Advertisment

ଟିମ ସହ ନ ରହି ରାତି ସାରା ବାହାରେ ମଉଜ କରୁଥିଲେ ପୃଥ୍ୱୀ ଶ’!

ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ପୃଥ୍ୱୀ ଅଭ୍ୟାସ ନ କରି କେମିତି ଏକାକୀ ରାତିରେ ବାହାରେ ରହୁଥିଲେ ଓ ସକାଳ ୬ଟାରେ ହୋଟେଲକୁ ଫେରୁଥିଲେ, ସେକଥା ମଧ୍ୟ ଅଧିକାରୀ ଜଣଙ୍କ କହିଛନ୍ତି।

author-image
Hemant Lenka
Prithvi Shaw

Prithvi Shaw

କ୍ରିକେଟ ଦୁନିଆରେ ଏକଦା ଚହଳ ସୃଷ୍ଟି କରିଥିବା ମୁମ୍ବାଇ ବ୍ୟାଟର ପୃଥ୍ୱୀ ଶ’ଙ୍କ ବିଶୃଙ୍ଖଳା ଆଚରଣର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖରାପ ଫର୍ମ, ବିଶୃଙ୍ଖଳା ଆଚରଣ ଓ ଫିଟନେସ ଯୋଗୁ ପୃଥ୍ୱୀ ଶ’ ମୁମ୍ବାଇ ଟିମରୁ ବାଦ ପଡ଼ିଛନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିଥିଲେ ହେଁ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ) ତାଙ୍କୁ ବିଜୟ ହଜାରେ ଟ୍ରଫିରେ ସାମିଲ କରିନାହିଁ।

Advertisment

ଆଇପିଏଲରେ ମଧ୍ୟ ପୃଥ୍ୱୀଙ୍କୁ କେହି କିଣି ନଥିଲେ। ମୁମ୍ବାଇ ଟିମରୁ ମଧ୍ୟ ବାଦ ପଡ଼ିବାରୁ କିଛି ଦିନ ତଳେ ପୃଥ୍ୱୀ ବେଶ ଭାବବିହ୍ୱଳ ହୋଇ ଉଠିଥିଲେ। ହେଲେ ଏହାର ପ୍ରଭାବ ଏମସିଏ ଉପରେ ପଡ଼ିନାହିଁ। ନିଜର ବିଶୃଙ୍ଖଳା ଆଚରଣ ପାଇଁ ହିଁ ପୃଥ୍ୱୀ ଏବେ ହଇରାଣ ହେଉଥିବା ଏମସିଏର ଜଣେ ଅଧିକାରୀ କହିଛନ୍ତି।

ଏଥିସହ ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ପୃଥ୍ୱୀ ଅଭ୍ୟାସ ନ କରି କେମିତି ଏକାକୀ ରାତିରେ ବାହାରେ ରହୁଥିଲେ ଓ ସକାଳ ୬ଟାରେ ହୋଟେଲକୁ ଫେରୁଥିଲେ, ସେକଥା ମଧ୍ୟ ଅଧିକାରୀ ଜଣଙ୍କ କହିଛନ୍ତି।

Advertisment

ଅଧିକାରୀ ଜଣଙ୍କ କହିବା କଥା ଯେ ମ୍ୟାଚ୍‌ ବେଳେ ପୃଥ୍ୱୀଙ୍କ ଖରାପ ଫିଟନେସ ଯୋଗୁ ତାଙ୍କୁ ବାଧ୍ୟ ହୋଇ ପଡ଼ିଆରେ ଲୁଚାଇବାକୁ ପଡ଼ୁଥିଲା। ସେ କହିଛନ୍ତି, “ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଆମେ ବାଧ୍ୟ ହୋଇ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳୁଥିଲୁ। କାରଣ ଆମକୁ ପୃଥ୍ୱୀ ଶ’ଙ୍କୁ ପଡ଼ିଆରେ ଲୁଚାଇବାକୁ ପଡ଼ୁଥିଲା। ଯଦି ବଲ ତାଙ୍କ ପାଖ ଦେଇ ଯାଉଥିଲା, ସେ ଧରି ପାରିବେ କି ନାହିଁ ତା’କୁ ନେଇ ସମସ୍ତେ ସନ୍ଦେହ କରୁଥିଲେ।

କେବଳ ଫିଲ୍ଡିଂ ନୁହେଁ, ବ୍ୟାଟିଂରେ ମଧ୍ୟ ସେ ବଲ ପାଖରେ ପହଞ୍ଚିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କ ଫିଟନେସ, ଶୃଙ୍ଖଳା ଓ ଆଚରଣ ଅତ୍ୟନ୍ତ ଖରାପ। ଏପରି ସ୍ଥିତିରେ ଆମେ ନିୟମକୁ ବଦଳାଇ ପାରିବୁ ନାହିଁ। ସମସ୍ତଙ୍କ ପାଇଁ ନିୟମ ସମାନ। ଏବେ ଦଳର ବରିଷ୍ଠ ଖେଳାଳିମାନେ ମଧ୍ୟ ତାଙ୍କ ବ୍ୟବହାରକୁ ନେଇ ଅଭିଯୋଗ କରିବା ଆରମ୍ଭ କଲେଣି।”

ସୟଦ ମୁସ୍ତାକ ଅଲୀ ଟ୍ରଫି ସମୟରେ ପୃଥ୍ୱୀ ନିୟମିତ ଭାବେ ଟ୍ରେନିଂ ସେସନ୍ସ ମିସ କରୁଥିଲେ। ସେ ରାତି ତମାମ ବାହାରେ ରହୁଥିଲେ ଓ ସକାଳ ୬ଟା ବେଳକୁ ହୋଟେଲ ଆସୁଥିଲେ। ଏବେ ସେ ସୋଶାଲ ମିଡିଆ ପୋଷ୍ଟ ଦ୍ୱାରା ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହାର ପ୍ରଭାବ ମୁମ୍ବାଇ ଟିମର ଚୟନକର୍ତ୍ତା କିମ୍ବା ଏମସିଏ ଉପରେ ପଡ଼ିବ ନାହିଁ ବୋଲି ଅଧିକାରୀ ଜଣଙ୍କ ସ୍ପଷ୍ଟ କରିଛନ୍ତି।

ଏହା ପୂର୍ବରୁ ବିଶୃଙ୍ଖଳା ଓ ଫିଟନେସ ପାଇଁ ପୃଥ୍ୱୀ ଶ’ ମୁମ୍ବାଇ ରଣଜୀ ଟ୍ରଫିରୁ ବାଦ ପଡ଼ିଥିଲେ। ବାଦ ପଡ଼ିବା ପରେ ଏମସିଏ ଏକାଡେମୀରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଫିଟନେସ ତାଲିମ ନେବାକୁ କୁହାଯାଇଥିଲା। ତଥାପି ସେ ଠିକ ଭାବେ ଏହାକୁ ଅନୁକରଣ କରି ନଥିଲେ।

୨୦୧୮ରେ ପୃଥ୍ୱୀ ମାତ୍ର ୧୮ ବର୍ଷ ବୟସରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ। ଡେବ୍ୟୁରେ ଶତକ ମାରି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହାପରେ ସେ ମାତ୍ର ଆଉ ୪ଟି ଟେଷ୍ଟ ଦେଶ ପାଇଁ ଖେଳିବାକୁ ସକ୍ଷମ ହୋଇଥିଲେ।

Bcci Prithvi Shaw MCA