/odisha-reporter/media/post_attachments/uploadimage/library/16_9/16_9_0/shaw_1751897757.jpg)
shaw
ମୁମ୍ବାଇ କ୍ରିକେଟ ଆସୋସିଏସନ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି ଯୁବ ବ୍ୟାଟର ପୃଥ୍ୱୀ ଶ’। ଆସନ୍ତା ଘରୋଇ ସିଜିନରୁ ସେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ବା ଏମସିଏ ପକ୍ଷରୁ ଖେଳିବେ। ପୃଥ୍ୱୀ ଶ’ଙ୍କ ଏପରି ଦଳ ବଦଳ ମହାରାଷ୍ଟ୍ରକୁ ଅଧିକ ସଶକ୍ତ କରିବେ ବୋଲି ଆଶା ପ୍ରକାଶ ପାଇଛି। ପୃଥ୍ୱୀ ଏକଦା ଭାରତୀୟ ଟେଷ୍ଟ, ଟି-୨୦ ଓ ଦିନିକିଆ ଦଳରେ ସୁଯୋଗ ପାଇଥିଲେ।
ତାଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଆଇପିଏଲରେ ମଧ୍ୟ ସେ କମାଲ କରିଥିଲେ। କିନ୍ତୁ ସମୟକ୍ରମେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା। କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ଆଉ ରହି ନଥିଲା। ଏଥିପାଇଁ ସେ ଧୀରେଧୀରେ ସାଇଡଲାଇନ ହୋଇଯାଇଥିଲେ। ଏବେ ସେ ପୁଣି କମବ୍ୟାକ କରିବାକୁ ନଜର ରଖିଛନ୍ତି। ଏଥିପାଇଁ ମହାରାଷ୍ଟ୍ର ପକ୍ଷରୁ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଚାହୁଁଛି ପୃଥ୍ୱୀ।
୨୦୧୮ରେ ପୃଥ୍ୱୀଙ୍କ ନେତୃତ୍ୱରେ ଭାରତ ଅଣ୍ଡର ୧୯ ବିଶ୍ୱକପ ଜିତିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟରେ ପୃଥ୍ୱୀ ୧୩ଟି ଶତକ ସହ ୪୫୦୦ରୁ ଅଧିକ ରନ କରିଛନ୍ତି। ପୃଥ୍ୱୀ ମୁମ୍ବାଇ ଛାଡ଼ିବା ସମ୍ପର୍କରେ କହିଛନ୍ତି, “ମୋ କ୍ୟାରିୟରର ବର୍ତ୍ତମାନ ପର୍ଯ୍ୟାୟରେ ମୁଁ ବିଶ୍ୱାସ ରଖିଛି ଯେ ମହାରାଷ୍ଟ୍ର ଟିମ ମୋତେ ଆଗକୁ ନେବାରେ ସହାୟକ ହେବ। ବିଗତ ବର୍ଷ ଧରି ମୋତେ ମିଳିଥିବା ସମର୍ଥନ ଓ ସୁଯୋଗ ପାଇଁ ମୁଁ ମୁମ୍ବାଇ କ୍ରିକେଟ ଆସୋସିଏସନକୁ କୃତଜ୍ଞତା ଜଣାଉଛି। ମହାରାଷ୍ଟ୍ର କ୍ରିକେଟ ଆସୋସିଏସନନ ଏବେ ପୂରା ରାଜ୍ୟରେ କ୍ରିକେଟ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଉଲ୍ଲେଖନୀୟ ପଦକ୍ଷେପ ସବୁ ନେଇଛି।
ମହାରାଷ୍ଟ୍ର ପ୍ରିମିୟର ଲିଗ, ମହିଳା ଏମମିପିଏଲ, କର୍ପୋରେଟ ସ୍ଲିଡ ଓ ଡିବି ଦେଓଧର ଟୁର୍ଣ୍ଣାମେଣ୍ଟ ଆଦି ଆସୋସିଏସନର ଦୂରଦୃଷ୍ଟିକୁ ପ୍ରଦର୍ଶନ କରୁଛି। ଏଭଳି ଏକ ସଂସ୍ଥା ସହ ଯୋଡ଼ି ହେଲେ ଏହା ନିଶ୍ଚିତ ମୋ କ୍ୟାରିୟର ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ମୋର ବିଶ୍ୱାସ। ଋତୁରାଜ ଗାଏକ୍ୱାଡ, ଅଙ୍କିତ ବାୱନେ, ରାହୁଲ ତ୍ରିପାଠୀ, ରାଜେଶ ଗୁରବାନୀ ଓ ମୁକେଶ ଚୌଧୁରୀଙ୍କ ଭଳି ଖେଳାଳିଙ୍କ ଖେଳିବାକୁ ମୁଁ ସୁଯୋଗ ପାଇବି।”
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ପୃଥ୍ୱୀ ଶଙ୍କୁ ସ୍ୱାଗତ କରାଯାଇଛି। ଆଗାମୀ ରଣଜୀ ଋତୁରୁ ଶ’ ମହାରାଷ୍ଟ୍ର ପାଇଁ ଖେଳିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
