Advertisment

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିଲେ ନିକୋଲସ ପୂରନ

ପୂରନଙ୍କ ଏହି ଅପ୍ରତ୍ୟାଶିତ ଅବସର ପୂର୍ବରୁ ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟର ହେନରିଚ କ୍ଲାସେନ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

WI

WI

Advertisment

ଟି-୨୦ କ୍ରିକେଟରେ ଅନ୍ୟତମ ବିସ୍ଫୋରକ ବ୍ୟାଟର ତଥା ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ନିକୋଲସ ପୂରନ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଏହାର ଅର୍ଥ ୱେଷ୍ଟଇଣ୍ଡିଜ ପାଇଁ ପୂରନଙ୍କୁ କ୍ରିକେଟର ୩ଟି ଯାକ ଫର୍ମାଟରେ ଆଉ ଦେଖିବାକୁ ମିଳିବ ନାହିଁ।

Advertisment

ପୂରନଙ୍କ ଏହି ଅପ୍ରତ୍ୟାଶିତ ଅବସର ପୂର୍ବରୁ ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟର ହେନରିଚ କ୍ଲାସେନ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଉଭୟ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଛାଡ଼ି ଥିଲେ ହେଁ ଆଇପିଏଲ ସମେତ ବିଭିନ୍ନ ପ୍ରାଞ୍ଚାଇଜ ଟି-୨୦ ଲିଗରେ ନଜର ଆସିବେ।

ନିଜର ଅବସର ସମ୍ପର୍କରେ ପୂରନ କହିଛନ୍ତି, “ଅନେକ କିଛି ବିଚାର ବିମର୍ଶ ଓ ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଖେଳ ମୋତେ ଅନେକ କିଛି ଦେଇଛି। ଆଗକୁ ମଧ୍ୟ ଅନେକ କିଛି ଦେବ। ଖୁସି ଠାରୁ ଆରମ୍ଭ କରି ଅନେକ ସ୍ମରଣୀୟ ମୁହୂର୍ତ୍ତ ମୋ ପାଇଁ ରହିଛି। ଏହି ଖେଳ ମୋତେ ୱେଷ୍ଟଇଣ୍ଡିଜକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିଲା।”

Advertisment

୨୯ ବର୍ଷୀୟ ପୂରଣ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ଟି-୨୦ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୬ ମ୍ୟାଚ୍‌ରେ ୨୨୭୫ ରନ କରିଛନ୍ତି। ୨୦୧୬ରେ ପୂରନ ପାକିସ୍ତାନ ବିପକ୍ଷ ଟି-୨୦ରେ ନିଜର ଡେବ୍ୟୁ କରିଥିଲେ। ଏହାର ୩ ବର୍ଷ ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ସୁଯୋଗ ମିଳିଥିଲା। ୨୦୨୨ରେ ପୂରନଙ୍କୁ ୱେଷ୍ଟଇଣ୍ଡିଜର ଧଳା ବଲ କ୍ରିକେଟ ଟିମର ଅଧିନାୟକ କରାଯାଇଥିଲା। କିନ୍ତୁ ସେହି ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପରେ ଇଣ୍ଡିଜ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।

ଏଥିଯୋଗୁ ସେ କ୍ୟାପ୍ଟେନ ପଦ ଛାଡ଼ି ଦେଇଥିଲେ। ଶେଷଥର ପାଇଁ ତାଙ୍କୁ ୨୦୨୪ ଡିସେମ୍ବରରେ ୱେଷ୍ଟଇଣ୍ଡିଜ ପାଇଁ ଖେଳୁଥିବା ଦେଖା ଯାଇଥିଲା। ୨୦୨୪ରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା(୧୭୦) ମାରିବାର ରେକର୍ଡ କରିଥିଲେ। ୨୦୨୫ ଆଇପିଏଲରେ ପୂରନ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ୫ଟି ଅର୍ଦ୍ଧଶତକ ସହ ୫୨୪ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୯୬.୨୫ ରହିଥିଲା। ଆଶା କରାଯାଉଥିଲା ଯେ ୨୦୨୬ ଟି-୨୦ ବିଶ୍ୱକପରେ ପୂରନଙ୍କୁ ଇଣ୍ଡିଜ ଟିମରେ ଦେଖିବାକୁ ମିଳିବ। କିନ୍ତୁ ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଛନ୍ତି।

ଆଗକୁ ତାଙ୍କୁ ଏମଏଲସି ଓ ଦ ହଣ୍ଡରେଡ୍‌ ଭଳି ପ୍ରାଞ୍ଚାଇଜ ଲିଗରେ ଦେଖିବାକୁ ମିଳିବ। ଆଇପିଏଲ ଓ ସିପିଏଲ ବ୍ୟତୀତ ପୂରନ ୟୁଏଇରେ ଅନୁଷ୍ଠିତ ହେଉଥିବା ଆଇଏଲ ଟି-୨୦ ମଧ୍ୟ ନିୟମିତ ଖେଳନ୍ତି। ଟି-୨୦ରେ ଇଣ୍ଡିଜ ପାଇଁ ୨୨୭୫ ରନ କରିଥିବା ପୂରନ ଦିନିକିଆରେ ମାତ୍ର ୧୯୮୩ ରନ କରିଥିଲେ।

Cricket Nicholas Pooran WestIndies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe