Advertisment

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ: ଫେରିଲେ ରବିଚନ୍ଦ୍ରନ ଅଶ୍ୱିନ

୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

Ravichandran Ashwin

Ravichandran Ashwin

Advertisment

ଅକ୍ଟୋବର ୫ରୁ ଆରମ୍ଭ ହେଉଥିବା ବିଶ୍ୱକପର ଠିକ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ଟିକିଆ ଦିନିକିଆ ସିରିଜ୍‌। ଏହି ସିରିଜକୁ କମବ୍ୟାକ କରିଛନ୍ତି ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।

Advertisment

ବିଶ୍ୱକପ ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ସ୍କ୍ୱାଡରେ ଅଶ୍ୱିନ ନଥିଲେ। କିନ୍ତୁ ଏସିଆ କପ ବେଳେ ଅକ୍ଷର ପଟେଲ ଆହତ ହୋଇଥିବାରୁ ପରୀକ୍ଷାମୂଳକ ଭାବେ ଅଶ୍ୱିନଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର କହିଛନ୍ତି।

ବିସିସିଆଇ ବିଶ୍ୱକପ ପାଇଁ ପ୍ରାଥମିକ ଭାବେ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ୨୮ ତାରିଖ ସୁଦ୍ଧା ଚୂଡ଼ାନ୍ତ ଖେଳାଳି ତାଲିକା ଦେବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ୨୭ ତାରିଖରେ ଶେଷ ହେବ।

Advertisment

ସିରିଜ ଶେଷ ବେଳକୁ ଯଦି ଅକ୍ଷର ପଟେଲ ଫିଟ ହୋଇ ନଥିବେ, ତା’ହେଲେ ଅଶ୍ୱିନ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯିବ। ଏବେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି।

ଅନ୍ୟପକ୍ଷରେ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିପାଇଁ ପ୍ରଥମ ଦୁଇଟି ଦିନିକିଆରେ ଦଳର କମାଣ ରୋହିତ ଶର୍ମାଙ୍କ ବଦଳରେ କେଏଲ ରାହୁଲ ସମ୍ଭାଳିବେ।

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଉପ ଅଧିନାୟକ ରହିବେ। ପ୍ରଥମ ଦୁଇଟି ଦିନିକିଆରେ ରୋହିତ ଓ ପାଣ୍ଡ୍ୟାଙ୍କ ସମେତ ବିରାଟ କୋହଲି ଓ କୁଲଦୀପ ଯାଦବ ନାହାନ୍ତି। ଏମାନେ ସମସ୍ତେ ବିଶ୍ୱକପ ସ୍କ୍ୱାଡରେ ଥିବାରୁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି।

ତେବେ ତୃତୀୟ ଦିନିକିଆ ବେଳକୁ ଏମାନେ କମବ୍ୟାକ କରିବେ। ତୃତୀୟ ଦିନିକିଆରେ ରୋହିତ ଅଧିନାୟକ ଓ ପାଣ୍ଡ୍ୟା ତାଙ୍କୁ ଡେପୁଟି ଭାବେ କାମ କରିବେ। ସ୍କ୍ୱାଡକୁ ବିରାଟ ଓ କୁଲଦୀପ ମଧ୍ୟ ଫେରିବେ। ତୃତୀୟ ଦିନିକିଆରେ ଅକ୍ଷର ପଟେଲଙ୍କ ନାଁ ଥିଲେ ମଧ୍ୟ ତାଙ୍କ ଫିଟନେସ ଉପରେ ନଜର ରଖାଯାଇଛି।

ଯଦି ସେ ଫିଟ ହେବେ, ତା’ହେଲେ ତାଙ୍କୁ ବିଶ୍ୱକପକୁ ମଧ୍ୟ ନିଆଯିବ। ତୃତୀୟ ଦିନିକିଆ ସ୍କ୍ୱାଡରେ ମୋଟ ୧୭ ଜଣ ଖେଳାଳି ଅଛନ୍ତି। ବିଶ୍ୱକପ ସ୍କ୍ୱାଡରେ ଥିବା ୧୫ ଜଣ (ଅକ୍ଷର)ଙ୍କ ବ୍ୟତୀତ ଅଶ୍ୱିନ ଓ ସୁନ୍ଦର ଏଥିରେ ରହିଛନ୍ତି।

ଏହାବାଦ ବିଶ୍ୱକପ ସ୍କ୍ୱାଡରେ ନଥିବା ପ୍ରସିଦ୍ଧ କୃଷ୍ଣ, ଋତୁରାଜ ଗାଏକ୍ୱାଡ ଓ ତିଲକ ବର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ସ୍କ୍ୱାଡରେ ସୁଯୋଗ ମିଳିଛି।

ପ୍ରଥମ ଦୁଇ ଦିନିକିଆ ପାଇଁ ସ୍କ୍ୱାଡ: କେଏଲ ରାହୁଲ(ଅଧିନାୟକ), ରବୀନ୍ଦ୍ର ଜାଡେଜା(ଉପ ଅଧିନାୟକ), ଋତୁରାଗ ଗାଏକ୍ୱାଡ, ଶୁବମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଈଶାନ କିଶନ, ଶାର୍ଦ୍ଦୁଲ ଠାକୁର, ୱାଶିଂଟନ ସୁନ୍ଦର, ରବି ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ପ୍ରସିଦ୍ଧ କୃଷ୍ଣ।

ତୃତୀୟ ଦିନିକିଆ ପାଇଁ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ, କେଏଲ ରାହୁଲ(ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ରବି ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।

Bcci Indian Cricket Team Ravichandran Ashwin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe