Advertisment

ଅବସର ନେଲେ ଚେତେଶ୍ୱର ପୂଜାରା

ପୂଜାରା ୧୦୩ଟି ଟେଷ୍ଟରେ ୧୭୬ଟି ଇନିଂସରୁ ୪୩.୬୦ ହାରରେ ୭,୧୯୫ ରନ୍ କରିଛନ୍ତି।

ଅଦ୍ୟତନ ହୋଇଛି
Pujara

Pujara

Advertisment

ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ରବିବାର ଅବସର ଘୋଷଣା କରିଛନ୍ତି ଦେଶର ଅନ୍ୟତମ ଶ୍ରେଷ୍ଠ ଟେଷ୍ଟ ଖେଳାଳି ଚେତେଶ୍ୱର ପୂଜାରା। ସୋଶାଲ ମିଡିଆରେ ଏକ ପୋଷ୍ଟ କରି ସେ ଅବସର ଘୋଷଣା କରିଛନ୍ତି।

Advertisment

୩୭ ବର୍ଷୀୟ ପୂଜାରା ୨୦୨୩ରେ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୨୦୧୦ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଟେଷ୍ଟ ଡେବ୍ୟୁ କରିଥିଲେ।

ପୂଜାରା ୧୦୩ଟି ଟେଷ୍ଟ ଖେଳିଥିବା ବେଳେ ୧୭୬ଟି ଇନିଂସରୁ ୪୩.୬୦ ହାରରେ ୭,୧୯୫ ରନ୍ କରିଛନ୍ତି। ତା’ ମଧ୍ୟରେ ୧୯ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ରହିଛି। ୨୦୬ ନଟ୍‌ ଆଉଟ୍ ହେଉଛି ତାଙ୍କର ଟେଷ୍ଟରେ ବ୍ୟକ୍ତିଗତ ସର୍ବାଧିକ ରନ୍‌, ଯାହା ସେ ୨୦୧୨ରେ ଅହମଦାବାଦରେ ଇଂଲଣ୍ଡ ବିପକ୍ଷରେ କରିଥିଲେ। ୫୦୦ ମିନିଟ୍‌ରୁ ଅଧିକ ସମୟ ଧରି ସେ କ୍ରିଜ୍‌ରେ ରହି ଏହି ସ୍କୋର କରିଥିଲେ ଓ ଏହା ଭାରତର ବିଜୟରେ ବଡ଼ ସହାୟକ ହୋଇଥିଲା।

Advertisment

୭,୧୯୫ ରନ୍‌ ସହିତ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି ପୂଜାରା। ତାଙ୍କ ଉପରେ ଯଥାକ୍ରମେ ସୌରଭ ଗାଙ୍ଗୁଲି (୭୨୧୨), ବୀରେନ୍ଦ୍ର ସେହୱାଗ (୮୫୦୩), ଭିଭିଏସ୍ ଲକ୍ଷ୍ମଣ (୮୭୮୧), ବିରାଟ କୋହଲି (୯୨୩୦), ସୁନୀଲ ଗାଭାସ୍କର (୧୦,୧୨୨), ରାହୁଲ ଡ୍ରାଭିଡ (୧୩,୨୬୫) ଓ ସଚିନ ତେନ୍ଦୁଲକର (୧୫,୯୨୧) ରହିଛନ୍ତି।

ପୂଜାରା ଦେଶ ପାଇଁ ମାତ୍ର ୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ୨୦୧୩ରେ ଜିମ୍ବାୱେ ବିପକ୍ଷରେ ସେ ଦିନିକିଆ ଡେବ୍ୟୁ କରିଥିଲେ। ଏହି ଫର୍ମାଟରେ ସେ ତାଙ୍କ ଶେଷ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦୧୪ରେ ଖେଳିଥିଲେ।

ରାଜକୋଟରେ ଜନ୍ମିତ ପୂଜାରାଙ୍କୁ ବେଳେବେଳେ ଭାରତୀୟ ଟେଷ୍ଟର ଅନ୍ୟତମ ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ସହିତ ତୁଳନା କରାଯାଏ। ତେବେ ପୂଜାରାଙ୍କ ନିଜସ୍ୱ ଶୈଳୀ ଥିଲା। କ୍ରିଜ୍‌ରେ ତାଙ୍କର ନିର୍ଭୀକ ଏକାଗ୍ରତା ପାଇଁ ସେ ବେଶ୍ ଜଣାଶୁଣା।

ଯେତେବେଳେ ବି ଚେତେଶ୍ୱର ପୂଜାରାଙ୍କ ସଂପର୍କରେ ଆଲୋଚନା କରାଯାଏ, ୨୦୧୮-୧୯ରେ ଅଷ୍ଟ୍ରେଲିଆରେ ଭାରତର ଐତିହାସକ ପ୍ରଥମ ଟେଷ୍ଟ ସିରିଜ୍ ବିଜୟକୁ ଉଲ୍ଲେଖ କରାଯାଏ। ଭାରତୀୟ ଟେଷ୍ଟ ଟିମ୍‌ର ଏହି ଐତିହାସିକ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଚେତେଶ୍ୱର ପୂଜାରା। ଏହି ସିରିଜ୍‌ରେ ସେ ୧୨୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୫୨୧ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୩ଟି ଶତକ। ତାଙ୍କର ଏହି ପ୍ରଦର୍ଶନକୁ ଆଜି ତାଙ୍କର ଅବସର ଘୋଷଣା ପରେ ପୁଣି ମନେ ପକାଇଛନ୍ତି ସଚିନ ତେନ୍ଦୁଲକର। ପୂଜାରାଙ୍କ ଉଦ୍ଦେଶ୍ୟରେ ସଚିନ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଆପଣଙ୍କ ବ୍ୟାଟିଂ ଶୈଳୀ, ଧୈର୍ଯ୍ୟ ଓ ଚାପ ସମୟରେ ଏକାଗ୍ରତା ଟିମ୍‌ ପାଇଁ ଖୁଣ୍ଟ ସାଜିଥାଏ। ଏହାର ଅନେକ ଉଦାହରଣ ଥିବା ବେଳେ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ହେଉଛି ସେଥିରୁ ଗୋଟିଏ। ଆପଣଙ୍କ ମ୍ୟାଚ୍ ୱିନିଙ୍ଗ ରନ୍‌ ବିନା ତାହା ସମ୍ଭବ ହୋଇ ନଥା’ନ୍ତା।

ତେବେ ୨୦୨୩ ପରଠାରୁ ପୂଜାରା ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖା ହୋଇ ରହିଯାଇଥିଲେ। କାରଣ ବିସିସିଆଇ ଯୁବ ଖେଳାଳିଙ୍କ ଉପରେ ଜୋର ଦେଇଥିଲା।

ସୋଶାଲ ମିଡିଆରେ କ’ଣ ଲେଖିଛନ୍ତି ପୂଜାରା

ଅବସର ଘୋଷଣା କରି ଚେତେଶ୍ୱର ପୂଜାରା ସୋଶାଲ ମିଡିଆରେ କରିଥିବା ପୋଷ୍ଟରେ ଲେଖିଛନ୍ତି ଯେ ସେ ଭାରତୀୟ କ୍ରିକେଟ ଟିମ୍‌ର ଅଂଶ ହେବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହି ଖେଳ ତାଙ୍କୁ ଏତେ ଜିନିଷ ଦେବ। ତାଙ୍କୁ ଅମୂଲ୍ୟ ସୁଯୋଗ ମିଳିଛି। ଅଭିଜ୍ଞତା ମିଳିଛି। ଭଲ ପାଇବା ମିଳିଛି। ସବୁଠୁ ବଡ଼ କଥା ତାଙ୍କୁ ରାଜ୍ୟ ଓ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଛି। ଯେତେଥର ସେ ପଡ଼ିଆକୁ ଓହ୍ଲାଇଛନ୍ତି, ସବୁଥର ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିଛନ୍ତି। ତେବେ ସବୁ ଭଲ ଜିନିଷର ମଧ୍ୟ ଶେଷ ଥାଏ। ପ୍ରଚୁର କୃତଜ୍ଞତାର ସହିତ ସେ ଭାରତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ସୁଯୋଗ ଦେଇଥିବାରୁ ଓ ପୂରା କ୍ରିକେଟ କ୍ୟାରିୟରରେ ସମର୍ଥନ କରିଥିବାରୁ ବିସିସିଆଇ ଓ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି ପୂଜାରା। ତା’ସହିତ ସେ ତାଙ୍କର ସମସ୍ତ ମେଣ୍ଟର ଓ କୋଚ୍‌ଙ୍କ ସହିତ ଟିମ୍‌ମେଟ୍‌, ସପୋର୍ଟ ଷ୍ଟାଫ, ନେଟ୍ ବୋଲର, ସମୀକ୍ଷକ, ଅମ୍ପାୟାର, ଗ୍ରାଉଣ୍ଡ ଷ୍ଟାଫ, ସ୍କୋରର ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ପୂଜାରା। ତା’ସହିତ ସେ ତାଙ୍କ ବାପାମା’, ପତ୍ନୀ ପୂଜା, ଝିଅ ଅଦିତି, ଶାଶୁ-ଶ୍ୱଶୁର ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେମାନେ ତାଙ୍କର ଏହି ଯାତ୍ରାକୁ ପ୍ରକୃତରେ ମୂଲ୍ୟବାନ କରିଛନ୍ତି ବୋଲି ଲେଖିଛନ୍ତି ପୂଜାରା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe