/odisha-reporter/media/media_files/2026/02/16/afridi-2026-02-16-18-29-47.jpg)
ରବିବାର ମ୍ୟାଚ ବେଳର ଦୃଶ୍ୟ
ଭାରତ ଠାରୁ ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ଟିମରେ ହଇଚଇ। ଭାରତ ଠାରୁ ୬୧ ରନରେ ହାରିବା ପରେ ଏବେ ପାକିସ୍ତାନ ଟିମରେ ଚାଲିଛି ଦୋଷ ଲଦାଲଦି ପ୍ରକ୍ରିୟା। କ’ଣ ପାଇଁ ଭାରତ ଠାରୁ ଦଳ ହାରିଲା, ତା’ର ସମୀକ୍ଷା କରିବା ବଦଳରେ ଦୋଷ ଛଡ଼ାଇବା ମୁଡରେ ରହିଛି ପାକିସ୍ତାନ।
ଭାରତ ଠାରୁ ହାରିବା ପରେ ନାମିବିୟା ବିପକ୍ଷ ମ୍ୟାଚ୍ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଟିମ ମ୍ୟାନେଜମେଣ୍ଟ ଦଳର ଦୁଇ ବରିଷ୍ଠ ଖେଳାଳି ବାବର ଆଜମ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ନାମିବିୟା ବିପକ୍ଷ ମ୍ୟାଚ୍ରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ବରିଷ୍ଠ ଖେଳାଳି ହୋଇଥିଲେ ହେଁ ଭାରତ ବିପକ୍ଷ ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଖାସ ସେଥିପାଇଁ ସେମାନଙ୍କୁ ପରବର୍ତ୍ତୀ ମ୍ୟାଚ୍ରୁ ବାଦ ଦିଆଯିବ।
ମିଳିଥିବା ସୂଚନା ଅନୁସାରେ, ଲଜ୍ଜାଜନକ ପରାଜୟ ବେଳେ ପିସିବି ମୁଖ୍ୟ ମୋହଶୀନ ନକବୀ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଏପରି କି ମ୍ୟାଚ୍ ପୂର୍ବରୁ ସେ ଦଳୀୟ ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ପାକିସ୍ତାନ ହାରିବା ସ୍ଥିତିରେ ପହଞ୍ଚିବାରୁ ସେ ସିଧା ନିଜର ହୋଟେଲକୁ ଚାଲି ଯାଇଥିଲେ। ଏହାପରେ ନିଜର ଅସନ୍ତୋଷ ଖେଳାଳିମାନଙ୍କୁ ଜଣେ ଅଧିକାରୀଙ୍କ ଜରିଆରେ ସେ ଟିମ ମ୍ୟାନେଜର ନାଭେଦ ଆକ୍ରମଙ୍କୁ ଜଣାଇ ଦେଇଛନ୍ତି।
ଗୋଟିଏ ସୂତ୍ରରେ କୁହାଯାଇଛି ଯେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ମ୍ୟାଚ ଅଧାରୁ ହିଁ ପ୍ରେମଦାସା ଷ୍ଟାଡିୟମ ଛାଡ଼ିଥିଲେ ନକବୀ। ଭାରତ ଠାରୁ ପାକିସ୍ତାନ ପୁଣି ହାରିବାକୁ ଯାଉଥିବା ସେ ଭଲ ଭାବେ ବୁଝି ଯାଇଥିଲେ। ଏହାପରେ ସେ ଜଣେ ବରିଷ୍ଠ ପିସିବି ଅଧିକାରୀଙ୍କ ଜରିଆରେ ମ୍ୟାଚ୍ରେ ଏପରି ପ୍ରଦର୍ଶନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଟିମକୁ ଜଣାଇଛନ୍ତି।
ସେହିପରି ମୁଖ୍ୟ କୋଚ ମାଇକ ହେସନ ମଧ୍ୟ ଡ୍ରେସିଂ ରୁମରେ ଖେଳାଳିଙ୍କ ଉପରେ ଅସନ୍ତୋଷ ଝାଡ଼ି ସେମାନେ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନଥିବା କହିଛନ୍ତି। ଏସବୁ ପରେ ବିଳମ୍ବିତ ରାତିରେ ଟିମ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଯେ ସେମାନେ ବୁଧବାର ନାମିବିୟା ବିପକ୍ଷ ମ୍ୟାଚରେ ବରିଷ୍ଠ ଖେଳାଳି ବାବର ଆଜମ ଓ ଆଫ୍ରିଦିଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବେ।
ବାବରଙ୍କ ବଦଳରେ ଫଖର ଜମାଣ ଓ ଆଫ୍ରିଦିଙ୍କ ବଦଳରେ ସଲମାନ ମିର୍ଜା କିମ୍ବା ନଶୀମ ଶାହଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରିବେ। ଯଦି ସତରେ ବାବର ଓ ଆଫ୍ରିଦିଙ୍କ ବିଦାୟ ଦଳକୁ ସଫଳତା ଦେବ, ତା’ହେଲେ ଟି-୨୦ରେ ଦୁଇ ଜଣଙ୍କ କ୍ୟାରିୟର ମଧ୍ୟ ଶେଷ ହୋଇଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
