Advertisment

ଅଶ୍ୱିନଙ୍କ ମ୍ୟାଚ୍‌ ଫି’ ୨୫% କଟିଲା, ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଫାଇନ

ବୁଧବାର ମ୍ୟାଚ୍‌ରେ ଅଶ୍ୱିନ ୪ ଓଭରରେ ୨୫ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। ଏଥିସହ ବ୍ୟାଟିଂ ବେଳେ ସେ ୨୫ ବଲରେ ୩୦ ରନର ଇନିଂସ ଖେଳିଥିଲେ।

author-image
Hemant Lenka
Ashwin

Ashwin

ରାଜସ୍ଥାନ ରୟାଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଣ୍ଡିତ ହୋଇଛନ୍ତି। ସେ ଆଇପିଏଲର କୋଡ ଅଫ କଣ୍ଡକ୍ଟ ଭାଙ୍ଗି ଥିବାରୁ ତାଙ୍କ ମ୍ୟାଚ୍‌ ଫି’ ୨୫% କଟିଛି। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଗତକାଲି ମ୍ୟାଚ୍‌ ବେଳେ ଚେପକରେ ପ୍ରବଳ କାକର ପଡ଼ୁଥିଲା। ଏଥିପାଇଁ ଅମ୍ପାୟାର ବଲ ବଦଳାଇଥିଲେ। ଏହାକୁ ନେଇ ଅଶ୍ୱିନ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ତାଙ୍କର ଏପରି ଆଚରଣ ପାଇଁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅଶ୍ୱିନ ଏ ସମ୍ପର୍କରେ ପରବର୍ତ୍ତୀ ଅବସ୍ଥାରେ କହିଥିଲେ ଯେ ବଲ ବଦଳାଇବା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଖେଳାଳିଙ୍କ ସହ ଆଲୋଚନା ହୋଇ ନଥିଲା। ବଲ ବଦଳାଇବା ପାଇଁ ଗୋଟିଏ ନିୟମ କରିବା ଦରକାର ବୋଲି ଅଶ୍ୱିନ ମତ ରଖିଥିଲେ।

Advertisment

ଆଇପିଏଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ରାଜସ୍ଥାନ ରୟାଲ୍ସର ରବିଚନ୍ଦ୍ରନ ଅଶ୍ୱିନଙ୍କ ମ୍ୟାଚ୍ ଫି’ ୨୫% କାଟ କରାଯାଇଛି। ସେ ୧୭ତମ ମ୍ୟାଚ୍‌ରେ ଆଇପିଏଲର କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଛନ୍ତି। ଅଶ୍ୱିନ ଧାରା ୨.୭ର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଛନ୍ତି। ଏଥିପାଇଁ ମ୍ୟାଚ୍‌ ରେଫରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।”

ବୁଧବାର ମ୍ୟାଚ୍‌ରେ ଅଶ୍ୱିନ ୪ ଓଭରରେ ୨୫ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। ଏଥିସହ ବ୍ୟାଟିଂ ବେଳେ ସେ ୨୫ ବଲରେ ୩୦ ରନର ଇନିଂସ ଖେଳିଥିଲେ। ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଚେନ୍ନାଇକୁ ଚେପକରେ ହରାଇବାକୁ ସକ୍ଷମ ହୋଇଥିଲା। ଅଶ୍ୱିନ ମଧ୍ୟ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।

ଅନ୍ୟପକ୍ଷରେ ଧିମା ଓଭର ରେଟ୍‌ ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ଦଣ୍ଡିତ ହୋଇଛନ୍ତି। ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି।

Cricket IPL Sanju Samson R Ashwin