ବିସିସିଆଇ ଦେଲା ୫ କୋଟି, କିନ୍ତୁ ରାହୁଲ ନେଲେ ଅଢ଼େଇ କୋଟି; କାହିଁକି

ବିସିସିଆଇ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ୍‌, ସଂରକ୍ଷିତ ଖେଳାଳି ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ରାହୁଲ ଡ୍ରାଭିଡ

  • Published: Wednesday, 10 July 2024
  • , Updated: 10 July 2024, 03:42 PM IST

ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିବା ପରେ ବିସିସିଆଇ ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ ଅଢ଼େଇ କୋଟି ଗ୍ରହଣ କରିଛନ୍ତି। ବାକି ଅଢ଼େଇ କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରି ଦେଇଛନ୍ତି। ରାହୁଲଙ୍କର ଏଭଳି ପଦକ୍ଷେପ ପଛର ଏକମାତ୍ର କାରଣ ହେଉଛି- ତାଙ୍କ ସହିତ କାର୍ଯ୍ୟ କରୁଥିବା ବ୍ୟାଟିଂ, ବୋଲିଂ ଓ ଫିଲ୍‌ଡିଂ କୋଚ୍‌ଙ୍କୁ ବିସିସିଆଇ ଅଢ଼େଇ କୋଟି ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛି। ଆଉ ରାହୁଲଙ୍କ ମତରେ ସମସ୍ତ କୋଚ୍ ସମାନ ପୁରସ୍କାର ପାଇବା ଉଚିତ୍। ସେ ଅନ୍ୟ କୋଚ୍‌ମାନଙ୍କଠାରୁ ଅଧିକ ପୁରସ୍କାର ନେବାକୁ ଚାହୁଁନଥିଲେ।  ତେଣୁ ସେ ପୁରସ୍କାର ବାବଦକୁ କେବଳ ଅଢ଼େଇ କୋଟି ଟଙ୍କା ଗ୍ରହଣ କରିଛନ୍ତି।

ବିସିସିଆଇ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହିତ ସପୋର୍ଟ ଷ୍ଟାଫ୍‌, ସଂରକ୍ଷିତ ଖେଳାଳି ଓ ଅନ୍ୟ ସଦସ୍ୟମାନଙ୍କ ପାଇଁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେଥିରୁ ଟିମ୍‌ର ୧୫ ଜଣ ଖେଳାଳିଙ୍କୁ ୫ କୋଟି ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡଙ୍କୁ ମଧ୍ୟ ୫ କୋଟି ଟଙ୍କା ପ୍ରଦାନ କରିଥିଲା। ତେବେ ସେ ଅଢ଼େଇ କୋଟି ଗ୍ରହଣ କରିବେ ବୋଲି କହିବାରୁ ବିସିସିଆଇ ପକ୍ଷରୁ ତାଙ୍କ ଭାବନାକୁ ସମ୍ମାନ ଦିଆଯାଇଥିଲା। ମୁମ୍ବାଇରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଜୟୋତ୍ସବ ପାଳନ ପରେ ସମସ୍ତଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। 

ତେବେ ପ୍ରଥମ ଥର ପାଇଁ ରାହୁଲ ଡ୍ରାଭିଡ ଏହି ମହାନତା ଦେଖାଇ ନାହାନ୍ତି। ୨୦୧୮ରେ ଉଣେଇଶ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌ ଜିତିଥିଲା ଭାରତ। ସେତେବେଳେ ଦଳର କୋଚ୍ ଥିଲେ ରାହୁଲ ଡ୍ରାଭିଡ। ସେତେବେଳେ ବିସିସିଆଇ ପକ୍ଷରୁ ଖେଳାଳିମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଲେଖାଏଁ ଓ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫଙ୍କ ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲା। କୋଚ୍ ଭାବେ ରାହୁଲ ଡ୍ରାଭିଡଙ୍କ ପାଇଁ ବିସିସିଆଇ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କିନ୍ତୁ ସେ ୫୦ ଲକ୍ଷ ଟଙ୍କା ନେବା ପାଇଁ ମନା କରି ଦେଇଥିଲେ। କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରେ ପୁରସ୍କାର ରାଶିକୁ ସମାନ ଭାବେ ବାଣ୍ଟି ଦେବାକୁ ସେ ବିସିସିଆଇକୁ ଅନୁରୋଧ କରିଥିଲେ। ବିସିସିଆଇ ମଧ୍ୟ ତାଙ୍କ ଅନୁରୋଧକୁ ମାନି ନେଇଥିଲା।    

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ବିଜୟ ଉତ୍ସବ ପାଳନ ଅବସରରେ ରାହୁଲ ଡ୍ରାଭିଡ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ ଟି ଦିଲୀପ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେଙ୍କ ସହିତ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। 

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ ଟି ଦିଲୀପ ଓ ବୋଲିଂ କୋଚ୍‌ ପାରସ ମାହାମ୍ବ୍ରେଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯାଇଛି। ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ନିଯୁକ୍ତି ପାଇଛନ୍ତି। 

 

 

Related story