ସର୍ଫରାଜ
ଆଇସିସି ଇଭେଣ୍ଟରେ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ(Pakistan) ତା’ର ପରିବର୍ତ୍ତନ ପରମ୍ପରା ଜାରି ରଖିଛି। ପ୍ରତିଥର ଭଳି ଏଥର ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରୁ ବିଦା ହୋଇଥିବା ପାକିସ୍ତାନ କ୍ରିକେଟ ଟିମରେ ପୁଣି ଗୋଟିଏ ପରବର୍ତ୍ତନ ହେବ। ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସର୍ଫରାଜ ଅହମଦଙ୍କୁ ମିଳିବ ନୂଆ ଦାୟିତ୍ୱ।
ସେ ପାକିସ୍ତାନ ଟେଷ୍ଟ ଟିମର ନୂଆ ମୁଖ୍ୟ କୋଚ ହୋଇପାରନ୍ତି। ୨୦୨୫ ଅକ୍ଟୋବର ମାସରୁ ଖାଲି ପଡ଼ିଥିବା ଏହି ପଦକୁ ୩୮ ବର୍ଷୀୟ ସର୍ଫରାଜ ପୂରଣ କରିବେ। ସେ ଅନ୍ତରୀଣ କୋଚ ଆଝାର ମେହମ୍ମୁଦଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଆଝାରଙ୍କ କୋଚିଂରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ଟେଷ୍ଟ ସିରିଜ ଖେଳିଥିଲା।
ସର୍ଫରାଜ ଏବେ ପାକିସ୍ତାନ ଯୁବ ଟିମ ବା ପାକିସ୍ତାନ ଶାହୀନ୍ସ ସହ ୟୁଏଇରେ ରହିଛନ୍ତି। ସେଠାରେ ପାକିସ୍ତାନ ଶାହୀନ୍ସ ଇଂଲଣ୍ଡ ଲାୟନ୍ସ ବିରୋଧରେ ଗୋଟିଏ ଧଳା ବଲ ସିରିଜ ଖେଳିବାର ଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁ ଇଂଲଣ୍ଡ କ୍ରିକେଟ ବୋର୍ଡ ନିଜ ଦେଶର ଖେଳାଳିଙ୍କୁ ଫେରାଇ ନେଇଛି। ସର୍ଫରାଜ ମଧ୍ୟ ଖେଳାଳିଙ୍କ ସହ ସ୍ୱଦେଶ ଫେରିବେ।
ଏହାପରେ ବିଧିବଦ୍ଧ ଭାବେ ତାଙ୍କୁ ଜାତୀୟ ଟେଷ୍ଟ ଟିମର କୋଚ ଦାୟିତ୍ୱ ମିଳିବ। ବାଂଲାଦେଶ ବିପକ୍ଷ ମେ’ ମାସରେ ଖେଳାଯିବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ବେଳକୁ ସର୍ଫରାଜ ପାକିସ୍ତାନର କୋଚ ହୋଇ ସାରିଥିବେ ବୋଲି ଜଣାପଡ଼ିଛି।
ପାକିସ୍ତାନ କ୍ରିକେଟ ବୋର୍ଡ ସର୍ଫରାଜଙ୍କୁ ଅଣ୍ଡର ୧୯ ଟିମର ମେଣ୍ଟୋର କରିଥିଲା। ସେ ମେଣ୍ଟୋର ଥିବା ବେଳେ ପାକିସ୍ତାନ ୨୦୨୫ ଡିସେମ୍ବରରେ ଏସିଆ କପ ଜିତିଥିଲା। ଭାରତକୁ ହରାଇ ପାକିସ୍ତାନ ଏହି ସଫଳତା ପାଇଥିବାରୁ ପିସିବି ତାଙ୍କ ଉପରେ ବେଶ ଖୁସି ରହିଛି। ତେଣୁ ତାଙ୍କୁ ନୂଆ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି।
୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଟ୍ରଫି ଜିତିଥିଲା। ପାକିସ୍ତାନ ଟିମର କ୍ୟାପ୍ଟେନ ସେହି ସମୟରେ ସର୍ଫରାଜ ରହିଥିଲେ। ଏଥିପାଇଁ ସର୍ଫରାଜଙ୍କ ଖାଦି ପାକିସ୍ତାନରେ ସମାନ୍ୟ ଅଲଗା। କାରଣ ତାଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ ଭାରତକୁ ହରାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/04/sarfaraz-2026-03-04-19-03-57.jpg)