୁକ୍ତ ଖେଳାଳିଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିମା ଜୋରିମାନା ଲାଗୁ କରିଥିଲେ ହେଁ ତାଙ୍କୁ ପିସିବିର ଶୃଙ୍ଖଳାଗତ କମିଟି ନିକଟରେ ହାଜର ହେବାକୁ ପଡ଼ିବ। ଏଥିସହ କମିଟି ମଧ୍ୟ ତାଙ୍କୁ ଦଣ୍ଡିତ କରିବାର ଆଶଙ୍କା ରହିଛି।
ଏପରି ଲଜ୍ଜାଜନ ଘଟଣା ପାକିସ୍ତାନର ପରାଜୟ କଷ୍ଟକୁ ଆହୁରି ଦୁଇ ଗୁଣିତ କରିଛି। ଏହାପୂର୍ବରୁ ଗତବର୍ଷ ପାକିସ୍ତାନର ଯୁବ ବ୍ୟାଟର ହାଇଦର ଅଲୀଙ୍କୁ ଦୁଷ୍କର୍ମ ମାମଲାରେ ମାଞ୍ଚେଷ୍ଟର ପୁଲିସ୍ ଗିରଫ କରିଥିଲା। ପାକିସ୍ତାନ ଶାହୀନ୍ସର ଇଂଲଣ୍ଡ ଗସ୍ତ ସମୟରେ ଏହି ଘଟଣା ଘଟିଥିଲା। ମାଞ୍ଚେଷ୍ଟର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ ହେଁ ପ୍ରମାଣ ଅଭାବରୁ ସେ ଖଲାସ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/05/pakistan-2026-03-05-16-04-43.jpg)