Pat Cummins
ଅଷ୍ଟ୍ରେଲିଆ ଟିମର ଟେଷ୍ଟ ଓ ଦିନିକିଆ ଅଧିନାୟକ ପାଟ କମିନ୍ସ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ସିରିଜ୍ ଅଧାରୁ ସ୍ୱଦେଶ ଚାଲି ଯାଇଛନ୍ତି। ତାଙ୍କ ପରିବାରର କେହି ଜଣେ ଗୁରୁତର ଅସୁସ୍ଥ ଥିବା ଖବର ମିଳିବା ପରେ କମିନ୍ସ ତରବରିଆ ଭାବେ ରବିବାର ରାତିରେ ହିଁ ସିଡ୍ନୀ ଅଭିମୁଖେ ଉଡ଼ାଣ ଭରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କମିନ୍ସ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ ହେଁ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଫେରି ଆସି ସ୍କ୍ୱାଡରେ ଯୋଗ ଦେବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଖେଳାଯିବ। ଇନ୍ଦୋରରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ କମିନ୍ସ ପୁଣି ଅଷ୍ଟ୍ରେଲିଆ ସ୍କ୍ୱାଡରେ ସାମିଲ ହେବେ। ୪ଟିକିଆ ଟେଷ୍ଟ ସିରିଜ୍ ପରେ ଅଷ୍ଟ୍ରେଲିଆ ମାର୍ଚ୍ଚ ୧୭ରୁ ଭାରତ ବିପକ୍ଷରେ ୩ ଟିକିଆ ଦିନିକିଆ ସିରିଜ ମଧ୍ୟ ଖେଳିବ।
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ରେ ବର୍ତ୍ତମାନ ଭାରତ ୨-୦ରେ ଆଗରେ ରହିଛି। ଦଳ ନାଗପୁର ଟେଷ୍ଟକୁ ଇନିଂସ ଓ ୧୩୨ ରନରେ ଜିତିଥିଲା। ସେହିପରି ଦିଲ୍ଲୀରେ ଖେଳ ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୬ ୱିକେଟରେ ଅଷ୍ଟ୍ରେଲିଆକୁ ମାତ ଦେଇଛନ୍ତି। ଭାରତର ଦୁଇ ସ୍ପିନ ଯୋଡ଼ି ରବି ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା କମାଲ କରିବା ସହ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଛନ୍ତି।
ରବିବାର ମଧ୍ୟାହ୍ନରେ ମ୍ୟାଚ୍ ସରିବା ପରେ କମିନ୍ସଙ୍କ ପାଖକୁ ତାଙ୍କ ଘରର ସଦସ୍ୟଙ୍କ ଅସୁସ୍ଥତା ନେଇ ଖବର ଆସିଥିଲା। ଏହି ଖବର ମିଳିବା ପରେ ସେ ତୁରନ୍ତ ସିଡ୍ନୀ ଅଭିମୁଖେ ଉଡ଼ାଣ ଭରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676874312.jpg)