Advertisment

T20 World Cup: ଓମାନ ବିପକ୍ଷରେ ଜିମ୍ବାୱେର ଏକତରଫା ବିଜୟ

ବୋଲିଂରେ କମାଲ କରିଥିବା ଦ୍ରୁତ ବୋଲର ବ୍ଲେସିଂ ମୁଜରବାନି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି। ସେ ୪ ଓଭରରେ ମାତ୍ର ୧୬ ରନ ଦେଇ ଓମାନର ୩ ବ୍ୟାଟରଙ୍କୁ ଆଉଟ କରିଥିଲେ।

author-image
Hemant Lenka
ZIM

ଶଟ ଖେଳୁଛନ୍ତି ବେନ୍ନେଟ୍ଟ

ଟି-୨୦ ବିଶ୍ୱକପ(T20 World Cup) ୨୦୨୬ ଅଭିଯାନ ବିଜୟରୁ ଆରମ୍ଭ କରିଛି ସିକନ୍ଦର ରାଜାଙ୍କ ଜିମ୍ବାୱେ। ଆଜି କଲମ୍ବୋରେ ଖେଳା ଯାଉଥିବା ନିଜର ପ୍ରଥମ ମୁକାବିଲାରେ ଜିମ୍ବାୱେ ଏକତରଫା ଭାବେ ଓମାନକୁ ହରାଇ ଦେଇଛି। ପ୍ରଥମେ ବୋଲିଂ କରି ଓମାନକୁ ମାତ୍ର ୧୦୩ ରନରେ ଅଲଆଉଟ କରି ଦେଇଥିଲା ଜିମ୍ବାୱେ। ଏହାପରେ ୧୩.୩ ଓଭରରେ ଦଳ ମାତ୍ର ୨ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

ଜିତିବା ପାଇଁ ମାତ୍ର ୨ ରନ ଦରକାର ଥିବା ବେଳେ ଚୌକା ମାରି ଅଧିନାୟକ ରାଜା ବିଜୟ ମୁଣ୍ଡି ମାରିଛନ୍ତି। ତେବେ ବୋଲିଂରେ କମାଲ କରିଥିବା ଦ୍ରୁତ ବୋଲର ବ୍ଲେସିଂ ମୁଜରବାନି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି। ସେ ୪ ଓଭରରେ ମାତ୍ର ୧୬ ରନ ଦେଇ ଓମାନର ୩ ବ୍ୟାଟରଙ୍କୁ ଆଉଟ କରିଥିଲେ। 

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଓମାନ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ପ୍ରଥମ ୫ ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଆମୀର କମଲୀନ ୫ ରନ, ଅଧିନାୟକ ଜତିନ୍ଦର ସିଂହ ୫, ହାମଦ ମିର୍ଜା ୦, କରନ ସୋନାଭାଲେ ୦ ଓ ୱାସିମ ଅଲୀ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

ପ୍ରଥମ ୫ ୱିକେଟରୁ ମୁଜରବାନି ୩ଟି, ରିଚାର୍ଡ ନାଗରଭା ଓ ସିକନ୍ଦର ରାଜା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ୨୭ ରନରେ ଓମାନ ୫ ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ସୁଫୟାନ ମେହମୁଦ ଓ ବିନାୟକ ଶୁକ୍ଳା ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୬୯ ରନରେ ପହଞ୍ଚାଇଥିଲେ। ଏତିକି ବେଳେ ୨୧ ବଲରେ ୨୮ ରନ କରିଥିବା ଶୁକ୍ଳାଙ୍କୁ ନାଗରଭା ଆଉଟ କରି ଓମାନକୁ ୬ଷ୍ଠ ଝଟକା ଦେଇଥିଲେ। ସମାନ ଓଭରର ଶେଷ ବଲରେ ଜିତେନ ରାମାଣ୍ଡି(୧) ମଧ୍ୟ ନାଗରଭାଙ୍କ ଶିକାର ବନିଥିଲେ। 

ଦଳୀୟ ସ୍କୋର ୭୬ ଥିବା ବେଳେ ସୁଫୟାନ ମଧ୍ୟ ୨୫ ରନ କରି ବ୍ରାଡ ଇଭାନ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ନଦୀମ ଖାନ ୨୦ ରନ କରିବାରୁ ଓମାନ ବହୁତ କଷ୍ଟରେ ୧୦୦ ରନ ପାର କରିଥିଲା। ତାଙ୍କୁ ଇଭାନ୍ସ ୧୯.୫ ଓଭରରେ ଆଉଟ ଓମାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏହାପୂର୍ବରୁ ଶକୀଲ ଅହମଦଙ୍କୁ ମଧ୍ୟ ଇଭାନ୍ସ କ୍ଲିନବୋଲ୍ଡ କରିଥିଲେ। 

ଜିମ୍ବାୱେ ପକ୍ଷରୁ ମୁଜରବାନି, ନାଗରଭା ଓ ଇଭାନ୍ସ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ରାଜାଙ୍କୁ ଗୋଟିଏ ସଫଳତା ମିଳିଛି।

୧୦୪ ରନର ପିଛା କରିବାକୁ ଓହ୍ଲାଇଥିବା ଜିମ୍ବାୱେ ଆରମ୍ଭରୁ ଆଟାକିଂ ଶଟ ଖେଳିଥିଲା। ଟି ମରୁମାନି ଓ ବ୍ରାଏନ ବେନ୍ନେଟ୍ଟ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ତେବେ ଦଳୀୟ ସ୍କୋର ୩୦ ଥିବା ବେଳେ ମରୁମାନି ୧୧ ବଲରେ ୧୧ ରନ କରି ସୁଫୟାନଙ୍କ ବଲରେ ଆଉଟ ହୋଇଥିଲେ। ଏହାର ଗୋଟିଏ ବଲ ପରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିନୟ ଫେରିଥିଲେ ଡିଓନ ମେୟର୍ସ।

ଲଗାତର ଦୁଇଟି ୱିକେଟ ହରାଇଥିବା ଜିମ୍ବାୱେକୁ ଏତିକି ବେଳେ ସମ୍ଭାଳିଥିଲେ ବେନ୍ନେଟ୍ଟ ଓ ଅଭିଜ୍ଞ ବ୍ରେଣ୍ଡନ ଟେଲର। ଉଭୟ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ ପାଇଁ ୫୬ ବଲରେ ୬୮ ରନ ଯୋଡ଼ିଥିଲେ। ତେବେ ଦଳକୁ ଜିତିବା ପାଇଁ ମାତ୍ର ୬ ରନ ଦରକାର ଥିବା ବେଳେ ବ୍ୟକ୍ତିଗତ ୩୧ ରନ କରି ରିଟାର୍ଡ ହର୍ଟ ହୋଇଥିଲେ ଟେଲର। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରାଜାଙ୍କ ସହ ମିଶି ବେନ୍ନେଟ୍ଟ ବାକି ରନ ହାସଲ କରି ନେଇଥିଲେ। 

ଦଳକୁ ଜିତିବାକୁ ୨ ରନ ଦରକାର ଥିବା ବେଳେ ସିକନ୍ଦର ରାଜା ଚୌକା ମାରି ଜିମ୍ବାୱେକୁ ୮ ୱିକେଟରେ ବିଜୟ ଭେଟି ଦେଇଥିଲେ। ବେନ୍ନେଟ୍ଟ ଶେଷ ଯାଏ ୪୮ ରନ ଓ ରାଜା ୨ ବଲରେ ୫ ରନ କରି ଅପରାଜିତ ରହିଥିଲେ। 

T20 World Cup