R Ashwin
ଅନ୍ତର୍ଜାତୀୟ କ୍ରିକେଟ ପରେ ଆଇପିଏଲରୁ ଅବସର ନେଇଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ବୁଧବାର ସେ ସମସ୍ତଙ୍କୁ ଚକିତ କରି ଆଇପିଏଲକୁ ଅଲବିଦା କହିଛନ୍ତି। ସୋଶାଲ ମିଡିଆରେ ଅଶ୍ୱିନ ଏକଥା ଘୋଷଣା କରିବା ସହ ଏବେ ସେ ନୂଆ ଇନିଂସ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ସେ ବିଶ୍ୱ ବିଭିନ୍ନ ଲିଗ କ୍ରିକେଟ ଖେଳିବେ ବୋଲି କହିଛନ୍ତି।
ଟିମ ଇଣ୍ଡିଆର ପୂର୍ବତନ ସ୍ପିନର ଅଶ୍ୱିନ ଆଇପିଏଲରେ ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ୨୨୧ଟି ମ୍ୟାଚ ଖେଳିବା ସହ ୧୮୭ଟି ୱିକେଟ ଦଖଲ କରିଥିଲେ। ସେ କହିଛନ୍ତି, “ସ୍ୱତନ୍ତ୍ର ଦିନ ଓ ଗୋଟିଏ ସ୍ୱତନ୍ତ୍ର ଆରମ୍ଭ। ସେମାନେ କୁହନ୍ତି ପ୍ରତଟି ଶେଷ ଗୋଟିଏ ନୂଆ ଆରମ୍ଭ, ଆଇପିଏଲ କ୍ରିକେଟରମାନେ ଆଜି ମୋର ଦିନ ଶେଷ। କିନ୍ତୁ ବିଶ୍ୱର ଏକାଧିକ ଲିଗକୁ ଉପଭୋଗ କରିବା ଆଜି ଠାରୁ ଆରମ୍ଭ। ବିଗତ ବର୍ଷଗୁଡ଼ିକରେ ଚମତ୍କାର ମୁହୂର୍ତ୍ତ ଓ ସମ୍ପର୍କ ପାଇଁ ମୁଁ ସମସ୍ତ ପ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଉଛି। ବିଶେଷ କରି ଆଜି ଯାଏ ମୋତେ ସବୁ କିଛି ଦେଇଥିବା ଆଇପିଏଲ ଓ ବିସିସିଆଇକୁ ଧନ୍ୟବାଦ।”
୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲରେ ଅଶ୍ୱିନ ୫ଟି ଭିନ୍ନଭିନ୍ନ ଟିମ ପାଇଁ ଖେଳିଥିଲେ। ଏପରି କି ସେ ପଞ୍ଜାବ ପ୍ରାଞ୍ଚାଇଜର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଥିଲେ। ସେ ଚେନ୍ନାଇ ସୁପର କିଙ୍ଗସ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ ଖେଳିଛନ୍ତି।
ଆଇପିଏଲ ଇତିହାସରେ ୫ମ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ଭାବେ ଅଶ୍ୱିନ ଏହି ଟୁର୍ଣ୍ଣାମେଣ୍ଟକୁ ଅଲବିଦା କହିଛନ୍ତି। ତାଙ୍କ ଉପରେ ୟୁଜି ଚହଲ, ଭୁବନେଶ୍ୱର କୁମାର, ସୁନୀଲ ନାରିନ ଓ ପୀୟୂଷ ଚାୱଲା ରହିଛି। ରାଜସ୍ଥାନ ରୟାଲ୍ସ ପାଇଁ ଅଶ୍ୱିନ ସର୍ବାଧିକ ୮୩୩ ରନ କରିଥିଲେ।
ଅଶ୍ୱିନ ନିଜର ଶେଷ ଆଇପିଏଲ ସଂସ୍କରଣ ଚେନ୍ନାଇ ସୁପର କିଙ୍ଗସ ସହ ଖେଳିଥିଲେ। ସେ ୨୦୨୫ରେ ୭ଟି ୱିକେଟ ନେବା ସହ ୯ଟି ଇନିଂସରେ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ। ୨୦୨୫ରେ ଚେନ୍ନାଇ ଆଇପିଏଲରେ ଜିତିବାକୁ ସଂଘର୍ଷ କରୁଥିବା ବେଳେ ଅଶ୍ୱିନ ନିଜ ୟୁଟ୍ୟୁବ ଚ୍ୟାନେଲରେ ଦଳର ଅନ୍ୟତମ ଖେଳାଳି ନୁର ଅହମଦଙ୍କୁ ସମାଲୋଚନା କରି ବିବାଦ ଘେରକୁ ଆସିଥିଲେ।
୨୦୨୫ରେ ଚେନ୍ନାଇ ଅଶ୍ୱିନକୁ ୯.୭୫ କୋଟି ଟଙ୍କା ବଳରେ ନିଜ ସହ ସାମିଲ କରିଥିଲା। ତେବେ ତାଙ୍କ ପ୍ରଦର୍ଶନ ଆଖି ଦୃଶିଆ ନଥିବାରୁ ୨୦୨୬ ପୂର୍ବରୁ ତାଙ୍କୁ ଦଳ ରିଲିଜ କରି ଦେବ ବୋଲି ଚର୍ଚ୍ଚା ହେଉଥିଲା। ଏହାପୂର୍ବରୁ ଅଶ୍ୱିନ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି। ସେ ଆଇପିଏଲରୁ ଅବସର ନେଇଥିବା ବେଳେ ଏବ ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରାଞ୍ଚାଇଜ କ୍ରିକେଟରେ ଭାଗ ନେବେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/R_Ashwin_1756281985.jpg)