Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ଜିତିବାର ଅନ୍ୟ ଏକ କାରଣ କହିଲେ ରୋହିତ ଶର୍ମା, ଏହା ଥିଲା ପନ୍ତଙ୍କ କୌଶଳ

ରୋହିତ କହିଥିଲେ, ଯାହା ଚାହୁଁଥିଲୁ, ତାହା ଘଟିଥିଲା। କ୍ଲାସେନଙ୍କୁ ହାର୍ଦ୍ଦିକ ଆଉଟ୍ କରି ଦେଇଥିଲେ। ତା’ପରଠାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ବଢ଼ି ବଢ଼ି ଚାଲିଲା।

author-image
Jitendra Garnayak
Rohit Sharma

Rohit Sharma

ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚ୍ ଏବେ ବି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ତାଜା ଅଛି। ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ ହେଉ ଅବା ଡେଥ୍ ଓଭରରେ ପେସରଙ୍କ ଉଦାହରଣୀୟ ବୋଲିଂ ଅବା ବିରାଟ କୋହଲିଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ- ଏମିତି ଅନେକ କାରଣ ରହିଛି, ଯେଉଁଥିପାଇଁ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଏହି ଐତିହାସିକ ବିଜୟ ପଛରେ ଆଉ ଏକ କାରଣ ଯୋଡ଼ିଛନ୍ତି। କପିଲ ଶର୍ମାଙ୍କ କମେଡି ଶୋ’ରେ ଯୋଗ ଦେବା ଅବସରରେ ରୋହିତ ଶର୍ମା ଏହି କାରଣ ସଂପର୍କରେ କହିଥିଲେ।

Advertisment

ସେ କହିଥିଲେ, ଯେତେବେଳେ ଦକ୍ଷିଣ ଆଫ୍ରିକା ୩୦ ବଲ୍‌ରେ ୩୦ ରନ୍ ଆବଶ୍ୟକ କରୁଥିଲା, ତା’ ପୂର୍ବରୁ ଏକ ଛୋଟିଆ ବିରତି ନିଆଯାଇଥିଲା। ସେହି ବିରତି ପାଇବା ପାଇଁ ପନ୍ତ (ଋଷଭ ପନ୍ତ) ମୁଣ୍ଡ ଖଟାଇଥିଲେ। ମ୍ୟାଚ୍ ଦ୍ରୁତଗତିରେ ଆଗେଇ ଚାଲିଥିଲା। ସେହି ସ୍ଥିତିରେ ସମସ୍ତ ବ୍ୟାଟର ଚାହାଁନ୍ତି ଶୀଘ୍ର ଶୀଘ୍ର ବୋଲିଂ ହେଉ। କିନ୍ତୁ ସେତେବେଳେ ଆମେ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନଙ୍କ ଲୟ ଭାଙ୍ଗିବାକୁ ଚାହୁଁଥିଲୁ। ମୁଁ ଫିଲ୍ଡ ସେଟ୍ କଲା ବେଳେ ଓ ବୋଲରମାନଙ୍କ ସହିତ ଆଲୋଚନା କଲା ବେଳେ ହଠାତ୍ ଦେଖିଲି ପନ୍ତ ତଳେ ପଡ଼ିଗଲେ। ତା’ପରେ ଫିଜିଓଥେରାପିଷ୍ଟ ଆସିଲେ ଓ ତାଙ୍କ ଆଣ୍ଠୁରେ ଏକ ନି’ ଟ୍ୟାପ୍ ଲଗାଇଥିଲେ। କ୍ଲାସେନ୍ ମ୍ୟାଚ୍‌ ପୁଣି ଥରେ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ। ମୁଁ କହୁ ନାହିଁ ଯେ ଏହା ଏକମାତ୍ର କାରଣ, କିନ୍ତୁ ଏହା ସେହି କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇପାରେ। ପନ୍ତ ସାହାବ ଟିକେ ବୁଦ୍ଧି ପ୍ରୟୋଗ କଲେ ଓ ସ୍ଥିତି ଆମ ସପକ୍ଷରେ ଯାଇଥିଲା।

ସେହି ବ୍ରେକ୍‌ ପରେ ହେନରିଚ କ୍ଲାସେନଙ୍କୁ ଆଉଟ୍ କରି ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହା ସହିତ ସ୍ଥିତି ବଦଳି ଯାଇଥିଲା ଓ ମ୍ୟାଚ୍ ପୁଣି ଭାରତ ହାତକୁ ଚାଲି ଯାଇଥିଲା। ଯଦିଓ ସେତେବେଳେ ଡାଭିଡ ମିଲର ଥିଲେ, କିନ୍ତୁ ଶେଷ ୨- ୩ ଓଭରରେ ଦକ୍ଷିଣ ଆଫ୍ରିକା ଉପରେ ଜୋର ଚାପ ପଡ଼ିଥିଲା ଓ ଏଥିରୁ ଭାରତ ଫାଇଦା ନେଇଥିଲା।

Advertisment

ରୋହିତ କହିଥିଲେ, ଯାହା ଚାହୁଁଥିଲୁ, ତାହା ଘଟିଥିଲା। କ୍ଲାସେନଙ୍କୁ ହାର୍ଦ୍ଦିକ ଆଉଟ୍ କରି ଦେଇଥିଲେ। ତା’ପରଠାରୁ ଦକ୍ଷିଣ ଆଫ୍ରିକା ଉପରେ ଚାପ ବଢ଼ି ବଢ଼ି ଚାଲିଲା। ଏହା ପରେ ଟିମ୍‌ର ସମସ୍ତ ସଦସ୍ୟ ଏକାଠି ହୋଇ ସେମାନଙ୍କ ବ୍ୟାଟରମାନଙ୍କ ମନୋବଳ ଭାଙ୍ଗିବାକୁ ସ୍ଲେଜିଂ କରିବା ଆରମ୍ଭ କରିଥିଲେ। ସେ ନେଇ ବିସ୍ତାରିତ ଭାବେ ଏଠାରେ କହି ହେବ ନାହିଁ। କିନ୍ତୁ ଏହା ଆବଶ୍ୟକ ଥିଲା। କାରଣ ଯେକୌଣସି ମୂଲ୍ୟ ଦେଇ ଆମେ ଏହି ମ୍ୟାଚ୍ ଜିତିବା ପାଇଁ ଚାହୁଁଥିଲୁ। ମ୍ୟାଚ୍ ଜିତିବା ପାଇଁ ଆମେ କିଛି ଜୋରିମାନା ଭରିବାକୁ ରାଜି ଥିଲୁ। ସେଥିପାଇଁ ମୁଁ ସାଥୀ ଖେଳାଳିମାନଙ୍କୁ କହିଥିଲି, ସେମାନେ ଯାହା ଭାବୁଛନ୍ତି, ତାହା କୁହନ୍ତୁ। ପରେ ଆମେ ଅମ୍ପାୟାର ଓ ରେଫରୀଙ୍କୁ ସମ୍ଭାଳିବା।

Rohit Sharma Rishabh Pant T 20 World Cup 2024