ନକଭୀ ଓ ପାକିସ୍ତାନ ଟିମ
ଭାରତ ବିପକ୍ଷରେ ପାକିସ୍ତାନ ଟି-୨୦ ବିଶ୍ୱକପ(T20 World Cup) ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳିବ ନାହିଁ। ଆଇସିସି ବାଂଲାଦେଶ ପ୍ରତି ଅନ୍ୟାୟ କରିଥିବାରୁ ପାକିସ୍ତାନ ଏହାର ପ୍ରତିଶୋଧ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରି ନେବ। ଆଇସିସିକୁ ଆର୍ଥିକ କ୍ଷତି ପହଞ୍ଚାଇ ବରବାଦ କରିବ।
ପାକିସ୍ତାନ ସରକାର ଫେବୃଆରୀ ୨ ପର ଠାରୁ ଏମିତି କେତେ କଥା କହି ବିଶ୍ୱ କ୍ରିକେଟରେ ହଇଚଇ ସୃଷ୍ଟି କରିଥିଲେ। କିନ୍ତୁ ଫେବୃଆରୀ ୯ ବେଳକୁ ପାକିସ୍ତାନ ସରକାରଙ୍କ ସବୁ ଦମ୍ଭ ଭାଙ୍ଗି ଯାଇଛି। ଯୋଉ ମୁହଁରେ ଭାରତ ବିପକ୍ଷ ମ୍ୟାଚ୍କୁ ବୟକଟ କରିବାର ଦମ୍ଭୋକ୍ତି ପାକିସ୍ତାନ ସରକାର କରୁଥିଲେ ଏବେ ସେହି ମୁହଁରେ ଭାରତ ସହ ଆସନ୍ତା ୧୫ ତାରିଖରେ ଖେଳିବାକୁ ରାଜି ଥିବା କହିଛନ୍ତି।
ଅର୍ଥାତ ପାକିସ୍ତାନ ସରକାର ନିଜେ ପକାଇଥିବା ଛେପକୁ ପୁଣି ଚାଟିଛନ୍ତି। ଆଇସିସିର ବିଶ୍ୱକପ ସୂଚୀ ଅନୁସାରେ ଫେବୃଆରୀ ୧୫ ତାରିଖରେ ଭାରତ ଓ ପାକିସ୍ତାନ କଲମ୍ବୋରେ ମୁହାଁମୁହିଁ ହେବେ। କିନ୍ତୁ ପାକିସ୍ତାନ ଏହି ବୟକଟ ଡ୍ରାମା କରି କ’ଣ ପାଇଲା?
ଡ୍ରାମା ଦ୍ୱାରା ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଠାରୁ ଅନଔପଚାରିକ ଭାବେ କିଛି ଅଧିକ ଡଲାର ପାଇବ ବୋଲି କୁହାଯାଉଛି। କିନ୍ତୁ ବିଧିବଦ୍ଧ ଭାବେ ଆଇସିସି ନିଜ ରାଜସ୍ୱରୁ କେତେ ଅଧିକ ଡଲାର ପାକିସ୍ତାନକୁ ଦେବ, ସେକଥା ଜଣାପଡ଼ିନି। ଏହା ଛଡ଼ା ପାକିସ୍ତାନ ବିଶ୍ୱକପରେ ଭାରତ ସହ ଖେଳିବାକୁ ରଖିଥିବା ଅନ୍ୟ ସବୁ ସର୍ତ୍ତକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ତଥାପି ଲାଙ୍ଗୁଡ ଜାକି ପାକିସ୍ତାନ କଟକଣା ଭୟରେ ଭାରତ ସହ ମ୍ୟାଚ୍ ଖେଳିବାକୁ ରାଜି ହୋଇ ଯାଇଛି।
ଭାରତ ସହ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ରଖିଥିବା ଏକାଧିକ ସର୍ତ୍ତ ମଧ୍ୟରୁ କିଛି ସାମ୍ନାକୁ ଆସିଛି। ଏହା ମଧ୍ୟରେ ଆଇସିସି ପକ୍ଷରୁ ପିସିବିକୁ ମିଳୁଥିବା ରାଜସ୍ୱକୁ ବୃଦ୍ଧି କରିବା, ଭାରତ ସହ ଦ୍ୱିପାକ୍ଷିକ କ୍ରିକେଟକୁ ପୁଣି ଚାଲୁ କରିବା, ହାତ ମିଳାଇବା ପ୍ରୋଟକଲକୁ କଡ଼ାକଡ଼ି ଲାଗୁ କରିବା ଓ ବାଂଲାଦେଶ-ଭାରତ ଓ ପାକିସ୍ତାନକୁ ନେଇ ତ୍ରିପାକ୍ଷିକ ସିରିଜ କରିବାକୁ ପିସିବି ସର୍ତ୍ତ ଉପସ୍ଥାପନ କରିଥିଲା। କିନ୍ତୁ ଆଇସିସି ପାକିସ୍ତାନର କୌଣସି ସର୍ତ୍ତକୁ ଗ୍ରହଣ କରିନାହିଁ।
ସେହିପରି ରାଜସ୍ୱ ବୃଦ୍ଧି କଥାକୁ ଅନଔପଚାରିକ ଭାବେ ଆଇସିସି ଗ୍ରହଣ କରିଥିବା ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଇସିସି କିଛି ବି କହିନାହିଁ। ପାକିସ୍ତାନ ବୟକଟ ଡ୍ରାମରୁ ଖାଲି ହାତରେ ଫେରିଥିବା ବେଳେ ବାଂଲାଦେଶ କ୍ରିକେଟ ବୋର୍ଡକୁ କିନ୍ତୁ ବେଶ ଫାଇଦା ମିଳିଛି।
ଭାରତରେ ଟି-୨୦ ବିଶ୍ୱକପ ଖେଳିବାକୁ ମନା କରି ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶ ବାଦ ପଡ଼ିଛି। କିନ୍ତୁ ଭାରତରେ ମ୍ୟାଚ୍ ଖେଳିବାକୁ ବାଂଲାଦେଶ ମନା କରି ଥିଲେ ହେଁ ଆଇସିସି ପକ୍ଷରୁ ବିସିବି ଉପରେ କୌଣସି ଜୋରିମାନା ଲାଗୁ କରାଯିବ ନାହିଁ। ବିସିବି ଓ ପିସିବି ସହ ଆଲୋଚନା କରିବା ପରେ ଆଇସିସି ଏପରି ନିଷ୍ପତ୍ତି ନେଇଛି।
ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ବର୍ତ୍ତମାନ ପ୍ରସଙ୍ଗକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଉପରେ କୌଣସି ପ୍ରକାରର ଆର୍ଥିକ, କ୍ରୀଡ଼ା ଜନିତ କିମ୍ବା ପ୍ରଶାସନିକ ଜନିତ ଜୋରିମାନା ଲାଗୁ ହେବ ନାହିଁ। ପୂରା ଘଟଣାକୁ ନେଇ ବିସିବି ଚାହିଁଲେ ବିବାଦ ସମାଧାନ କମିଟି ବା ଡିଆରସିର ଦ୍ୱାରସ୍ଥ ହୋଇପାରିବ। ବର୍ତ୍ତମାନର ଆଇସିସି ରେଗୁଲେସନ ଅଧୀନରେ ବିସିବି ପାଖରେ ଏହାର ଅଧିକାର ରହିଛି।”
ବୁଝାମଣା ଅନୁସାରେ, ବାଂଲାଦେଶକୁ ୨୦୨୮ରୁ ୨୦୩୧ ମଧ୍ୟରେ ଗୋଟିଏ ଆଇସିସି ଇଭେଣ୍ଟ ଆୟୋଜନ କରିବାର ଅଧିକାର ମିଳିବ। ୨୦୩୧ ପୁରୁଷ ବିଶ୍ୱକପ ପୂର୍ବରୁ ବାଂଲାଦେଶ ଆଇସିସି ଇଭେଣ୍ଟ ଆୟୋଜନ କରିବାର ଅଧିକାର ପାଇବ। ହେଲେ ଆଇସିସି ହୋଷ୍ଟିଂ ପ୍ରକ୍ରିୟା, ଟାଇମଲାଇନ ଓ ଅପରେସନନାଲ ଆବଶ୍ୟକତାକୁ ପୂରଣ କରିବା ପରେ ବାଂଲାଦେଶ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ “ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ବାଂଲାଦେଶର ଅନୁପସ୍ଥିତି ନିଶ୍ଚିତ ଭାବେ ପରିତାପର ବିଷୟ। କିନ୍ତୁ ଗୋଟିଏ ପ୍ରମୁଖ କ୍ରିକେଟିଂ ଦେଶ ଭାବେ ବାଂଲାଦେଶ ପ୍ରତି ଆଇସିସି ସବୁବେଳେ ପ୍ରତିଶ୍ରୁତିବଦ୍ଧ।
ବିସିବି ସମେତ ସମସ୍ତ ପ୍ରମୁଖ ଅଂଶୀଦାର ସହ ମିଶି କାମ କରିବା ଉପରେ ଆମେ ସବୁବେଳେ ଫୋକସ କରି ଆସିଛୁ। ବାଂଲାଦେଶ ସର୍ବଦା ଗୋଟିଏ ପ୍ରମୁଖ କ୍ରିକେଟ ଇକୋସିଷ୍ଟମର ଅଂଶବିଶେଷ ହୋଇ ରହି ଆସିଛି ଓ ଆଗକୁ ମଧ୍ୟ ରହିବ। ସ୍ୱଳ୍ପକାଳୀନ ବିଭ୍ରାଟ ଏଥିରେ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ।”
ଆଇସିସିର ଏପରି ଆଭିମୁଖ୍ୟ ପରେ ବିସିବି ମଧ୍ୟ ସୋମବାର ରାତିରେ ଗୋଟିଏ ପ୍ରେସ ବିବୃତି ଜାରି କରିଥିଲା। ଏଥିସହ ପାକିସ୍ତାନକୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପରାମର୍ଶ ଦେଇଥିଲା।
ପିସିବି ମୁଖ୍ୟ ମୋହଶିନ ନକଭୀ ମଧ୍ୟ ବିସିବି ଓ ଆଇସିସିର ଅନୁରୋଧ ଯୋଗୁ ଭାରତ ସହ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଥିବା କଥା କହିଛନ୍ତି। କିନ୍ତୁ ବାସ୍ତବରେ ପାକିସ୍ତାନ କେବଳ କିଛି ଡଲାର ପାଇଁ ଏପରି କରିଥିବା କୁହାଯାଉଛି। ଏହା ଛଡ଼ା ପାକିସ୍ତାନ ବୟକଟ ଡ୍ରାମାରୁ ଆଉ କିଛି ବି ପାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/pak-2026-02-10-13-44-45.jpg)