Advertisment

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବେନି ଅଧିନାୟକ କମିନ୍ସ, ଏହି ଖେଳାଳି ନେବେ ନେତୃତ୍ୱ

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ।

author-image
Hemant Lenka
Pat Cummins

Pat Cummins

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ। ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମା’ଙ୍କ ଦେହ ଖରାପ ଅଛି। ତେଣୁ ଏପରି ସ୍ଥିତିରେ ସେ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତ ଆସିପାରିବେ ନାହିଁ।

Advertisment

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସମୟରେ କମିନ୍ସଙ୍କ ପାଖରେ ମା’ଙ୍କ ଅସୁସ୍ଥତା ନେଇ ଖବର ପହଞ୍ଚିଥିଲା। ରବିବାର ଅଷ୍ଟ୍ରେଲିଆ ଏହି ଟେଷ୍ଟ ମ୍ୟାଚ୍‌ରେ ହାରିବା କ୍ଷଣି କମିନ୍ସ ରାତାରାତି ଦିଲ୍ଲୀରୁ ସିଡ୍‌ନୀ ଅଭିମୁଖେ ଉଡ଼ାଣ କରିଥିଲେ। କୁହାଯାଉଥିଲା ଯେ ସେ ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ବେଳକୁ ଭାରତ ଫେରି ଆସିବେ। ହେଲେ ଏବେ ୨୯ ବର୍ଷୀୟ କମିନ୍ସ ନିଶ୍ଚିତ କରିଛନ୍ତି ଯେ ଇନ୍ଦୋର ଟେଷ୍ଟରେ ଦଳ ପାଇଁ ଉପଲବ୍ଧ ହେବେ ନାହିଁ। ମା’ଙ୍କ ଅବସ୍ଥା ଭଲ ନଥିବାରୁ ସେ ତାଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି।

କମିନ୍ସ କହିଛନ୍ତି, “ଏହି ସମୟରେ ଭାରତ ଫେରିବା ମୋ ପକ୍ଷେ ସମ୍ଭବ ନୁହେଁ। ମୁଁ ଭାବୁଛି ମୋ ପରିବାର ସହ ସମୟ ବିତାଇବା ଭଲ ହେବ। କ୍ରିକେଟ ଅଷ୍ଟ୍ରେଲିଆ ଓ ମୋ ସାଥୀ ଖେଳାଳିଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞତା ଜଣାଉଛି। ସେମାନେ ସବୁ କିଛି ବୁଝି ପାରିଥିବାରୁ ଧନ୍ୟବାଦ।” କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଦଳର ନେତୃତ୍ୱ ନେବେ।

Advertisment

ବଲ ଟାମ୍ପରିଂ ମାମଲାରେ ଫସି ସ୍ମିଥ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଦ ହରାଇଥିଲେ। ହେଲେ ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଉପରୁ ବ୍ୟାନ ହଟାଇ ଦେଇଛି। ତେଣୁ ସେ ହିଁ ଭାରତ ବିପକ୍ଷ ଇନ୍ଦୋର ଟେଷ୍ଟରେ କଙ୍ଗାରୁ ଟିମର କମାଣ ସମ୍ଭାଳିବେ। ତେବେ ୪ର୍ଥ ଟେଷ୍ଟରେ କମିନ୍ସ ଭାରତ ଫେରିବାର ସମ୍ଭାବନା ଥିବାରୁ ସେ ପୁଣି କ୍ୟାପ୍ଟେନ୍ସି ଦାୟିତ୍ୱ ନେବେ।

ଦ୍ୱିତୀୟ ଟେଷ୍ଟ ପରେ ସ୍ମିଥ ମଧ୍ୟ ଦୁବାଇ ଚାଲି ଯାଇଥିଲେ। ସେ ୪ ଦିନ ପତ୍ନୀ ଡାନିଙ୍କ ସହ ସମୟ ବିତାଇବା ପରେ ଗୁରୁବାର ସନ୍ଧ୍ୟାରେ ପୁଣି ଦଳ ସହ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ଏବେ ଟେଷ୍ଟ ସିରିଜ୍‌ରେ ୦-୨ରେ ପଛୁଆ ରହିଛି। ତେଣୁ ସ୍ମିଥ କେମିତି ଦଳର କମବ୍ୟାକ କରାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର। ୩୩ ବର୍ଷୀୟ ସ୍ମିଥଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟିମ ଭାରତରେ ୨୦୧୭ରେ ଟେଷ୍ଟ ସିରଜ ଖେଳିଥିଲା। ଏହି ଟେଷ୍ଟକୁ ଭାରତ ୨-୧ରେ ଜିତି ନେଇଥିଲା।

ଅନ୍ୟପକ୍ଷରେ କମିନ୍ସ ତୃତୀୟ ଟେଷ୍ଟରୁ ବାଦ ପଡ଼ିଥିବାରୁ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ତାଙ୍କ ସ୍ଥାନ ନେବେ। ଆହତ ସମସ୍ୟା ଯୋଗୁ ଷ୍ଟାର୍କ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ଖେଳି ନଥିଲେ। ସେହିପରି ଡାଭିଡ ୱାର୍ଣ୍ଣର ମଧ୍ୟ ଆହତ ଯୋଗୁ ଭାରତ ବିପକ୍ଷ ଟେଷ୍ଟ ସିରିଜକୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ କାମେରୁନ ଗ୍ରୀନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି।

Border-Gavaskar Trophy India Vs Australia Indian Cricket Team