Advertisment

୧୭ ବର୍ଷ ପରେ କେମିତି ଚେନ୍ନାଇ ଗଡ଼କୁ ଭେଦ କଲା ଆରସିବି?

ଆରସିବି ଆଟାକିଂ କ୍ରିକେଟ ଖେଳିଥିବା ବେଳେ ଚେନ୍ନାଇ ବେଶ ଧିମା ଖେଳିଥିଲା। ଏଥିଯୋଗୁ ଦଳକୁ ୫୦ ରନରେ ହାରିବାକୁ ପଡ଼ିଛି।

RCB

RCB

Advertisment

ଦୀର୍ଘ ୧୭ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି। ଆଇପିଏଲର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ ବା ସିଏସକେକୁ ତା’ରି ଗଡ଼ ଚେପକରେ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି। ୨୦୦୮ ପରଠାରୁ ଆରସିବି କେବେ ହେଲେ ବି ଚେପକରେ ସିଏସକେକୁ ହରାଇ ପାରି ନଥିଲା। ୨୦୦୮ ଅର୍ଥାତ ଆଇପିଏଲର ପ୍ରଥମ ସଂସ୍କରଣରେ ରାହୁଲ ଡ୍ରାଭିଡଙ୍କ ଆରସିବି ୧୨୬କୁ ଡିଫେଣ୍ଡ କରୁଥିବା ବେଳେ ଚେନ୍ନାଇକୁ ଚେପକରେ ୧୪ ରନରେ ହରାଇଥିଲା। ସେଠାରୁ ଚେପକରେ ଆରସିବି ଯେତେଥର ମ୍ୟାଚ୍‌ ଖେଳିଥିଲା ସବୁଥର ହାରିଥିଲା। ୨ଟି ବିଜୟ ମଧ୍ୟରେ ଦଳକୁ ୮ଥର ଚେପକରେ ସିଏସକେ ଠାରୁ ହାରିବାକୁ ପଡ଼ିଥିଲା।

Advertisment

ହେଲେ ୨୦୨୫ରେ ରଜତ ପାଟିଦାରଙ୍କ ଆରସିବି ଇତିହାସକୁ ବଦଳାଇ ଦେଇଛି। ଚେପକରେ ଚେନ୍ନାଇକୁ ୫୦ ରନରେ ହରାଇ ଚଳିତ ସଂସ୍କରଣରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଚେପକରେ ସିଏସକେ ବ୍ୟତୀତ ଦଳ ଆଉ ୪ଟି ମ୍ୟାଚ୍‌ ଅଲଗା ଟିମ ବିପକ୍ଷରେ ମଧ୍ୟ ଖେଳିଥିଲା। ଏହି ସବୁ ମ୍ୟାଚ୍‌ରେ ଦଳ ଜିତିବାକୁ ସକ୍ଷମ ହୋଇଥିଲା। 

‘ଇସ ବାର କପ ନାମ ଦେ’ ନାରା ଦେଇ ଆଇପିଏଲ ଖେଳୁଥିବା ଆରସିବି ସେଦିଗରେ ଆଉ ଗୋଟିଏ ପାଦ ଆଗେଇଛି। ୨୦୦୮ରୁ ଦଳ ଆଇପିଏଲ ଖେଳୁଥିଲେ ହେଁ ଏଯାଏ ଗୋଟିଏ ଥର ବି କପ ଜିତି ପାରି ନାହିଁ। ହେଲେ ଆଇପିଏଲର ୧୮ତମ ସଂସ୍କରଣ ଦଳ ଦମଦାର ଢଙ୍ଗରେ ଆରମ୍ଭ କରିଛି। ପ୍ରଥମ ଦୁଇଟି ମୁକାବିଲାକୁ ଜିତି ଦଳ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୯୬ ରନ କରିଥିଲା। ଏହାର ଜବାବରେ ସିଏସକେ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୪୬ ରନ କରିପାରିଥିଲା। ଦଳ ପାଖରେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳି ଥିଲେ ହେଁ ଖରାପ ରଣନୀତି ଯୋଗୁ ସିଏସକେକୁ ହାରିବାକୁ ପଡ଼ିଛି। ଧୋନି ୧୬ ବଲରେ ଅପରାଜିତ ୩୦ ରନ କରିଥିଲେ। କିନ୍ତୁ ସେ ବ୍ୟାଟିଂ କରିବାକୁ ୯ନମ୍ବର ସ୍ଥାନରେ ଆସିବା ସମସ୍ତଙ୍କୁ ଚିକିତ କରିଛି। ଚେପକରେ ଚେନ୍ନାଇ ଶୁକ୍ରବାର ୫୦ ରନରେ ହାରିବା ଦଳ ପାଇଁ ଅନ୍ୟତମ ସର୍ବବୃହତ୍ତ ପରାଜୟ। ସିଏସକେ ଏହା ପୂର୍ବରୁ ୨୦୧୩ରେ ମୁମ୍ବାଇ ଠାରୁ ୬୦ ରନ ଓ ୨୦୨୨ରେ ପଞ୍ଜାବ କିଙ୍ଗସ ଠାରୁ ୫୪ରେ ହାରିଥିଲା।

ଚେନ୍ନାଇ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ବେଶ ସହଜରେ ହରାଇ ଦେଇଥିଲା। କିନ୍ତୁ ଆରିସିବି ବିପକ୍ଷରେ ଦଳର ବୋଲିଂ ଓ ବ୍ୟାଟିଂରେ ଥିବା ଦୁର୍ବଳତା ପଦାରେ ପଡ଼ିଛି। ମଧ୍ୟକ୍ରମ ଠାରୁ ଆରମ୍ଭ କରି ଟପ ଅର୍ଡର ବ୍ୟାଟର କେହି ବି ଦଳକୁ ବିଜୟ ଆଡ଼ୁ ନେବାକୁ ସତେ ଯେମିତି ଚେଷ୍ଟା କରି ନଥିଲେ। ଟାର୍ଗେଟ ୧୯୭ ରନ ଥିବା ବେଳେ ଆରମ୍ଭରୁ ଦଳକୁ ଡବଲ ଝଟକା ଲାଗିଥିଲା। ରାହୁଲ ତ୍ରିପାଠୀ ୪ ରନ ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ।

ରଚିନ ରବୀନ୍ଦ୍ର ଦୀର୍ଘ ସମୟ ଧରି ବ୍ୟାଟିଂ କରିଥିଲେ ହେଁ ବଡ଼ ଶଟ ଖେଳିବାକୁ ଚେଷ୍ଟା ନ କରିବା ରନ ରେଟ ଚାପକୁ ବୃଦ୍ଧି କରିଥିଲା। ଦୀପକ ହୁଡ୍ଡା ଓ ସାମ କରାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଶିବମ ଦୁବେ କିଛି ବଡ଼ ଶଟ ଖେଳିଥିଲେ ହେଁ ସେତେବେଳେକୁ ଆବଶ୍ୟକ ରନ ରେଟ ୨୦ ପାର କରି ଯାଇଥିଲା। ରବୀନ୍ଦ୍ର ଜାଡେଜା ୭ନମ୍ବରରେ ଓ ରବି ଅଶ୍ୱିନ ୮ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏମାନଙ୍କ ପରେ ଧୋନି କ୍ରିଜକୁ ଆସିବା ସମସ୍ତଙ୍କୁ ଚକିତ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦମ ଦେଖାଇଥିବା ଚେନ୍ନାଇ ସହ ହଠାତ କ’ଣ ହେଲା? କ’ଣ ଚେପକର ପିଚ୍‌କୁ ଘରୋଇ ସିଏସକେ ବୁଝିବାରେ ବିଫଳ ହେଲା କି? ଚେପକ ପିଚ୍‌ ସ୍ପିନକୁ ସୁହାଇ ଥାଏ। ଏକଥା ନୁର ଅହମଦ ପ୍ରମାଣ କରି ୩ ୱିକେଟ ଝାଡ଼ିବାକୁ ସକ୍ଷମ ହେଲେ। ହେଲେ ଅଶ୍ୱିନ ଓ ଜାଡେଜା ୧୧ରୁ ଅଧିକ ହାରରେ ରନ ଦେଇଥିଲେ।

ଚେନ୍ନାଇର ଟ୍ରିକି ପିଚ୍‌ରେ ଆରସିବିର ଆକ୍ରମଣାତ୍ମକ ଆଭିମୁଖ୍ୟ ସିଏସକେକୁ ଅଡ଼ୁଆରେ ପକଇ ଦେଇଥିଲା। ଚେନ୍ନାଇ ଭଲ ଭାବେ ଜାଣିଥିଲା ଯେ ଚେପକରେ ବଡ଼ ଶଟ ଖେଳିବା ମୁସ୍କିଲ। ତଥାପି ଆରସିବି ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସିଏସକେ ଅଧା ମ୍ୟାଚ ହାରି ସାରିଥିଲା।

ଆରସିବିର ବ୍ୟାଟର ଭଲ ଭାବେ ଜାଣିଥିଲେ ଏଠାରେ ବ୍ୟାଟିଂ କରିବା ସହଜ ନୁହେଁ। ସେମାନେ ଜାଣିଥିଲେ ଯେ ବଡ଼ ଶଟ ଖେଳିଲେ ଆଉଟ ହେବାର ଯଥେଷ୍ଟ ଆଶଙ୍କା ରହିଛି। କିନ୍ତୁ ଆରସିବିର ପ୍ରତିଟି ବ୍ୟାଟର ଆଟାକିଂ ଆଭିମୁଖ୍ୟ ରଖି ପଡ଼ିଆକୁ ଓହ୍ଲାଇଥିଲେ। ଲାଗୁଛି ଆରସିବି ଉପଯୁକ୍ତ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲେ। ଆରିସିବିର ବ୍ୟାଟିଂ ଲାଇନ ଅପରେ ଅନେକ ବିଗ ହିଟର ରହିଛନ୍ତି। କେହି ବି ନିଜର ବ୍ୟକ୍ତିଗତ ରନ ପ୍ରତି ଚିନ୍ତା କରି ନଥିଲେ। ଏହା ହିଁ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ରହିଥିଲା।

ଶୁକ୍ରବାର ମ୍ୟାଚ୍‌ରେ ବିରାଟ କୋହଲି ଆରମ୍ଭରୁ ରନ କରିବାକୁ ସଂଘର୍ଷ କରିଥିଲେ। କିନ୍ତୁ ଫିଲ ସଲ୍ଟ ପ୍ରଥମ ବଲରୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ଆରସିବିକୁ ଭାଗ୍ୟ ମଧ୍ୟ ସାଥ ଦେଇଥିଲା। କିଛି ବଲ ଏଡଜ ହୋଇ ବାଉଣ୍ଡରୀ ବାହାରକୁ ଯାଇଥିବା ବେଳେ ଆଉ କିଛି କ୍ୟାଚ ମଧ୍ୟ ମିସ ହୋଇଥିଲା। କିନ୍ତୁ ଦେବଦତ୍ତ ପାଡିକ୍କଲଙ୍କ ୧୪ ବଲରେ ୨୭ ଓ ଟିମ ଡାଭିଡଙ୍କ ୮ ବଲରେ ଅପରାଜିତ ୨୨ ଆରସିବିର ସ୍କୋରକୁ ୧୯୬ରେ ପହଞ୍ଚାଇବାରେ ବେଶ ସହାୟକ ହୋଇଥିଲା। ପାଡିକ୍କଲ ଧିମା ବ୍ୟାଟିଂ ପାଇଁ ଜଣାଶୁଣା। କିନ୍ତୁ ଏହି ସଂସ୍କରଣରେ ତାଙ୍କୁ ବଡ଼ ଶଟ ଖେଳିବାକୁ ସ୍ୱାଧୀନତା ମିଳିଛି। ଏହା ମଧ୍ୟ ଦଳକୁ ଫାଇଦା ଦେଇଛି।

ସମସ୍ତ ଖେଳାଳି ଗୋଟିଏ ଟିମ ହୋଇ ଖେଳିଛନ୍ତି। ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଭଲ ଭାବେ ଜଣା। ସେମାନେ ସେହି ଅନୁସାରେ ଯୋଗଦାନ ଦେଇଛନ୍ତି। ଏହାର ସବୁ ଶ୍ରେୟ ଟିମର ନେତୃବୃନ୍ଦଙ୍କ ପାଖକୁ ଯିବ। ଅଧିନାୟକ ରଜତ ପାଟିଦାର ସାମ୍ନାକୁ ଲିଡ କରି ୫୧ ରନର ଇନିଂସ ଖେଳିବା ପରେ ତାଙ୍କ କ୍ୟାପ୍ଟେନ୍ସିରେ ମଧ୍ୟ ବରିଷ୍ଠତା ଆସିଛି। ରନକୁ ଡିଫେଣ୍ଡ କରିବା ବେଳେ ବୋଲିଂରେ ବାରମ୍ବାର ପ୍ରଦର୍ଶନ ତାଙ୍କ ଦକ୍ଷତାର ପରିଚୟ ଦେଇଛି।

ଆରସିବି ଆଟାକିଂ କ୍ରିକେଟ ଖେଳିଥିବା ବେଳେ ଚେନ୍ନାଇ ବେଶ ଧିମା ଖେଳିଥିଲା। ଏଥିଯୋଗୁ ଦଳକୁ ୫୦ ରନରେ ହାରିବାକୁ ପଡ଼ିଛି।

IPL RCB CSK Vs RCB IPL 2025 RCB Vs CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe