Advertisment

ରବୀନ୍ଦ୍ର ଜାଡେଜାଙ୍କୁ ମିଳିଲା ଦଣ୍ଡ, କଟିଲା ମ୍ୟାଚ୍‌ ଫି’

ଜାଡେଜା ବିନା ଅନୁମତିରେ କ୍ରିମ ଲଗାଇ ଆଇସିସି କୋଡ ଅଫ କଣ୍ଡକ୍ଟର ଲେଭଲ ୧ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଥିବା ବେଳେ ତାଙ୍କ ମ୍ୟାଚ୍‌ ଫି’କୁ ୨୫% କଟାଯାଇଛି।

Ravindra Jadeja

Ravindra Jadeja

Advertisment

ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ କମାଲ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ମିଳିଛି ଦଣ୍ଡ। ସେ ଟେଷ୍ଟ ମ୍ୟାଚ୍‌ରେ ଦମଦାର ବୋଲିଂ କରିବା ସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ପାଇଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବେଳେ ବ୍ୟାଟିଂରେ ୭୦ ରନ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୨ଟି ସଫଳତା ପାଇଛନ୍ତି।

Advertisment

ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଆହତ ସମସ୍ୟାରୁ ମୁକୁଳିବା ପରେ ଜାଡେଜାଙ୍କର ଏହା ଥିଲା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ସେ ନିଜର କମବ୍ୟାକ୍‌ ମ୍ୟାଚରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଭାରତ ମଧ୍ୟ ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ହରାଇବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ୪ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିରେ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। 

ତେବେ ଏତେ ସବୁ ସଫଳତା ପରେ ଜାଡେଜାଙ୍କ ମ୍ୟାଚ୍‌ ଫି’ କଟା ଯାଇଛି। ସେ ପ୍ରଥମ ଇନିଂସରେ ଏମିତି କିଛି ଆଚରଣ କରିଥିଲେ, ଯେଉଁଥିପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଅମ୍ପାୟାରଙ୍କ ବିନା ଅନୁମତିରେ ନିଜ ଆଙ୍ଗୁଠିରେ ଯନ୍ତ୍ରଣା ହ୍ରାସ କରିବା ପାଇଁ ସ୍ୱତନ୍ତ୍ର କ୍ରିମ ଲଗାଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

Advertisment

ପ୍ରଥମେ ଜାଡେଜା ବଲ୍‌ରେ କିଛି କ୍ରିମ ଲଗାଉଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ନିଜ ଆଙ୍ଗୁଳିରେ ଯନ୍ତ୍ରଣା ହ୍ରାସ ପାଇଁ କ୍ରିମ ଲଗାଉଥିବା ଜଣାପଡ଼ିଥିଲା। ତଥାପି ସେ ଅମ୍ପାୟାରଙ୍କ ବିନା ଅନୁମତିରେ ଏପରି କରିଥିବାରୁ ତାଙ୍କ ମ୍ୟାଚ୍‌ ଫି’ ୨୫% କାଟି ଦିଆଯାଇଛି।

ଜାଡେଜା ବିନା ଅନୁମତିରେ କ୍ରିମ ଲଗାଇ ଆଇସିସି କୋଡ ଅଫ କଣ୍ଡକ୍ଟର ଲେଭଲ ୧ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଥିବା ବେଳେ ତାଙ୍କ ମ୍ୟାଚ୍‌ ଫି’କୁ ୨୫% କଟାଯାଇଛି।

ନାଗପୁରରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ପ୍ରଥମ ଦିନରେ ପୂରା ଘଟଣା ଘଟିଥିଲା। ଅଷ୍ଟ୍ରେଲିଆ ଇନିଂସର ୪୬ତମ ଓଭରରେ ଜାଡେଜା ବୋଲିଂ କରିବାକୁ ଆସିଥିବା ବେଳେ ନିଜ ଆଙ୍ଗୁଠିରେ କିଛି କ୍ରିମ ଲଗାଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜାଡେଜା ପ୍ରଥମେ ମହମ୍ମଦ ସିରାଜଙ୍କ ଠାରୁ କିଛି କ୍ରିମ ଆକାରର ଜିନିଷ ଆଣିଥିଲେ।

ଏହାପରେ ଏହାକୁ ତାଙ୍କ ବାମ ହାତର ଆଙ୍ଗୁଳିରେ ଲଗାଇଥିଲେ। ସୋଶାଲ ମିଡିଆରେ ଜାଡେଜା ବଲରେ କ୍ରିମ ଲଗାଉଥିବା ପ୍ରଚାର ହୋଇଥିଲା। କିନ୍ତୁ ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ମ୍ୟାଚ୍‌ ରେଫରୀଙ୍କୁ ଭେଟି ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲା। ଜାଡେଜାଙ୍କ ସ୍ପିନିଂ ଆଙ୍ଗୁଳି ଫୁଲି ଥିବାରୁ ସେ କ୍ରିମ ଲଗାଉଥିଲେ ବୋଲି ମ୍ୟାନେଜମେଣ୍ଟ କହିଥିଲା।

ଏହାକୁ ମଧ୍ୟ ମ୍ୟାଚ୍‌ ରେଫରୀ ଗ୍ରହଣ କରିଥିଲେ। କିନ୍ତୁ ଅମ୍ପାୟାରଙ୍କ ବିନା ଅନୁମତିରେ ସେ ଏପରି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ୨୪ ମାସ ମଧ୍ୟରେ ଜାଡେଜା ପ୍ରଥମଥର ପାଇଁ ନିୟମ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ଏହି ଦଣ୍ଡକୁ ସେ ଗ୍ରହଣ ମଧ୍ୟ କରି ନେଇଛନ୍ତି।

India Vs Australia Indian Cricket Team Border-Gavaskar Trophy Bcci ICC INDvsAUS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe