Advertisment

ରେକର୍ଡ ରନ ଚେଜ୍‌ ସହ ଆଇପିଏଲରେ ଇତିହାସ ରଚିଲା ଆରସିବି

୨୨୮ ରନର ବିଶାଳ ଟାର୍ଗେଟକୁ ଦଳ ୮ ବଲ ପୂର୍ବରୁ ହାସଲ କରି ନେଇଛି। ଆଇପିଏଲ ଇତିହାସରେ ଆରସିବି ପ୍ରଥମଥର ପାଇଁ ଏତେ ରନକୁ ପିଛା କରି ସଫଳତାର ସହ ହାସଲ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
RCB

RCB

ଆଇପିଏଲ ଇତିହାସରେ ପୂର୍ବରୁ କୌଣସି ଟିମ ଯାହା କରି ପାରି ନଥିଲେ, ସେକଥା କରି ଦେଖାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି। ଦଳର କାମଚଳା ଅଧିନାୟକ ଜିତେଶ ଶର୍ମାଙ୍କ ବିସ୍ଫୋରକ ତଥା ଅପରାଜିତ ୮୫ ରନ ବଳରେ ଆରସିବି ନୂଆ ଇତିହାସ ସୃଷ୍ଟି କରିଛି। ୨୦୨୫ ଆଇପିଏଲରେ ନିଜର ଶେଷ ଲିଗ୍ ମ୍ୟାଚ୍‌ରେ ଆରସିବି ୬ ୱିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇ ଦେଇଛି।

Advertisment

୨୨୮ ରନର ବିଶାଳ ଟାର୍ଗେଟକୁ ଦଳ ୮ ବଲ ପୂର୍ବରୁ ହାସଲ କରି ନେଇଛି। ଆଇପିଏଲ ଇତିହାସରେ ଆରସିବି ପ୍ରଥମଥର ପାଇଁ ଏତେ ରନକୁ ପିଛା କରି ସଫଳତାର ସହ ହାସଲ କରିବାକୁ ସକ୍ଷମ ହୋଇଛି। ସେହିପରି ଆଇପିଏଲ ଇତିହାସରେ ଏତେ ରନ ଚେଜ୍‌ କରିବା ତାଲିକାରେ ଆରସିବି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ସର୍ବାଧିକ ରନ ଚେଜ କରିଥିବା ଦଳର ତାଲିକାରେ ପଞ୍ଜାବ କିଙ୍ଗସ ୧ ନଂ ସ୍ଥାନରେ ଓ ସନ ରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ସ୍ଥାନରେ ରହିଛି। 

ମଙ୍ଗଳବାର ବିଜୟ ସହ ଆରସିବି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛି। ଦଳ ଘର ବାହାରେ ଚଳିତ ସିଜିନରେ ଖେଳିଥିବା ସମସ୍ତ ୭ଟି ଯାକ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଆଇପିଏଲରେ ଗୋଟିଏ ଟିମ ତା’ର ହୋମ ଗ୍ରାଉଣ୍ଡରେ ୭ଟି ଓ ବାହାରେ ୭ଟି ମ୍ୟାଚ୍‌ ଖେଳିଥାଏ। ଆରସିବି ପ୍ରଥମଥର ଭାବେ ଗୋଟିଏ ସିଜିନରେ ଘର ବାହାରେ କୌଣସି ମ୍ୟାଚ୍‌ ନ ହାରିବା ରେକର୍ଡର ଅଧିକାରୀ ହୋଇଛି।

Advertisment

ଆରିସିବି ତା’ର ୨୦୨୫ ଆଇପିଏଲ ଅଭିଯାନ ବିଜୟରୁ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ ଦଳ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଇଡେନ ଗାର୍ଡେନ୍ସରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଆରସିବି ୭ ୱିକେଟରେ ଜିତିଥିଲା। ଏହାପରେ ଚେନ୍ନାଇକୁ ଚେପକରେ, ମୁମ୍ବାଇକୁ ୱାଙ୍ଖେଡେରେ, ରାଜସ୍ଥାନ ରୟାଲ୍ସକୁ ସୱାଇ ମାନସିଂହ ଷ୍ଟାଡିୟମରେ, ପଞ୍ଜାବ କିଙ୍ଗସକୁ ମୁଲ୍ଲାନପୁରରେ, ଦିଲ୍ଲୀ କ୍ୟାପିଟାଲ୍ସକୁ କୋଟଲାରେ ଓ ମଙ୍ଗଳବାର ଦଳ ଲକ୍ଷ୍ନୌକୁ ଏକନା ଷ୍ଟାଡିୟମରେ ହରାଇଛି।

ଆରସିବି ମଙ୍ଗଳବାର ମ୍ୟାଚ ପୂର୍ବରୁ ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏକନା ଷ୍ଟାଡିୟମରେ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଦଳ ପରାସ୍ତ ହୋଇଥିଲା। କିନ୍ତୁ ଉକ୍ତ ମ୍ୟାଚ୍‌ରେ ଆରସିବି ହୋଷ୍ଟ ଦାୟିତ୍ୱରେ ଥିଲା। କାରଣ ଉକ୍ତ ମ୍ୟାଚ୍‌ଟି ବାସ୍ତବରେ ବେଙ୍ଗାଲୁରୁରେ ଖେଳା ଯିବାର ଥିଲା। କିନ୍ତୁ ବର୍ଷା ଯୋଗୁ ଏହା ଲକ୍ଷ୍ନୌକୁ ସ୍ଥାନାନ୍ତର ହୋଇଥିଲା। ତେଣୁ ଆରସିବି ନିରପେକ୍ଷ ଭେନ୍ୟୁରେ ନିଜର ହୋମ ଗେମ ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲା।

ଆରସିବି ଗୋଟିଏ ସିଜିନିରେ ପ୍ରଥମଥର ଦଳ ଭାବେ ସମସ୍ତ ୭ଟି ଯାକ ଘର ବାହାରେ ଖେଳାଯାଇଥିବା ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ପୂର୍ବରୁ କୋଲକାତା ଓ ମୁମ୍ବାଇ ମିଳିତ ଭାବେ ଏହି ରେକର୍ଡର ଅଧିକାରୀ ରହିଥିଲେ। ଉଭୟ ଦଳ ୨୦୧୨ରେ ଘର ବାହାରେ ଖେଳିଥିବା ୮ଟି ମ୍ୟାଚ୍‌ରୁ ୭ଟି ଲେଖାଏ ମ୍ୟାଚ୍‌ ଜିତିଥିଲେ।

ଆରସିବି ଘରେ ଅର୍ଥାତ ଚିନ୍ନାସ୍ୱାମୀରେ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟିରେ ହାରିଛି। ଦଳ ଚେନ୍ନାଇ ଓ ରାଜସ୍ଥାନକୁ ହରାଇଥିଲେ ହେଁ ଗୁଜରାଟ, ଦିଲ୍ଲୀ ଓ ପଞ୍ଜାବ ଠାରୁ ହାରିଥିଲା। ମଙ୍ଗଳବାର ଆରସିବି ରେକର୍ଡ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଦଳ ଆସନ୍ତାକାଲି ପଞ୍ଜାବ କିଙ୍ଗସ ବିପକ୍ଷରେ ପ୍ରଥମ କ୍ୱାଲିଫାୟାର ଖେଳିବ। ଏହି ମ୍ୟାଚ ନୂଆ ଚଣ୍ଡିଗଡ଼ରେ ଖେଳାଯିବ।

IPL RCB IPL 2025