Advertisment

ଭାରତ ବିପକ୍ଷ ମ୍ୟାଚ୍‌ର ଦିନକ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ପାକିସ୍ତାନ

ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି।

author-image
Hemant Lenka
Pakistan

Pakistan

ଆସନ୍ତାକାଲି ଏସିଆ କପ ୨୦୨୩ର ସବୁଠାରୁ ବଡ଼ ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଭାରତୀୟ ସୟମ ଅପରାହ୍ନ ୩ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ଏହି ମ୍ୟାଚ୍‌କୁ ସମସ୍ତେ ଅପେକ୍ଷା କରି ରହିଥିବା ବେଳେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶ କ’ଣ ରହିବ, ତା’କୁ ନେଇ ମଧ୍ୟ ବିର୍ତକ ଓ ଆଲୋଚନା ହେଉଛି।

Advertisment

ତେବେ ଏସବୁ ଭିତରେ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଆସନ୍ତାକାଲି ଶ୍ରୀଲଙ୍କାର ପାଲ୍ଲେକେଲେରେ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଆଜି ପ୍ରି ମ୍ୟାଚ୍‌ ପ୍ରେସ କନଫରେନ୍ସ ହୋଇଥିଲା।

ଏହି ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜର ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏସିଆ କପର ଓପନିଂ ମ୍ୟାଚ୍‌ରେ ପାକିସ୍ତାନ ବେଶ ସହଜରେ ନେପାଳକୁ ୨୩୮ ରନରେ ହରାଇଥିଲା। ଉକ୍ତ ମ୍ୟାଚ୍‌ରେ ଖେଳୁଥିବା ସମସ୍ତ ଖେଳାଳି ଭାରତ ବିପକ୍ଷରେ ମଧ୍ୟ ଲଢ଼େଇ କରିବେ। ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବାବର ସ୍ପଷ୍ଟ କରିଛନ୍ତି।

Advertisment

ପାକିସ୍ତାନ ଚଳିତ ଏସିଆ କପର ପ୍ରଥମ ମ୍ୟାଚ୍‌ ଘରୋଇ ମାଟି ମୁଲତାନରେ ଖେଳିଥିଲା। ପ୍ରାରମ୍ଭିକ ଝଟକା ସତ୍ତ୍ୱେ ଦଳ ୩୦୦ରୁ ଅଧିକ ରନ କରିଥିଲା। ଏହାପରେ ବୋଲିଂରେ କମାଲ କରି ନେପାଳକୁ ଏକତରଫା ଭାବେ ୨୩୮ ରନରେ ହରାଇଥିଲା।

ନେପାଳ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଶାହୀନ ଶାହ ଆଫ୍ରଦି ଏବେ ଭଲ ଲୟରେ ଅଛନ୍ତି। ତେଣୁ ସେ ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି। ତାଙ୍କୁ ସାଥ ଦେବା ପାଇଁ ଅନ୍ୟ ଦୁଇ ଦ୍ରୁତ ବୋଲର ନଶୀମ ଶହ ଓ ହରିଶ ରୌଫ ରହିବେ। ଦଳରେ ଦୁଇ ସ୍ପିନିଂ ଅଲରାଉଣ୍ଡର ଶଦାବ ଖାନ ଓ ମହମ୍ମଦ ନୱାଜ ବି ରହିଛନ୍ତି। ସଲମାନ ଅଘା ମଧ୍ୟ ବୋଲିଂ କରିବାକୁ ସକ୍ଷମ।

ବ୍ୟାଟିଂ ଲାଇନ ଅପକୁ ଦେଖିଲେ ମଧ୍ୟକ୍ରମରେ ବାବର ଓ ଇଫତକାର ଅହମଦ ଭଲ ଫର୍ମରେ ରହିଛନ୍ତି। ଉଭୟ ନେପାଳ ବିପକ୍ଷରେ ଶତକ ମଧ୍ୟ ହାସଲ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଫଖର ଜମାନ, ଇମାମ ଉଲ ହକ ଓ ମହମ୍ମଦ ରିଜୱାନ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି।

ପାକିସ୍ତାନ ଟିମ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତକାର ଅହମଦ, ଶଦାବ ଖାନ, ମହମ୍ମଦ ନୱାଜ, ଶାହୀନ ଶାହ ଆଫ୍ରିଦି, ନଶୀମ ଶାହ ଓ ହରିଶ ରୌଫ।

Pakistan India Vs Pakistan Asia Cup Cricket Pakistan Cricket Asia Cup 2023