Advertisment

ଷ୍ଟାଡିୟମ ନିର୍ମାଣ କାମ କେତେ ସରିଛି? ଜବାବ ରଖିଲା ପାକିସ୍ତାନ କ୍ରିକେଟ ବୋର୍ଡ

ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦାଫି ଷ୍ଟାଡିୟମ ଓ କରାଚିର ନ୍ୟାଶନାଲ ବ୍ୟାଙ୍କ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବାର ଅଛି। ଭାରତ ତା’ର ମ୍ୟାଚ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ।

author-image
Hemant Lenka
PCB

PCB

ପାକିସ୍ତାନର ବିଭିନ୍ନ ଷ୍ଟାଡିୟମର ଉନ୍ନତିକରଣ କାମ ଧିମେଇ ଯାଇଛି। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କାମ ଶେଷ ହେବାର ସମ୍ଭାବନା କମ। ତେଣୁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନରୁ ବାଦ ପଡ଼ିବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ‌ଏହି ରିପୋର୍ଟକୁ ଦେଖି ରାଗି ଯାଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି। ନବୀକରଣ କାମ ଦ୍ରୁତଗତିରେ ଚାଲିଛି ଓ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଷ୍ଟାଡିୟମଗୁଡ଼ିକ ସହ ଜଡ଼ିତ ସମସ୍ତ କାମ ଶେଷ ହୋଇଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।

Advertisment

ଚାମ୍ପିୟନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ। ୮ ଟିମକୁ ନେଇ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ ଖେଳାଯିବ। ମାର୍ଚ୍ଚ ୯ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦାଫି ଷ୍ଟାଡିୟମ ଓ କରାଚିର ନ୍ୟାଶନାଲ ବ୍ୟାଙ୍କ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବାର ଅଛି। ଭାରତ ତା’ର ମ୍ୟାଚ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ।

ତେବେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପାଇଁ ଷ୍ଟାଡିୟମଗୁଡ଼ିକ ନବୀକରଣ କରୁଛି। ଗତବର୍ଷ ଅଗଷ୍ଟ ୧ରୁ କାମ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୧ ସୁଦ୍ଧା ଏହା ସରିବାର ଥିଲା। କିନ୍ତୁ ଏଯାଏ କାମ ଶେଷ ହୋଇ ନଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଖୁବଶୀଘ୍ର ଆଇସିସି ୩ଟି ଯାକ ଷ୍ଟାଡିୟମର ଯାଞ୍ଚ ପାଇଁ ଟିମ ପଠାଇବ। ଯଦି ଫେବୃଆରୀ ୧୨ରେ ଷ୍ଟାଡିୟମଗୁଡ଼ିକୁ ପିସିବି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସିକୁ ହସ୍ତାନ୍ତର ନ କରିବ, ତା’ହେଲେ ଚାମ୍ପିୟନ୍ସ ଟ୍ରଫି ୟୁଏଇକୁ ସ୍ଥାନାନ୍ତର ହୋଇଯିବ।

Advertisment

ଏସବୁ ଭିତରେ ପିସିବି କହିଛି,“ସବୁ କାମ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହୋଇଯିବ। ପାକିସ୍ତାନ ବେଶ ସଫଳତାର ସହ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବ। କୌଣସି ଗୁଜବ ଉପରେ ବିଶ୍ୱାସ କରିବାର ଆବଶ୍ୟକ ନାହିଁ। ଆମେ ଆମର ଶ୍ରେଷ୍ଠ ଦେବାକୁ ପ୍ରତିଶ୍ରୁତିବଦ୍ଧ। କିଛି ଲୋକ ଅଛନ୍ତି ଯେଉଁମାନେ ସୋଶାଲ ମିଡିଆରେ ପାକିସ୍ତାନକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ସମସ୍ତେ କିଏ, ସେକଥା ଆମେ ଜାଣିଛୁ। ସେମାନେ କାହିଁକି ଏସବୁ କରୁଛନ୍ତି, ସେକଥା ମଧ୍ୟ ଆମକୁ ଜଣା।”

ଅନ୍ୟପକ୍ଷରେ ପିସିବି ବୁଧବାର ତ୍ରିପାକ୍ଷିକ ଦିନିକିଆ ସିରିଜର ଭେନ୍ୟୁକୁ ବଦଳାଇ ଦେଇଛି। ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡକୁ ନେଇ ତ୍ରିପାକ୍ଷିକ ସିରିଜ ହେବ। ପୂର୍ବରୁ ମ୍ୟାଚଗୁଡ଼ିକ ମୁଲତାନରେ ହେବାର ଥିଲା। କିନ୍ତୁ ଏବେ କରାଚି ଓ ଲାହୋରରେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ। ୧୯୯୬ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟ ନିଜ ମାଟିରେ ଆୟୋଜନ କରିବାକୁ ଯାଉଛି। ଏହାକୁ ନେଇ ପିସିବି ବେଶ ଉତ୍ସାହିତ।

ICC PCB Champions Trophy