/odisha-reporter/media/media_files/2026/02/09/naqvi-2026-02-09-15-40-17.jpg)
ନକଭୀ, ବିଶ୍ୱକପ ଓ ଜୟ ଶାହ
ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ ରହିଛି। ନିଜର ବୟକଟ ନିଷ୍ପତ୍ତିର ବିଚାର କରିବା ଓ ସରକାରଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଥିବା ପାକିସ୍ତାନ ଆଇସିସି ଆଗରେ ୩ଟି ସର୍ତ୍ତ ରଖିଛି।
ଯଦି ଆଇସିସି ୩ ସର୍ତ୍ତରେ ରାଜି ହେବ, ତା’ହେଲେ ଆସନ୍ତା ୧୫ ତାରିଖରେ ପାକିସ୍ତାନ ବିଶ୍ୱକପରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ କଲମ୍ବୋ ପିଚକୁ ଓହ୍ଲାଇବ ବୋଲି କହିଛି। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ପକ୍ଷରୁ ରଖାଯାଇଥିବା ୩ ସର୍ତ୍ତ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହା ମଧ୍ୟରେ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବା ଭଳି ସର୍ତ୍ତ ମଧ୍ୟ ରହିଛି।
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜାରି ରହିଥିବା ବିବାଦର ସମାଧାନ ପାଇଁ ରବିବାର ଲାହୋରର ଗଦାଫି ଷ୍ଟାଡିୟମରେ ଆଇସିସ, ପିସିବି ଓ ବାଂଲାଦେଶ କ୍ରିକେଟ ବୋର୍ଡର ମୁଖ୍ୟ ଅମିନୁଲ ଇସଲରାମ ବୁଲବଲଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ଆଇସିସି ଧାର୍ଯ୍ୟ ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍ ଆୟୋଜନ ଉପରେ ଫୋକସ କରିଥିଲା।
ପାକିସ୍ତାନ ପୂର୍ବରୁ ଏହି ମ୍ୟାଚକୁ ବୟକଟ କରିବ ବୋଲି ଘୋଷଣା କରିଥିବାରୁ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଆଇସିସି ଉପାଧ୍ୟକ୍ଷ ପିସିବିର ସଦସ୍ୟମାନଙ୍କୁ ବୁଝାଇଥିଲେ। ପିସିବି ସବୁ କିଛି ବୁଝିବା ପରେ ଏକାଧିକ ସର୍ତ୍ତ ଆଇସିସି ଆଗରେ ଉପସ୍ଥାନ କରିଛି। ଏହା ମଧ୍ୟରେ ଥିବା ୩ଟି ସର୍ତ୍ତ ସମସ୍ତଙ୍କୁ ଚକିତ କରିଛି।
୩ ସର୍ତ୍ତ ହେଲା:
୧- ଆଇସିସି ପକ୍ଷରୁ ପିସିବିକୁ ମିଳୁଥିବା ରାଜସ୍ୱକୁ ବୃଦ୍ଧି କରିବା
୨- ଭାରତ ସହ ଦ୍ୱିପାକ୍ଷିକ କ୍ରିକେଟକୁ ପୁଣି ଚାଲୁ କରିବା
୩- ହାତ ମିଳାଇବା ପ୍ରୋଟକଲକୁ କଡ଼ାକଡ଼ି ଲାଗୁ କରିବା
ଏସିଆ କପରେ ଭାରତୀୟ ଖେଳାଳିମାନେ ପାକିସ୍ତାନର ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ସେହିପରି ଏସିଆ କପ ଫାଇନାଲ ଜିତିବା ପରେ ମଧ୍ୟ ପିସିବି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସିସି ଅଧ୍ୟକ୍ଷ ମୋହଶିନ ନକଭୀଙ୍କ ଠାରୁ ଭାରତୀୟ ଟିମ ଟ୍ରଫି ଗ୍ରହଣ କରି ନଥିଲା। ଏହାକୁ ନେଇ ଲୋକଲଜ୍ଜାର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଏବେ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବାକୁ ବିକଳ ହୋଇ ଉଠିଛି। ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ ଖେଳିବା ନେଇ ପାକିସ୍ତାନ ଏହାକୁ ପ୍ରମୁଖ ସର୍ତ୍ତ ଭାବେ ଉପସ୍ଥାପନ କରିଛି।
ପିସିବି ପକ୍ଷରୁ ଉପସ୍ଥାପନ ହୋଇଥିବା ୩ ସର୍ତ୍ତ ଉପରେ ଆଇସିସି କୌଣସି ପ୍ରକାରର ସ୍ପଷ୍ଟୀକରଣ ରଖିନାହିଁ। ସେହିପରି ଦ୍ୱିପାକ୍ଷିକ ସିରିଜ ଆରମ୍ଭ କରିବା ସଂପୂର୍ଣ୍ଣ ଭାବେ ଦୁଇ ବୋର୍ଡଙ୍କ ଉପରେ ନିର୍ଭର କରେ। ତଥାପି ପିସିବି ପକ୍ଷରୁ କାହିଁକି ଆଇସିସି ଆଗରେ ଏହାର ସର୍ତ୍ତ ରଖାଗଲା, ତାହା ମଧ୍ୟ ବୁଝାପଡ଼ିନି।
ପ୍ରଥମ ସର୍ତ୍ତ ଉପସ୍ଥାପନ କରି ପିସିବି ଅଧିକ ଟଙ୍କା ଆଇସିସି ଠାରୁ ହାତେଇବାକୁ ଲକ୍ଷ୍ୟ ରଖିଛି। ଭାରତ-ପାକିସ୍ତାନ ବିଶ୍ୱକପରେ ମ୍ୟାଚ୍ ନଖେଳିଲେ ପିସିବି ଭଲ ଭାବେ ଜାଣିଛି ଯେ ଆଇସିସିକୁ ବଡ଼ କ୍ଷତି ସହିବାକୁ ପଡ଼ିବ। ତେଣୁ ପାକିସ୍ତାନ ଜାଣିଶୁଣି ଆଇସିସି ଆଗରେ ମ୍ୟାଚ ଖେଳିବା ପାଇଁ ରାଜସ୍ୱ ବୃଦ୍ଧିର ପ୍ରସ୍ତାବ ରଖିଛି।
ଆଇସିସି ରାଜସ୍ୱ ବଣ୍ଟରୁ ସର୍ବାଧିକ ଲାଭ ପାଉଥିବା ଦେଶଗୁଡ଼ିକ ମଧ୍ୟରେ ପାକିସ୍ତାନ ୪ ନମ୍ବରେ ରହିଛି। ଆଇସିସି ଆୟର ୫.୭୫% ରାଜସ୍ୱ ପିସିବି ପାଉଛି। ୨୦୨୩ରେ ପାକିସ୍ତାନ ୩୪.୫୧ ମିଲିୟନ ଡଲାର ପାଇଥିଲା।
ପାକିସ୍ତାନ ତୁଳନାରେ ବିସିସିଆଇ ୨୯୩ ମିଲିୟନ ଡଲାର, ଇଂଲଣ୍ଡ ୧୩୯ ମିଲିୟନ ଡଲାର ଓ ଅଷ୍ଟ୍ରେଲିଆ ୧୨୮ ମିଲିୟନ ଡଲାର ଆଇସିସି ଠାରୁ ପାଉଛନ୍ତି। ଏବେ ପାକିସ୍ତାନ ଏହାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
