Advertisment

ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ

୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବା ଠାରୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ।

author-image
Hemant Lenka
Ashwin

Ashwin

ଭାରତର ଭେଟରାନ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନଙ୍କ ଐତିହାସିକ ରେକର୍ଡ। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ନେଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲୀଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଛନ୍ତି।

Advertisment

୫୦୦ ୱିକେଟ କୀର୍ତ୍ତିମାନ ହାସଲ କରିବା ଠାରୁ ଅଶ୍ୱିନ ମାତ୍ର ଗୋଟିଏ ୱିକେଟ ପଛରେ ଥିଲେ। ତାଙ୍କ ୱିକେଟ ସଂଖ୍ୟା ୪୯୯ ଥିଲା। ୫୦୦ ୱିକେଟ ଦଖଲ କରିବାର ସ୍ୱପ୍ନ ଆଜି ଅଶ୍ୱିନଙ୍କର ପୂରଣ ହୋଇଛି। ସେ ଭାରତର ଦ୍ରୁତତମ ବୋଲର ଭାବେ ୫୦୦ ୱିକେଟ ଦଖଲ କରିଛନ୍ତ। ପୂର୍ବରୁ ଏହି ରେକର୍ଡ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କ ନାଁରେ ଥିଲା।

କୁମ୍ବଲେ ୧୦୫ ମ୍ୟାଚ୍‌ରେ ୫୦୦ ୱିକେଟ ନେଇଥିଲେ। କିନ୍ତୁ ଅଶ୍ୱିନ ୯୭ଟି ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ତେବେ ବିଶ୍ୱର ଦ୍ରୁତତମ ୫୦୦ ୱିକେଟ ଦଖଲକାରୀ କ୍ରିକେଟରଙ୍କ ମଧ୍ୟରେ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର ରହିଛନ୍ତି। ସେ ମାତ୍ର ୮୭ଟି ମ୍ୟାଚ୍‌ରେ ୫୦୦ ୱିକେଟ ଦଖଲ କରିଥିଲେ।

Advertisment

ଏମାନଙ୍କ ବ୍ୟତୀତ ଶେନ ୱାର୍ଣ୍ଣ (୧୦୮ ମ୍ୟାଚ), ଗ୍ଲେନ ମ୍ୟାଗ୍ରାଥ(୧୧୦ ମ୍ୟାଚ୍‌), ୱାଲଶ(୧୨୯ ମ୍ୟାଚ୍‌), ଜେମ୍ସ ଆଣ୍ଡରସନ(୧୨୯ ମ୍ୟାଚ୍‌), ଷ୍ଟୁଆର୍ଟ ବ୍ରଡ(୧୪୦ ମ୍ୟାଚ୍‌) ମଧ୍ୟ ଦ୍ରୁତତମ ବୋଲର ଭାବେ ୫୦୦ ୱିକେଟ ଟେଷ୍ଟ କ୍ରିକେଟରେ ଦଖଲ କରିଛନ୍ତି।

ଅଶ୍ୱିନ ତୃତୀୟ ଅପ ସ୍ପିନର ଭାବେ ୫୦୦ ୱିକେଟ କ୍ଲବରେ ନିଜକୁ ସାମିଲ କରିଛନ୍ତି। ସେହିପରି ସେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। କୁମ୍ବଲେ ୧୩୨ ଟେଷ୍ଟରେ ୬୧୯ ୱିକେଟ ସହ ତାଙ୍କ ଉପରେ ରହିଛନ୍ତି।

୫୦୦ ୱିକେଟ ନେଇଥିବା ଅନ୍ୟ ଅପସ୍ପିନରମାନେ ହେଲେ ଶ୍ରୀଲଙ୍କାର ମୁରଲୀଧରନ(୮୦୦ ୱିକେଟ) ଓ ଅଷ୍ଟ୍ରେଲିଆର ନାଥନ ଲାୟନ(୫୧୭)। ଟେଷ୍ଟ କ୍ରିକେଟରେ ଅଶ୍ୱିନ ୯ମ ବୋଲର ଭାବେ ୫୦୦ ୱିକେଟ ନେଇଛନ୍ତି। ୯୭ତମ ଟେଷ୍ଟରେ ସେ ଏପରି ସଫଳତା ପାଇଛନ୍ତି।

୨୦୧୧ରେ ଟେଷ୍ଟରେ ଡେବ୍ୟୁ କରିଥିବା ଅଶ୍ୱିନ ନିୟମିତ ଭାବେ ନିଜର ଶାଣିତ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରି ଆସିଛନ୍ତି। ପ୍ରକୃତରେ ଅଶ୍ୱିନ ନିଜର କ୍ରିକେଟ କ୍ୟାରିୟର ଜଣେ ଟପ ଅର୍ଡର ବ୍ୟାଟର ଭାବେ ଆରମ୍ଭ କରିଥିଲେ।

ଚେନ୍ନାଇରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଅଶ୍ୱିନ ମିଡିୟମ ପେସ ବୋଲିଂ କରୁଥିଲେ। କିନ୍ତୁ ବ୍ୟାକ ଇଞ୍ଜୁରୀ ଯୋଗୁ ସେ ଅପ ସ୍ପିନ ବୋଲିଂ କରିବା ଆରମ୍ଭ କରିଥିଲେ। ଏବେ ସେ ଭାରତର ତଥା ବିଶ୍ୱର ପ୍ରମୁଖ ଅପସ୍ପିନର ବନି ଯାଇଛନ୍ତି।

ଅଶ୍ୱିନ ତାଙ୍କର ପ୍ରଥମ ୧୬ ଟେଷ୍ଟରେ ୯ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ। ସେହିପରି ସେ ଦ୍ରୁତତମ ବୋଲର ଭାବେ ୩୦୦ ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଥିଲେ।

କେବଳ ଟେଷ୍ଟ ନୁହେଁ, ଭାରତ ପାଇଁ ୧୧୬ ଦିନିକିଆରେ ସେ ୧୫୬ ୱିକେଟ ଓ ୬୫ଟି ଟି-୨୦ରେ ୭୨ଟି ୱିକେଟ ଦଖଲ କରିଛନ୍ତି।

India Vs England Ravichandran Ashwin Test Cricket Test Match