ପାକିସ୍ତାନ ଅଧିନାୟକ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟରେ ହାରିଥିବା ପାକିସ୍ତାନ ସୁପର ୮ରୁ ଆଗକୁ ଯାଇ ପାରିନାହିଁ। ଦଳର ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ପାକିସ୍ତାନ କ୍ରିକେଟ ଟିମ ସେମି ଫାଇନାଲକୁ ଯିବାରେ ବିଫଳ ହେବା ଓ ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟରେ ହାରିଥିବାରୁ ଏବେ ସେମାନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଜାତୀୟ ଟିମର ଖେଳାଳିଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି। ଜାତୀୟ ଟିମର ଖେଳାଳିଙ୍କ ଉପରେ ପିସିବି ପାକିସ୍ତାନ ମୁଦ୍ରା ୫ ମିଲିୟନ ବା ୧୬.୨୮ ଲକ୍ଷ ଟଙ୍କା ଲେଖାଏ ଫାଇନ ଲାଗୁ କରିଛି। ଏନେଇ ଏକ୍ସପ୍ରେସ ଟ୍ରିବ୍ୟୁନରେ ଖବର ପ୍ରକାଶ ପାଇଛି।
ରିପୋର୍ଟରେ ଦାବି କରାଯାଇଛି ଯେ ଜୋରିମାନା ଲାଗୁ ନିଷ୍ପତ୍ତି ପିସିବି ଭାରତ ବିପକ୍ଷ ମ୍ୟାଚ୍ ପାକିସ୍ତାନ ହାରିବା ପରଠାରୁ ନେଇ ସାରିଥିଲା। କିନ୍ତୁ ପାକିସ୍ତାନ ସୁପର ୮ରୁ ବିଦା ହେବା ପରେ ଜୋରିମାନା ନିର୍ଦ୍ଦେଶ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ହାରିଥିଲେ ମଧ୍ୟ ସୁପର ୮କୁ ଯାଇଥିଲା।
ଦଳ ସେଠାରେ ଇଂଲଣ୍ଡ ଠାରୁ ହାରିଥିଲା ଓ ଶ୍ରୀଲଙ୍କା ଠାରୁ ମାତ୍ର ୫ ରନରେ ଜିତିଥିଲା। ଶ୍ରୀଲଙ୍କା ବିପକ୍ଷ ବିଜୟ ସତ୍ତ୍ୱେ ଦୁର୍ବଳ ରନ ରେଟ ପାଇଁ ପାକିସ୍ତାନ ସେମିରେ ପହଞ୍ଚି ପାରି ନାହିଁ। ଟି-୨୦ ବିଶ୍ୱକପରେ ପାକିସ୍ତାନ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ପିସିବି ଅଧିକାରୀମାନେ ଏହାକୁ ନେଇ କ୍ଷୁବ୍ଧ ରହିଛନ୍ତି।
ପୁଣି ଗୋଟିଏ ଆଇସିସି ଇଭେଣ୍ଟରେ ପାକିସ୍ତାନ ସେମିରେ ପହଞ୍ଚିବାକୁ ବିଫଳ ହୋଇଥିବାରୁ ପିସିବି ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି। ସେହିପରି ପାକିସ୍ତାନ ଖେଳାଳିଙ୍କ ବିଶ୍ୱକପ ପ୍ରଦର୍ଶନକୁ ଦେଶର ଅନେକ ପୂର୍ବତନ ଖେଳାଳି ସମାଲୋଚନା କରିଛନ୍ତି।
ତେଣୁ ଆଗାମୀ ଦିନରେ ପାକିସ୍ତାନ ଟି-୨୦ ଅଧିନାୟକ ସଲମାନ ଅଲୀ ଆଗାଙ୍କ ପଦବ ମଧ୍ୟ ଯାଇପାରେ। ସେହିପରି କୋଚ ମାଇକ ହେସନଙ୍କୁ ବି ପିସିବି ବିଦା କରିପାରେ। ପାକିସ୍ତାନର ବ୍ୟାଟିଂ ସବୁଠାରୁ ଚିନ୍ତାଜନକ ରହିଥିବାରୁ ଏହା ଉପରେ ପିସିବି ବିଶେଷ ଧ୍ୟାନ ଦେବାକୁ ଚିନ୍ତା କରୁଛି।
ଦଳରେ ଥିବା ବାବର ଆଜମ, ଅଧିନାୟକ ସଲମାନ ଅଲୀ, ଶାଦାବ ଖାନ, ଶାହୀନ ଶାହ ଆଫ୍ରିଦି ଓ ମହମ୍ମଦ ନୱାଜଙ୍କୁ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏପରି କି ସଲମାନ ଅଲୀ ଆଗା ପାକିସ୍ତାନ ଫେରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/02/pakistan-2026-03-02-16-46-13.jpg)