ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ: କୋଚ୍‌ ଭୂମିକାରେ ରହିବେନି ରାହୁଲ ଡ୍ରାଭିଡ୍‌

ଦଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ଏଡେନ ମାର୍କରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ଭାରତର ମଙ୍ଗ କେଏଲ ରାହୁଲ ଧରିବେ।

ରାହୁଲ ଡ୍ରାଭିଡ୍‌

  • Published: Saturday, 16 December 2023
  • , Updated: 16 December 2023, 03:34 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଟିମର ମୁଖ୍ୟ କୋଚ୍‌ ଭୂମିକାରେ ରହିବେନି ରାହୁଲ ଡ୍ରାଭିଡ୍‌। ନିକଟରେ ମୁଖ୍ୟ କୋଚ୍‌ ଭାବେ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ବିସିସିଆଇ ବୃଦ୍ଧି କରିଥିଲା। ହେଲେ ସେ ଭାରତୀୟ ଟିମର ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ୩ ଟିକିଆ ଦିନିକିଆ ସିରିଜ୍‌ରେ ଅନୁପସ୍ଥିତ ରହିବେ।

କେବଳ ଡ୍ରାଭିଡ ନୁହନ୍ତି, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ ଟି ଦୀଲିପ ମଧ୍ୟ ଭାରତୀୟ ଟିମର ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତିରେ ସାମିଲ ହେବେ।

ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିସିସିଆଇ କହିଛି ଯେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ, ବ୍ୟାଟିଂ କୋଚ ବିକ୍ରମ ରାଠୋର, ବୋଲିଂ କୋଚ୍‌ ପାରସ ମହାମ୍ବ୍ରେ ଓ ଫିଲ୍ଡିଂ କୋଚ ଟି ଦୀଲିପ ଟେଷ୍ଟ ସ୍କ୍ୱାଡ ସହ ଯୋଗଦେବେ। ସେମାନେ ଇଣ୍ଟର ସ୍କ୍ୱାଡ ଓ ଟେଷ୍ଟ ସିରିଜର ପ୍ରସ୍ତୁତି ଉପରେ ନଜର ରଖିବେ।

ରାହୁଲ ଡ୍ରାଡିଭଙ୍କ ଅନୁପସ୍ଥିତିରେ ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ବେଳେ ଇଣ୍ଡିଆ ଏ’ର କୋଚିଂ ଷ୍ଟାଫ ସହାୟତା କରିବେ। ଏହି ଟିମରେ ବ୍ୟାଟିଂ କୋଚ ସୀତାଂଶୁ କୋଟାକ, ବୋଲିଂ କୋଚ ରାଜୀବ ଦତ୍ତା ଓ ଫିଲ୍ଡିଂ କୋଚ ଅଜୟ ରାତ୍ରା ରହିଛନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ଏଡେନ ମାର୍କରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ଭାରତର ମଙ୍ଗ କେଏଲ ରାହୁଲ ଧରିବେ। ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜ ୧-୧ରେ ଶେଷ ହୋଇଥିଲା।

ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଜିମାତ କରିଥିଲା। କିନ୍ତୁ ତୃତୀୟ ମ୍ୟାଚକୁ ସୂର୍ଯ୍ୟ କୁମାର ଯାଦବ ଆଣ୍ଡ କୋ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲେ।

ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ଭାରତୀୟ ଟିମ ପ୍ରଥମ ଥର ODI ମ୍ୟାଚ୍‌ ଖେଳିବାକୁ ଯାଉଛି। ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ଖେଳାଳି ଦିନିକିଆ ସ୍କ୍ୱାଡରେ ନାହାନ୍ତି। ସେହିପରି ସ୍କ୍ୱାଡରେ ସାମିଲ ଥିବା ଦୀପକ ଚହର ବ୍ୟକ୍ତିଗତ କାରଣରୁ ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହାର କରିନେଇଛନ୍ତି।

ଶ୍ରେୟସ ଆୟର ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ଖେଳିବେ ନାହିଁ। ସେ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ଶେଷ ଦୁଇଟି ଦିନିକିଆ ଖେଳିବେ ନାହିଁ। ଦୀପକ ଚହରଙ୍କ ଅନୁପସ୍ଥିତ ଯୋଗୁ ସ୍କ୍ୱାଡରେ ଆକାଶ ଦୀପଙ୍କୁ ସାମିଲ କରାଯାଇଛି।

ଭାରତର ଦିନିକିଆ ସ୍କ୍ୱାଡ: ଋତୁରାଜ ଗାଏକ୍ୱାଡ, ସାଇ ସୂଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟସ ଆୟର, କେଏଲ ରାହୁଲ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ ଓ ଆକାଶ ଦୀପ।

Related story