/odisha-reporter/media/media_files/2025/12/17/shaw-2025-12-17-09-55-43.jpg)
ପୃଥ୍ୱୀ ଶ’
ଆଇପିଏଲ(IPL Auction)ରେ ନିଜର ପୁରୁଣା ଟିମକୁ ଫେରିଛନ୍ତି ଯୁବ ବ୍ୟାଟର ପୃଥ୍ୱୀ ଶ’। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ବେସ୍ ପ୍ରାଇସ ୭୫ ଲକ୍ଷ ଟଙ୍କାରେ କିଣିଛି। ମଙ୍ଗଳବାର ଅବୁଧାବିରେ ଅନୁଷ୍ଠିତି ମିନି ଅକ୍ସନରେ ଶ’ଙ୍କୁ ପ୍ରଥମ ଦୁଇଟି ରାଉଣ୍ଡରେ କେହି ବି କିଣି ନଥିଲେ। କିନ୍ତୁ ତୃତୀୟ ଥର ତାଙ୍କ ନାଁ ଆସିବା କ୍ଷଣୀ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣି ନେଇଛି। ଏଥିସହ ଶ’ଙ୍କ ଘର ବାହୁଡ଼ା ହୋଇଛି।
ଆଇପିଏଲରେ ଶ’ ଡେବ୍ୟୁ ଦିଲ୍ଲୀ ପକ୍ଷରୁ ହିଁ କରିଥିଲେ। ୭ଟି ସଂସ୍କରଣ ସେ ଦିଲ୍ଲୀ ସହ ରହିବା ପରେ ୨୦୨୫ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ଦଳ ରିଲିଜ କରି ଦେଇଥିଲା। ୨୦୨୫ରେ ତାଙ୍କୁ ଆଉ କୌଣସି ଦଳ କିଣି ନଥିଲେ। ହେଲେ ଏବେ ୨୬ ବର୍ଷୀୟ ମହାରାଷ୍ଟ୍ର ବ୍ୟାଟରଙ୍କୁ ଦିଲ୍ଲୀ ପୁଣି କିଣିଛି।
ମିନି ଅକ୍ସନ ଆରମ୍ଭରେ ଶ’ଙ୍କ ନାଁ ଆସିଥିଲେ ହେଁ ତାଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇ ନଥିଲେ। ଏହାପରେ ଆଉ ଗୋଟିଏ ରାଉଣ୍ଡରେ ମଧ୍ୟ ଶ’ଙ୍କ ନାଁ ଆସିଥିଲା। ତଥାପି ସେ ବିକ୍ରି ହୋଇ ନଥିଲେ। ତେବେ ଶେଷ ରାଉଣ୍ଡରେ ପୁଣି ୧୧ ଜଣ ଖେଳାଳିଙ୍କ ନାଁ ବିଡ ଟେବୁଲକୁ ଆସିଥିଲା। ଏତିକି ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଛି।
ଦିଲ୍ଲୀ କ୍ୟାପିଟାଲ ନ କିଣିବା ପୂର୍ବରୁ ଶ’ ଦୁଃଖ ପୋଷ୍ଟ ନିଜ ଇନଷ୍ଟାଗ୍ରାମରେ କରିଥିଲେ। ହେଲେ ଦିଲ୍ଲୀ ତାଙ୍କୁ ୯.୧୭ରେ କିଣିବା ପରେ ନିଜର ପୋଷ୍ଟକୁ ସେ ଡିଲିଟ କରି ଦେଇଥିଲେ। ଏହାପରେ ସେ ‘ବ୍ୟାକ ଟୁ ମାଇଁ ଫ୍ୟାମିଲୀ’ ବୋଲି ଗୋଟିଏ ପୋଷ୍ଟ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଅଧିନାୟକ ଅକ୍ଷର ପଟେଲଙ୍କ ସହ ଶ’ ଉଠାଇଥିବା ସେଲିଫକୁ ପୋଷ୍ଟ କରି ତାଙ୍କ ସ୍ୱାଗତ କରିଛି।
୨୦୧୮ ଅଣ୍ଡର ୧୯ ଟିମ ବିଶ୍ୱକପ ଜିତିବା ପରେ ଶ’ଙ୍କୁ ଦିଲ୍ଲୀ ୧.୨ କୋଟି ଟଙ୍କାରେ କିଣିଥିଲା। ବିଶ୍ୱକପ ଜିତିଥିବା ଭାରତୀୟ ଟିମର ଅଧିନାୟକ ଥିଲେ ଶ’। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିବା ପରେ ବାରମ୍ବାର ସୁଯୋଗ ଦେଇ ଚାଲିଥିଲା। ୭ଟି ସିଜିନରେ ସେ ୭୯ଟି ମ୍ୟାଚ୍ ଖେଳି ୧୮୯୨ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୨୩.୫ ରହିଥିବା ବେଳେ ସେ ୧୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
୨୦୨୫ ମେଗ ଅକ୍ସନ ପୂର୍ବରୁ ଶ’ଙ୍କୁ ରିଲିଜ କରିବା ସହ ତାଙ୍କୁ ସେହି ବର୍ଷ ଦିଲ୍ଲୀ ଆଉ କିଣି ନଥିଲା। ଜୀବନକୁ ବଦଳାଇବା ପାଇଁ ଶ’ଙ୍କୁ ଆଇପିଏଲରୁ ବାହାରେ ରଖିବାର ଆବଶ୍ୟକତା ରହିଥିବା ମଧ୍ୟ ଦିଲ୍ଲୀର ମାଲିକ ପାର୍ଥ ଜିନ୍ଦଲ ମଧ୍ୟ କହିଥିଲେ। ଗତ ଘରୋଇ ସିଜିନରେ ମଧ୍ୟ ଶ’ କୌଣସି ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ।
ନିଜର ଫିଟନେସ ଓ ବ୍ୟବହାରକୁ ନେଇ ତାଙ୍କୁ ଅନେକ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପୁଣି ସବୁ କିଛି ମୂଳର ଆରମ୍ଭ କରିବାକୁ ଶ’ ନିଷ୍ପତ୍ତି ନେବା ସହ ମୁମ୍ବାଇ ଟିମ ଛାଡ଼ି ଦେଇଥିଲେ। ସେ ମହାରାଷ୍ଟ୍ରରୁ ନିଜର ଘରୋଇ ଅଭିଯାନକୁ ଆରମ୍ଭ କରିଛନ୍ତି।
ରଣଜୀ ଟ୍ରଫିରେ ସେ ଠିକଠାକ ପ୍ରଦର୍ଶନ କରିଥିଲେ ହେଁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସେତେଟା ପ୍ରଭାବ ଛାଡ଼ି ପାରି ନାହାନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏଯାଏ ୭ଟି ମ୍ୟାଚ ଖେଳିଥିଲେ ହେଁ କେବଳ ୧୮୩ ରନ କରିଛନ୍ତି।
ଆଇପିଏଲ ୨୦୨୬ ଅକ୍ସନର ଶେଷ ଦ୍ୱିତୀୟ ଖେଳାଳି ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଶ’ଙ୍କୁ କିଣିଛି। ଆଶା ସେ ୨୦୨୬ ଆଇପିଏଲରେ ନିଜର ଜଲୱା ଦେଖାଇବାକୁ ସକ୍ଷମ ହେବେ।
ଅନ୍ୟପକ୍ଷରେ ମନି ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ ବେନ ଡକେଟ(୨ କୋଟି), ଡାଭିଡ ମିଲର(୨ କୋଟି), ଆକିବ ନବି(୮.୪୦ କୋଟି), ପଥୁମ ନିଶାଙ୍କା(୫ କୋଟି), ଲୁଙ୍ଗି ଏନଗିଡି(୨ କୋଟି), ପୃଥ୍ୱୀ ଶ’(୭୫ ଲକ୍ଷ), ସାହିଲ ପାରେଖ(୩୦ ଲକ୍ଷ) ଓ କାୟଲ ଜାମିସନ(୨ କୋଟି)ଙ୍କୁ କିଣିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
