Advertisment

ମୋଦି ଷ୍ଟାଡିୟମରେ ମାଟି କାମୁଡ଼ିଲା ଇଂଲଣ୍ଡ

ଅହମ୍ମଦାବାଦ: ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ଏବଂ ବ୍ୟାଟ୍ସମ୍ୟାନଙ୍କ ପାଇଁ ମରଣଯନ୍ତା ପାଲଟିଲା ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ। ନରେନ୍ଦ୍ର ମୋଦି ନାମରେ ନାମିତ ଏହି ନବନିର୍ମିତ ଷ୍ଟାଡିୟମରେ ମାତ୍ର ଦୁଇ ଦିନରେ ଫଇସଲା ହୋଇଛି। ନିଜର ପାରମ୍ପରିକ ଅସ୍ତ୍ର ବଳରେ ମ୍ୟାଚକୁ ମାତ୍ର ଦୁଇ ଦିନରେ ହାସଲ କରି ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମୋଦି ଷ୍ଟାଡିୟମରେ ମାଟି କାମୁଡ଼ିଲା ଇଂଲଣ୍ଡ

india111

ଅହମ୍ମଦାବାଦ: ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ଏବଂ ବ୍ୟାଟ୍ସମ୍ୟାନଙ୍କ ପାଇଁ ମରଣଯନ୍ତା ପାଲଟିଲା ଦୁନିଆର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ। ନରେନ୍ଦ୍ର ମୋଦି ନାମରେ ନାମିତ ଏହି ନବନିର୍ମିତ ଷ୍ଟାଡିୟମରେ ମାତ୍ର ଦୁଇ ଦିନରେ ଫଇସଲା ହୋଇଛି। ନିଜର ପାରମ୍ପରିକ ଅସ୍ତ୍ର ବଳରେ ମ୍ୟାଚକୁ ମାତ୍ର ଦୁଇ ଦିନରେ ହାସଲ କରି ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଅଗ୍ରଣୀ ହାସଲ କରିନେଇଛି। ସିରିଜର ଶେଷ ଟେଷ୍ଟ ମଧ୍ୟ ଅହମ୍ମଦାବାଦରେ ଖେଳାଯିବ।

Advertisment

ଅକ୍ଷର ପଟେଲ ଓ ଅଶ୍ୱିନଙ୍କ ସ୍ପିନ୍ ଆଟାକ୍ ପୁଣିଥରେ ଇଂଲିଶ ଟିମ୍ ପାଇଁ କାଳ ହୋଇଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଏହି ଦୁଇ ସ୍ପିନରଙ୍କ ଆଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଆତ୍ମସମର୍ପଣ କରିଥିଲେ ଏବଂ ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲେ। ଯାହା ଫଳରେ ଭାରତକୁ ମାତ୍ର ୪୯ ରନର ଟାର୍ଗେଟ୍ ମିଳିଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ମାତ୍ର ୭.୪ ଓଭରରେ ବିନା ୱିକେଟ୍‌ ହରାଇ ହାସଲ କରିନେଇଛି। ଦୁଇ ଓପ୍ନର ରୋହିତ୍ ଓ ଶୁବମନ୍ କୌଣସି ଭୁଲ୍ ନକରି ଶେଷ ପର୍ଯ୍ୟନ୍ତ କ୍ରିଜରେ ଅପରାଜିତ ଥିଲେ। ରୋହିତ୍ ୨୫ ବଲରେ ୩ ଚୌକା ଓ ୧ ଛକା ସହ ୨୫ ଏବଂ ଗିଲ୍ ୨୧ ବଲରେ ୧ ଚୌକା ଓ ୧ ଛକା ସହ ୧୫ ରନ୍ କରି ଅପରାଜିତ ଥିଲେ।

ପୂର୍ବରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଘାତକ ସ୍ପିନ୍ ବଳରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଟିମକୁ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନରେ ଅଲଆଉଟ୍ କରିଥିଲା। ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଏହି କଠିନ ପିଚରେ ତିଷ୍ଠିପାରିନଥିଲେ। ଦଳ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ କରିଥିବା ବେଳେ କ୍ୟାପଟେନ୍ ଜୋ ରୁଟ୍ ୧୯, ଓଲି ପୋପ୍ ୧୨ ରନ୍ କରିଥିଲେ। ତେବେ ଡମ୍ ସିବଲେ (୭), ଜ୍ୟାକ୍ କ୍ରଲୀ (୦), ଜନ୍ନି ବେୟାରଷ୍ଟୋ (୦), ବେନ୍ ଫୋକ୍ସ (୮), ଜୋଫ୍ରା ଆର୍ଚର୍ (୦), ଜ୍ୟାକ୍ ଲିଚ୍ (୯) ଓ ଜେମ୍ସ ଆଣ୍ଡରସନ୍ (୦) ଦୁଇ ଅଙ୍କ ଛୁଇଁପାରିନଥିଲେ। ଷ୍ଟୁଆର୍ଟ ବ୍ରଡ୍ ୧ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ପୁଣିଥରେ କମାଲ୍‌ କରିଛନ୍ତି। ସେ ୩୨ ରନ୍ ଦେଇ ୫ଟି ଓ ଅଶ୍ୱିନ୍ ୪୮ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍‌ ନେଇଛନ୍ତି।

Advertisment

ଦ୍ୱିତୀୟ ଦିବସରେ ଭାରତ ତା'ର ପୂର୍ବଦିନର ସ୍କୋର ୯୯/୩ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ଅଜିଙ୍କ୍ୟ ରାହାଣେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ଖରାପ ଶଟ୍ ଖେଳି ନିଜ ନିଜର ୱିକେଟ ହରାଇ ବସିଥିଲେ। ଟିମ୍‌ର ସ୍କୋର ୧୧୪ ଥିବା ବେଳେ ରାହାଣେ(୭)ଙ୍କୁ ଲିଚ୍ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଲିଚ୍ ନିଜର ପରବର୍ତ୍ତୀ ଓଭରରେ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କ ମଧ୍ୟ ଏଲବିଡବ୍ଲ୍ୟୁ କରି ଭାରତର ଅଧା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ରୋହିତ୍ ୯୬ ବଲରେ ୧୧ ଚୌକା ସହ ୬୬ ରନ କରିଥିଲେ।

ରୋହିତଙ୍କ ଆଉଟ୍ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବସିଥିଲା। ବାମହାତୀ ବ୍ୟାଟ୍ସମ୍ୟାନ୍ ଅର୍ଥାତ ଋଷଭ ପନ୍ତ କ୍ରିଜକୁ ଆସିବା ପରେ ରୁଟ୍ ନିଜେ ବୋଲିଂ କରିବାକୁ ଆସିଥିଲେ। କାମଚଳା ସ୍ପିନର୍ ରୁଟ୍ ଅବିଶ୍ୱସନୀୟ ବୋଲିଂ କରି ଭାରତର ଲୋୟର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଦୌ ସେଟ୍ ହେବାକୁ ଦେଇନଥିଲେ। ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରିଥିବା ପନ୍ତ ମାତ୍ର ୧ ରନ୍ କରି ରୁଟ୍‌ଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ରୁଟ୍।

ଅନ୍ୟତମ ବାମହାତୀ ବ୍ୟାଟ୍ସମ୍ୟାନ୍ ଅକ୍ଷର ପଟେଲ୍ (୦) ରୁଟଙ୍କ ସ୍ପୀନ୍ ଆଗରେ ତିଷ୍ଠି ପାରିନଥିଲେ। ଅଶ୍ୱିନ୍ କିଛି ସମୟ କ୍ରିଜରେ ରହି ଭାରତକୁ ଭଲ ଲିଡ୍ ଦେବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ଆଉଟ୍ କରି ରୁଟ୍ ଭାରତର ନବମ ୱିକେଟ୍ ପତନ କରିଥିଲେ। ଅଶ୍ୱିନ୍ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଶେଷ ୱିକେଟ୍ ଭାବେ ଯଶପ୍ରୀତ ବୁମ୍ରା ୧ ରନ୍ କରି ରୁଟଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଈଶାନ୍ତ ଶର୍ମା ୧୦ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରୁଟ୍ ମାତ୍ର ୮ ରନ୍ ଦେଇ ୫ଟି ଓ ଲିଚ୍ ୫୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୨୨୭ ରନ୍‌ରେ ଜିତି ନେଇଥିଲା। ତେବେ ଭାରତ ଜବରଦସ୍ତ କମବ୍ୟାକ୍ କରି ଦ୍ୱିତୀୟ ଟେଷ୍ଟକୁ ୩୧୭ ଜିତି ସିରିଜକୁ ବରାବର କରିଥିଲା। ତୃତୀୟ ଟେଷ୍ଟ ଜିତି ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଛି।

India Vs England