ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରି ନିଜ ଭାଗ୍ୟ ବଦଳାଇବାକୁ ଚେଷ୍ଟା କରିଥିଲା। ରାଜନୀତିକ ଅସ୍ଥିରତା ଯୋଗୁ ପାକିସ୍ତାନ ଆର୍ଥିକ ସଙ୍କଟ ମଧ୍ୟରେ ପୂର୍ବରୁ ରହିଥିଲା। ତଥାପି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ପ୍ରବଳ ରାଜସ୍ୱ ଆୟ କରିବା ଲକ୍ଷ୍ୟରେ ନିଜର ସବୁ କିଛି ବାଜିରେ ଲଗାଇ ଦେଇଥିଲା।
ପାକିସ୍ତାନ କ୍ରିକେଟ ବୋର୍ଡ ଭାବିଥିଲା ଚାମ୍ପିୟନ୍ସ ଟ୍ରଫିରେ ଭଲ ଆୟ ହେବ। କିନ୍ତୁ ପାକିସ୍ତାନ ଟିମ ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ହେଲେ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି। ଘରୋଇ ପରିବେଶରେ ଦଳ କେବଳ ଗୋଟିଏ ମ୍ୟାଚ୍ ହିଁ ଖେଳିବାକୁ ସକ୍ଷମ ହୋଇଛି। ଏଥିଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
ପିସିବିର ସବୁ ଆଶା ଦୁଃସ୍ୱପ୍ନରେ ପରିଣତ ହୋଇଛି। ଲାଭ ବଦଳରେ ପିସିବିକୁ ସହିବାକୁ ପଡ଼ିଛି କୋଟି କୋଟିର କ୍ଷତି। ୧୯୯୬ ପରେ କୌଣସି ଆଇସିସି ଇଭେଣ୍ଟ ଆୟୋଜନ କରୁଥିବାରୁ ଏହାକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଥିଲା। ହେଲେ ଘରୋଇ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ପାକିସ୍ତାନ ପ୍ରବଳ କ୍ଷତି ସହିଛି।
ଦି ଟେଲିଗ୍ରାଫର ରିପୋର୍ଟ ଅନୁସାରେ ପିସିବି କରାଚି, ଲାହୋର ଓ ରାୱଲପିଣ୍ଡି ଷ୍ଟାଡିୟମର ନବୀକରଣ କରିବାକୁ ୫୬୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏହା ପ୍ରାରମ୍ଭିକ ବଜେଟ ଠାରୁ ୫୦% ଅଧିକ। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ ଋଣ କରି ଅର୍ଥ ଖର୍ଚ୍ଚ କରିବାକୁ ପଛାଇ ନଥିଲା। କାରଣ ଆଶା ଥିଲା ଯେ ଚାମ୍ପିୟନ୍ସ ଟ୍ରଫିରୁ ସବୁ କିଛି ଆୟ ହୋଇଯିବ। ହେଲେ ପାକିସ୍ତାନ ଟିମର ନୈରାଶଜ୍ୟକ ପ୍ରଦର୍ଶନ କରିବାରୁ ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ୱ ପାକିସ୍ତାନରେ ହ୍ରାସ ପାଇଥିଲା।
ପାକିସ୍ତାନ ଲିଗ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲ୍ୟାଣ୍ଡରୁ ଏକତରଫା ଭାବେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଆୟୋଜକ ପାକିସ୍ତାନ ସର୍ତ୍ତ ଅନୁସାରେ ଦୁବାଇରେ ପହଞ୍ଚିଥିଲା। ଏଠାରେ ମଧ୍ୟ ଦଳକୁ ଭାରତ ଠାରୁ ହାରିବାକୁ ପଡ଼ିଥିଲା। ଦୁଇଟି ମ୍ୟାଚ୍ ହାରିବାରୁ ପାକିସ୍ତାନର ସେମି ଫାଇନାଲ ଆଶା ମଉଳି ଯାଇଥିଲା। ତଥାପି ଶେଷ ଲିଗ ମ୍ୟାଚ୍ ଦଳ ନିଜ ଦେଶରେ ଖେଳିବାକୁ ଯାଇଥିଲା। ହେଲେ ବର୍ଷା ଯୋଗୁ ଗୋଟିଏ ବଲ ପଡ଼ି ପାରି ନଥିଲେ। ତେଣୁ ନିୟମ ଅନୁସାରେ ପିସିବିକୁ ମ୍ୟାଚ୍ର ସମସ୍ତ ଟିକେଟ ପଇସାକୁ ଲୋକଙ୍କୁ ଫେରାଇବାକୁ ପଡ଼ିଥିଲା।
ସେହିପରି ଚାମ୍ପିୟନ୍ସ ଟ୍ରଫିର ଅନ୍ୟାନ୍ୟ ପ୍ରସ୍ତୁତି ପାଇଁ ପିସିବିକୁ ଆଉ ୩୪୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏହାର ଅର୍ଥ ପିସିବି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରାୟ ୯୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ହେଲେ ଏହା ବଦଳରେ ପିସିବି କେବଳ ୫୨ କୋଟି ଟଙ୍କା ଆୟୋଜନ ଫି’ ଓ ଟିକେଟ ବିକ୍ରିରୁ ହାସଲ କରିଛି। ପିସିବି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ୭୩୯ କୋଟି ଟଙ୍କାର କ୍ଷତି ସହିଛି।
ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିବା ବେଳେ ଫାଇନାଲ ଦୁବାଇରେ ଖେଳା ଯାଇଥିଲା। କାରଣ ଭାରତ ଫାଇନାଲକୁ ଯାଇଥିବାରୁ ସର୍ତ୍ତ ଅନୁସାରେ ଫାଇନାଲ ଦୁବାଇରେ ଖେଳା ଯାଇଥିଲା। ଫାଇନାଲ ଆୟୋଜନରୁ ବଞ୍ଚିତ ହୋଇଥିବା ପାକିସ୍ତାନ ପୁଣି ଆର୍ଥିକ କ୍ଷତି ସହିଥିଲା। କୌତୁହଳର ବିଷୟ ହେଲା ଯେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିଲେ ହେଁ ନିଜ ଦେଶରେ କେବଳ ଗୋଟିଏ ମ୍ୟାଚ ଖେଳି ପାରିଛି। ଏଥିଯୋଗୁ ସ୍ଥାନୀୟ ଦର୍ଶକଙ୍କ ଠାରୁ ରାଜସ୍ୱ ଆୟ କରିବା ସୁଯୋଗକୁ ପାକିସ୍ତାନ ହାତ ଛଡ଼ା କରିଛି।
ଆର୍ଥକ କ୍ଷତି ପରେ ଖେଳାଳିଙ୍କ ଉପରେ ପିସିବି ଖପ୍ପା
ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଘାଟା ସହିଥିବା ପିସିବି ଏବେ ସ୍ଥାନୀୟ ଖେଳାଳିଙ୍କ ଉପରେ ନିଜର ରାଗ ସୁଝାଇଛି। ଆର୍ଥିକ ଭରଣା ପାଇଁ ପିସିସବି କଷ୍ଟ କଟିଂ ବ୍ୟବସ୍ଥା ଆପଣାଇଛି। ପିସିବି ପକ୍ଷରୁ ଜାତୀୟ ଟି-୨୦ ଚାମ୍ପିୟନଶିପରେ ଭାଗ ନେଇଥିବା ସ୍ଥାନୀୟ ଖେଳାଳିଙ୍କ ମ୍ୟାଚ୍ ଫି’କୁ ୯୦% କାଟି ଦିଆଯାଇଥିଲା। ପୂର୍ବରୁ ଘରୋଇ କ୍ରିକେଟରେ ଖେଳାଳିମାନେ ମ୍ୟାଚ୍ ପିଛା ୪୦ ହଜାର ଟଙ୍କା ପାଉଥିଲେ। କିନ୍ତୁ ଏହାକୁ ଏବେ ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ହେବାରୁ ପିସିବି ଅଧ୍ୟକ୍ଷ ମୋହସିନ ନକବୀ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜଣାପଡ଼ିଛି। ତେବେ ଖେଳାଳିଙ୍କୁ ମ୍ୟାଚ୍ ଫି’ ବାବଦରେ ୩୦ ହଜାର ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ଏହା ଗତବର୍ଷ ତୁଳନାରେ ୧୦ ହଜାର କମ।
ସେହିପରି ସଂରକ୍ଷିତି ଖେଳାଳିଙ୍କ ଟଙ୍କା ମଧ୍ୟ ୮୭.୫% କମାଇ ଦିଅଯାଇଛି। ପିସିବି ଘରୋଇ ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିଙ୍କୁ ୫ଷ୍ଟାର ହୋଟେଲରେ ରଖୁଥିଲା। କିନ୍ତୁ ଏବେ ସେମାନଙ୍କୁ କମ ଦାମରେ ଲଜରେ ରଖିବାକୁ ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।