Advertisment

ଶୁବମନ ଗିଲ୍‌ଙ୍କୁ ଚେତାବନୀ ଦେଲେ ରବି ଶାସ୍ତ୍ରୀ

ଅପେକ୍ଷା କରି ବସିଛନ୍ତି ଚେତେଶ୍ୱର ପୂଜାରା!

author-image
Jitendra Garnayak
Ravi Shastri and Shubaman Gill

Ravi Shastri and Shubaman Gill

ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଆଜି ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୬ଟି ୱିକେଟ୍ ହରାଇ ୩୩୬ ରନ୍ କରିଛି। ଓପନର ଯଶସ୍ୱୀ ଜୈସ୍ୱାଲ ୧୭୯ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରି ନଥିବା ଶୁବମନ ଗିଲଙ୍କ ଉପରେ ଆଜି ସମସ୍ତଙ୍କ ନଜର ଥିବା ବେଳେ ସେ ପୁଣି ନିରାଶ କରିଛନ୍ତି। ସେ ମାତ୍ର ୩୪ ରନ୍ (୪୬ ବଲ୍‌, ୫ ଚୌକା) କରି ଆଉଟ୍ ହୋଇଥିଲେ। ଜେମ୍ସ ଆଣ୍ଡରସନ୍ ତାଙ୍କୁ ଆଉଟ୍ କରିଥିଲେ।

Advertisment

ଶୁବମନଙ୍କ ଏହି ପ୍ରଦର୍ଶନରେ ଅସନ୍ତୋଷ ପ୍ରକାଶ କରି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ଚେତାବନୀ ଦେଇଛନ୍ତି। କମେଣ୍ଟ୍ରୀ ବେଳେ ଶୁବମନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରବି ଶାସ୍ତ୍ରୀ କହିଥିଲେ, ଏହା ହେଉଛି ଏକ ନୂଆ ଦଳ। ଏହା ଏକ ଯୁବ ଦଳ। ଏହି ଯୁବ ଖେଳାଳିମାନଙ୍କୁ ନିଜ ନିଜ ଦକ୍ଷତା ପ୍ରମାଣିତ କରିବାକୁ ପଡ଼ିବ। ଭୁଲ ନାହିଁ ଯେ ପୂଜାରା (ଚେତେଶ୍ୱର ପୂଜାରା) ଏବେ ବି ଅପେକ୍ଷାରେ ଅଛନ୍ତି। ରଣଜୀରେ ସେ ଭଲ ଖେଳୁଛନ୍ତି। ସେ ସବୁ ବେଳେ ରାଡାରରେ ଥା’ନ୍ତି।

ଶୁବମନ ଗିଲଙ୍କ ଦକ୍ଷତା ଉପରେ କାହାରି ସନ୍ଦେହ ନାହିଁ। ସେଥିପାଇଁ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ (୩ ନମ୍ବର)ରେ ଖେଳିବାକୁ ଦିଆଯାଉଛି। ତାଙ୍କୁ ଦଳ ପାଇଁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ନ ହେଲେ ଚାପ ବଢ଼ି ବଢ଼ି ଯିବ। ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ମିଶି ୨୩ ରନ୍ କରିଥିଲେ ଶୁବମନ ଗିଲ୍। ସେ ପ୍ରଥମ ଇନିଂସରେ ୨୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଖାତା ଖୋଲି ପାରି ନଥିଲେ। ଆଜି ସେ ଭଲ ଖେଳିବେ ବୋଲି ଲାଗୁଥିଲା। କିନ୍ତୁ ଅଧିକ ସମୟ ତିଷ୍ଠି ପାରି ନଥିଲେ।

Advertisment

ଅନ୍ୟପକ୍ଷରେ ଟିମ୍‌ରୁ ବାଦ୍ ପଡ଼ିଥିବା ଭେଟେରାନ୍ ଚେତେଶ୍ୱର ପୂଜାରା ଏବେ ସୌରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି। ସେ ୭ଟି ଇନିଂସରୁ ୫୩୮ ରନ୍ କରିଛନ୍ତି। ତା’ ମଧ୍ୟରେ ଏକ ଦ୍ୱିଶତକ ରହିଛି।

ପୂଜାରାଙ୍କର ବହୁ ଅନୁଭୂତି ଅଛି। ନୂଆ ନୂଆ ଯୁବ ଖେଳାଳି ଆସୁଥିବାରୁ ପୂଜାରା ଟିମ୍‌ରେ ସ୍ଥାନ ପାଇବା ସମ୍ଭାବନା କମ୍‌ ଥିଲେ ହେଁ, ସେ ଆଶା ଛାଡ଼ି ନାହାନ୍ତି। ହୁଏତ ଘରୋଇ ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ଦେଖିଲା ପରେ ଟିମ୍ ଇଣ୍ଡିଆର ଚୟନକର୍ତ୍ତାମାନେ ତାଙ୍କ ନାଁକୁ ପୁଣି ବିଚାରକୁ ନେଇପାରନ୍ତି। ସେଥିପାଇଁ ଆଜି କମେଣ୍ଟ୍ରୀ ବକ୍ସରୁ ରବି ଶାସ୍ତ୍ରୀ ସତର୍କ ରହିବାକୁ ଶୁବମନ ଗିଲ୍‌ଙ୍କୁ ଚେତାବନୀ ଦେଇଥିଲେ।

Shubman Gill Ravi Shastri