Pat Cummins
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସ ଟି-୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି। ସେ ବିଶ୍ୱର ପ୍ରଥମ ବୋଲର ଭାବେ ଟି-୨୦ ବିଶ୍ୱକପରେ କ୍ରମାଗତ ଦୁଇଟି ମ୍ୟାଚ୍ରେ ଦୁଇ ଥର ହ୍ୟାଟ୍ରିକ ୱିକେଟ ଦଖଲ କରିଛନ୍ତି। ଆଜି ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପର ସୁପର ୮ ମୁକାବିଲାରେ କମିନ୍ସ ହ୍ୟାଟ୍ରିକ ନେଇଛନ୍ତି। ଦୁଇ ଦିନ ପୂର୍ବରୁ ସୁପର ୮ର ପ୍ରଥମ ମ୍ୟାଚ୍ରେ କମିନ୍ସ ବାଂଲାଦେଶ ବିପକ୍ଷରେ ମଧ୍ୟ ହ୍ୟାଟ୍ରିକ ହାସଲ କରିଥିଲେ।
ବିଶ୍ୱକପରେ କ୍ରମାଗତ ଦୁଇଟି ମ୍ୟାଚ୍ରେ ହ୍ୟାଟ୍ରିକ ନେବା ଘଟଣା ପୂର୍ବରୁ କେବେ ବି ଘଟି ନଥିଲା। ହେଲେ କମିନ୍ସ ଏହା କରି ଦେଖାଇଛନ୍ତି। ଆଜି ସେ ୧୮ତମ ଓଭରର ଶେଷ ବଲରେ ରାଶିଦ ଖାନଙ୍କୁ ଆଉଟ କରିଥିଲେ। ଏହାପରେ ଶେଷ ଓଭରର ପ୍ରଥମ ବଲରେ ସେ କରିମ ଜନତ ଓ ଦ୍ୱିତୀୟ ବଲରେ ଗୁଲବଦିନ ନୈବଙ୍କୁ ଆଉଟ କରିଥିଲେ।
କମିନ୍ସ ୪ ବଲରେ ୪ ୱିକେଟ ନେବାର ମଧ୍ୟ ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ଆଫଗାନର ନାଙ୍ଗେୟାଲିଆ ଖାରୋଟେ ମାରିଥିବା ଶଟରେ କ୍ୟାଚ୍ ଉଠିଥିଲେ ହେଁ ଏହାକୁ ଡାଭିଡ ୱାର୍ଣ୍ଣର ହାତ ଛଡ଼ା କରିଥିଲେ। ତଥାପି କମିନ୍ସ ୪ ଓଭରରେ ୨୮ ରନ ଦେଇବାରୁ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ମାତ୍ର ୧୨୭ ରନରେ ଅଲଆଉଟ କରି ଐତିହାସିକ ବିଜୟ ହାସଲ କରିଥିଲା।
କମିନ୍ସ ଏହାପୂର୍ବରୁ ବାଂଲାଦେଶ ବିପକ୍ଷରେ ମହମୁଦୁଲ୍ଲା, ମାହେଦି ହାସନ ଓ ତୋୱହିଦ ହ୍ରିଦୋୟଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ। କ୍ରମାଗତ ଦୁଇଟି ମ୍ୟାଚ୍ରେ ହ୍ୟାଟ୍ରିକ ନେଇ କମିନ୍ସ ୱାସିମ ଆକ୍ରମଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଆକ୍ରମ ୧୯୯୯ ମସିହା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର କ୍ରମାଗତ ଦୁଇଟି ମ୍ୟାଚରେ ହ୍ୟାଟ୍ରିକ ନେଇଥିଲେ।
ଅନ୍ୟପକ୍ଷରେ ଟି-୨୦ରେ ୧ରୁ ଅଧିକଥର ହ୍ୟାଟ୍ରିକ ନେଇଥିବା ତାଲିକାରେ ମଧ୍ୟ କମିନ୍ସ ଯୋଡ଼ି ହୋଇଯାଇଛନ୍ତି। ଶ୍ରୀଲଙ୍କାର ଲସିତ ମାଲିଙ୍ଗା, ନ୍ୟୁଜିଲ୍ୟାଣ୍ଡର ଟିମ ସାଉଦି, ମାର୍କ ପାଭଲୋଭିକ, ୱାସିମ ଆବ୍ବାସ ଟି-୨୦ରେ ୨ ଥର ଲେଖାଏ ହ୍ୟାଟ୍ରିକ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719139040.jpg)