Advertisment

ମ୍ୟାଚ୍‌ ଖେଳିବେ କିନ୍ତୁ କ୍ୟାପ୍ଟେନ ହେବେନି ସଞ୍ଜୁ ସାମସନ, କିଏ ସମ୍ଭାଳିବେ ଦାୟିତ୍ୱ?

୨୦୦୮ରେ ଆଇପିଏଲ ଜିତିଥିବା ରାଜସ୍ଥାନ ୨୦୨୪ରେ ପ୍ଲେଅଫକୁ ଯାଇଥିଲା। କିନ୍ତୁ ଏଲିମିନେଟରରେ ଦଳ ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ବିଦାୟ ନେଇଥିଲା।

author-image
Hemant Lenka
Sanju

Sanju

ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲର ୧୮ତମ ସଂସ୍କରଣ। ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଛି ବଡ଼ ଝଟକା। ଆଇପିଏଲ ୨୨ରେ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ରାଜସ୍ଥାନ ତା’ ପ୍ରଥମ ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। କିନ୍ତୁ ୨୦୦୮ରେ ବିଜେତା ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେବେ ନାହିଁ ଦଳର ନିୟମିତ ଅଧିନାୟକ ସଞ୍ଜୁ ସାମସନ।

Advertisment

କେବଳ ଗୋଟିଏ ନୁହେଁ, ପ୍ରାୟ ୩ଟି ମ୍ୟାଚ୍‌ରେ ସଞ୍ଜୁ ରାଜସ୍ଥାନର କ୍ୟାପ୍ଟେନ ହୋଇ ପାରିବେ ନାହିଁ। ସେ ମ୍ୟାଚ୍‌ ଖେଳିବେ, କିନ୍ତୁ କ୍ୟାପ୍ଟେନ ହେବେ ନାହିଁ। ଏହା ପଛର କାରଣ ହେଲା ଆହତ ସମସ୍ୟା। ସାମସନ ଏବେ ନିଜର ପୁରୁଣା ଆହତ ସମସ୍ୟାରୁ ଧୀରେଧୀରେ ମୁକୁଳୁଛନ୍ତି। ତେଣୁ ସେ ପ୍ରଥମ ୩ଟି ମ୍ୟାଚ୍‌ରେ ଦଳର କମାଣ ସମ୍ଭାଳିବେ ନାହିଁ। ସେ ଇମ୍ପାକ୍ଟ ଖେଳାଳି ଭାବେ କେବଳ ମ୍ୟାଚରେ ବ୍ୟାଟିଂ କରିବେ। ସଞ୍ଜୁ ସାମସନଙ୍କ ଅନୁପସ୍ଥିତିରେ କିଏ ଦଳର କମାଣ ସମ୍ଭାଳିବେ, ତାଙ୍କ ନାଁ ସମସ୍ତଙ୍କୁ ଚକିତ କରି ଘୋଷଣା କରିଛି ପ୍ରାଞ୍ଚାଇଜ।

ପ୍ରାଞ୍ଚାଇଜର ଘୋଷଣା ଅନୁଯାୟୀ, ସଞ୍ଜୁଙ୍କ ବଦଳରେ ପ୍ରଥମ ୩ ମ୍ୟାଚରେ ଦଳର କମାଣ ଯୁବ ତାରକା ରିୟାନ ପରାଗ ସମ୍ଭାଳିବେ। ପ୍ରାଞ୍ଚାଇଜ କହିଛି ଯେ ସଞ୍ଜୁ ସାମସନ ଏଯାଏ ଏନସିଏ ଠାରୁ ୱିକେଟ କିପିଂ ଓ ଫିଲ୍ଡିଂ ପାଇଁ ଅନୁମତି ପାଇ ନାହାନ୍ତି। ତାଙ୍କୁ କେବଳ ବ୍ୟାଟିଂ କରିବାକୁ ଅନୁମତି ମିଳିଛି। ସଞ୍ଜୁ ରାଜସ୍ଥାନ ରୟାଲ୍ସର କୌଣସି ମ୍ୟାଚ୍‌କୁ ମିସ କରିବାକୁ ମୁଡରେ ନାହାନ୍ତି। ତେଣୁ ସେ ପ୍ରଥମ ୩ଟି ମ୍ୟାଚ୍‌ରେ କେବଳ ବ୍ୟାଟର ଭାବେ ନଜର ଆସିବେ।

Advertisment

ସଞ୍ଜୁ ସାମସନ ରୟାଲ୍ସ ସେଟ ଅପ୍‌ର ଆଭ୍ୟନ୍ତରୀଣ ଅଙ୍ଗ। ସେ ୱିକେଟ କିପିଂ ଓ ଫିଲ୍ଡିଂ ଅନୁମତି ପାଇବା ଯାଏ ବ୍ୟାଟରେ ନିଜର ଯୋଗଦାନ ଦେବା ଜାରି ରଖିବେ। ସେ ଫିଟ ହେବା ପରେ କ୍ୟାପ୍ଟେନ ପଦ ଗ୍ରହଣ କରିବେ ବୋଲି ପ୍ରାଞ୍ଚାଇଜ କହିଛି। ଭାରତ-ଇଂଲଣ୍ଡ ଟି-୨୦ ବେଳେ ସଞ୍ଜୁ ସାମସନଙ୍କ ଆଙ୍ଗୁଠିରେ ଗୋଟିଏ ବଲ ବାଜି ଥିଲା। ଏଥିପାଇଁ ସେ ପୂରା ସିରିଜରୁ ବାଦ ପଡ଼ିଥିଲେ। ଆଙ୍ଗୁଠି ଭାଙ୍ଗି ଯାଇଥିବାରୁ ଏହାକୁ ଅପରେସନ କରିବାକୁ ପଡ଼ିଥିଲା। ସେ ସୁସ୍ଥ ହେବା ପରେ କିଛି ଦିନ ତଳେ ରାଜସ୍ଥାନ ରୟାଲ୍ସର ଅଭ୍ୟାସ ସେସନ୍ସରେ ସାମିଲ ହୋଇଛନ୍ତି। କିନ୍ତୁ ଏନସିଏ ତାଙ୍କୁ ଆଙ୍ଗୁଠି ସଂପୂର୍ଣ୍ଣ ଠିକ ନ ହେବା ଯାଏ କିପିଂ ଓ ଫିଲ୍ଡିଂ କରିବାକୁ ବାରଣ କରିଛି।

ସଞ୍ଜୁ ଫିଟ ନଥିବାରୁ ଦୀର୍ଘ ବର୍ଷ ଧରି ରାଜସ୍ଥାନ ରୟାଲ୍ସ ସହ ଥିବା ରିୟାନ ପରାଗ କ୍ୟାପ୍ଟେନ ପଦ ପାଇଛନ୍ତି। ସେ ଆସାମର ନେତୃତ୍ୱ ନେବାର ଅଭିଜ୍ଞତା ରଖିଛନ୍ତି। ତେଣୁ ସେ ଆଇପିଏଲରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ୨୩ ତାରିଖ ପରେ ରାଜସ୍ଥାନ ୨୬ ଓ ୩୦ ତାରିଖରେ ୨ଟି ମ୍ୟାଚ୍‌ ଗୁହାଟୀରେ ଖେଳିବ। ପ୍ରଥମେ କେକେଆର ଓ ପରେ ଚେନ୍ନାଇର ସାମ୍ନା କରିବ ଦଳ। ଏହାପରେ ଦଳ ନିଜର ସମସ୍ତ ଘରୋଇ ମ୍ୟାଚ୍‌ ଜୟପୁର ସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଖେଳିବ।

୨୦୦୮ରେ ଆଇପିଏଲ ଜିତିଥିବା ରାଜସ୍ଥାନ ୨୦୨୪ରେ ପ୍ଲେଅଫକୁ ଯାଇଥିଲା। କିନ୍ତୁ ଏଲିମିନେଟରରେ ଦଳ ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ବିଦାୟ ନେଇଥିଲା।

IPL Sanju Samson IPL 2025 Riyan Parag