Advertisment

ଟିମକୁ ବିକ୍ରି କରିବାକୁ ଲୋକ ଖୋଜୁଛନ୍ତି ଆରସିବି ମାଲିକ

୧୮ ବର୍ଷ ପରେ ଆରସିବି ଆଇପିଏଲ ଟ୍ରଫି ଜିତିଥିବାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏସବୁ ଭିତରେ ଦଳର ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ହୋଇଥିବା ଦଳଚକଟା ବିବାଦ ମଧ୍ୟ ସୃଷ୍ଟି କରିଛି।

RCB

RCB

Advertisment

ଦୀର୍ଘ ୧୭ ବର୍ଷର ଅପେକ୍ଷା ଓ ୧୮ତମ ପ୍ରୟାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ଆଇପିଏଲ ଟ୍ରଫି ପ୍ରଥମଥର ପାଇଁ ୨୦୨୫ରେ ଜିତିଥିଲା। ୧୮ ବର୍ଷ ପରେ ଆରସିବି ଆଇପିଏଲ ଟ୍ରଫି ଜିତିଥିବାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏସବୁ ଭିତରେ ଦଳର ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ହୋଇଥିବା ଦଳଚକଟା ବିବାଦ ମଧ୍ୟ ସୃଷ୍ଟି କରିଛି। ତଥାପି ଆରସିବିର ବ୍ରାଣ୍ଡ ମୂଲ୍ୟ ଆକାଶ ଛୁଆଁ ରହିଛି।

Advertisment

ଏପରି ସ୍ଥିତିରେ ଆରସିବି ମାଲିକ ଟିମକୁ ବିକ୍ରି କରିବାକୁ ନୂଆ ଲୋକ ଖୋଜିବା ଆରମ୍ଭ କରିଛନ୍ତି। ଏବେ ପ୍ରାଞ୍ଚାଇଜର ମାଲିକାନା Diageo Plc ପାଖରେ ରହିଛି। ଏହି ସଂସ୍ଥା ଏବେ ପ୍ରାଞ୍ଚାଇଜକୁ ଆଶିଂକ କିମ୍ବା ସଂପୂର୍ଣ୍ଣ ଭାବେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଆରସିବି ବ୍ରାଣ୍ଡ ମୂଲ୍ୟ ଟ୍ରଫି ଜିତିବା ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବାରୁ ଏହାକୁ ବିକ୍ରି କରିବାକୁ ମାଲିକ ଚାହୁଁଛନ୍ତି।

ଆରସିବିକୁ Diageo Plc ପକ୍ଷରୁ ୟୁନାଇଟେଡ ସ୍ପିରିଟ୍ସ ଲିଃ ଭାରତରେ ପରିଚାଳନା କରୁଛି। ଏବେ ସଂସ୍ଥା ସମ୍ଭାବ୍ୟ ନିବେଶକାରୀଙ୍କ ସହ ଆରସିବିର ମାଲିକାନା ବିକ୍ରି ପାଇଁ କଥାବାର୍ତ୍ତା ଆରମ୍ଭ କରିଦେଇଛି। ଯଦିଓ ପ୍ରାଞ୍ଚାଇଜ କେତେ ଟଙ୍କାରେ ଏହାକୁ ବିକ୍ରି କରିବ, ସେକଥା ଆକଳନ କରାଯାଇ ନାହିଁ, ତଥାପି ବ୍ଲୁମବର୍ଗରେ କୁହାଯାଇଛି ଯେ ଆରସିବି ମାଲିକ ଟିମକୁ ସଂପୂର୍ଣ୍ଣ ଭାବେ ବିକ୍ରି କରିବା ପାଇଁ ୨ ବିଲିୟନ ଡଲାର ବା ପ୍ରାୟ ୧୬,୮୩୪ କୋଟି ଟଙ୍କା ଦାବି କରିପାରନ୍ତି।

Advertisment

ବ୍ରିଟିଶ ଡିଷ୍ଟିଲେର ଓ ୟୁନାଇଟେଡ ସ୍ପିରିଟ୍ସ ଲିଃର ମୂଳ କମ୍ପାନୀ Diageo Plc ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ଥିବା ନିଜର ଶେୟାରକୁ ଏବେ ସଂପୂର୍ଣ୍ଣ ଭାବେ ନା ଆଶିଂକ ଭାବେ ବିକ୍ରି କରିବ, ତା’ର ଆକଳନ କରୁଛି। ନିକଟରେ ଆରସିବି ଚାମ୍ପିୟନ ହୋଇଥିବାରୁ ଏହାର ଫାଇଦା ଉଠାଇବାକୁ ଏହାର ମାଲିକମାନେ ଚାହୁଁଛନ୍ତି।

ଆରସିବିର ସମ୍ଭାବ୍ୟ ବିକ୍ରି ଖବର ସାମ୍ନାକୁ ଆସିବା ପରେ ୟୁନାଇଟେଡ ସ୍ପିରିଟ୍ସର ଶେୟାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଏହି ଖବର ମିଳିବା ମାତ୍ରେ କମ୍ପାନୀର ଶେୟାର ମୂଲ୍ୟରେ ୩.୩% ଅଭିବୃଦ୍ଧି ହୋଇଛି। କିନ୍ତୁ ଫ୍ରାଞ୍ଚାଇଜକୁ ବିକ୍ରି କରାଯିବ କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

କେମିତି Diageo ଆରସିବିକୁ କିଣିଥିଲା?

୨୦୦୮ ଆଇପିଏଲରେ ଯେତେବେଳେ ପ୍ରାଞ୍ଚାଇଜ ଡେବ୍ୟୁ କରିଥିଲା ସେତେବେଳେ ଏହାର ମାଲିକାନା ବିଜୟ ମାଲ୍ୟାଙ୍କ ହାତରେ ରହିଥିଲା। ବିଜୟ ମାଲ୍ୟା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ଥିଲେ ଓ ଭାରତରେ ସେ ମଦ ବ୍ୟବସାୟର ଟାଇକୁନ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତେବେ ଋଣ ଜାଲିଆତିରେ ମାଲ୍ୟା ଫସିବାରୁ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିଲା। ଏହାର ଫାଇଦା Diageo ଉଠାଇଥିଲା।

Diageo ଭାରତରେ ଥିବା ୟୁନାଇଟେଡ ସ୍ପିରିଟ୍ସ ଜରିଆରେ ଆରସିବିର ମାଲିକାନା ହାତେଇଥିଲା। ଆରସିବି ୨୦୨୫ ଯାଏ ଟ୍ରଫି ଜିତି ନଥିଲେ ହେଁ ଲୋକ ପ୍ରିୟତାର ଶୀର୍ଷରେ ରହିଥିଲା। ଏବେ ଟ୍ରଫି ଜିତିବା ପରେ ଏହାର ବ୍ରାଣ୍ଡ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି।

IPL RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe