Advertisment

ଆଇପିଏଲ ଫାଇନାଲ: ୧୭ ବର୍ଷର ଅପେକ୍ଷା, ୧୮ତମ ପ୍ରୟାସ ଓ ଗୋଟିଏ ସ୍ୱପ୍ନ

୧୭ ବର୍ଷର ଅପେକ୍ଷା ଓ ୧୮ତମ ପ୍ରୟାସରେ ଉଭୟ ଆରସିବି ଓ ପଞ୍ଜାବ ନିଜର ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
IPL

IPL

ବିଶ୍ୱର ସବୁଠାରୁ ଲୋକପ୍ରିୟ ଓ ବ୍ୟୟବହୁଳ କ୍ରିକେଟ ଲିଗ ଆଇପିଏଲ ଜଣେ ନୂଆ ବିଜେତାଙ୍କୁ ଦେଖିବାକୁ ଯାଉଛି। କାରଣ ମଙ୍ଗଳବାର ଆଇପିଏଲର ୧୮ତମ ସଂସ୍କରଣର ଫାଇନାଲରେ ଟାଇଟଲ ପାଇଁ ଲଢ଼େଇ କରିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭.୩୦ରେ ପଡ଼ିବ ଫାଇନାଲ ଲଢ଼େଇର ପ୍ରଥମ ବଲ।

Advertisment

୧୭ ବର୍ଷର ଅପେକ୍ଷା ଓ ୧୮ତମ ପ୍ରୟାସରେ ଉଭୟ ଆରସିବି ଓ ପଞ୍ଜାବ ନିଜର ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବେ। ଉଭୟ ଦଳ କେବେ ହେଲେ ବି ଆଇପିଏଲ ଟ୍ରଫି ଜିତି ନାହାନ୍ତି। ପ୍ରଥମଥର ପାଇଁ ଉଭୟ ଦଳ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପଞ୍ଜାବ ଦ୍ୱିତୀୟ ଥର ପାଇଁ ଫାଇନାଲ ଖେଳୁଥିବା ବେଳେ ଆରସିବି ୪ର୍ଥ ଥର ପାଇଁ ଟ୍ରଫି ଟକ୍କରରେ ସାମିଲ ହୋଇଛି। ପଞ୍ଜାବ ଶେଷ ଥର ପାଇଁ ୨୦୧୪ରେ ଫାଇନାଲକୁ ଯାଇ କୋଲକାତା ନାଇଟ ରାଇଡର୍ସ ଠାରୁ ହାରିଥିଲା। ସେହିପରି ଆରସିବି ୨୦୧୬ ପରେ ପ୍ରଥମଥର ପାଇଁ ଫାଇନାଲକୁ ଯାଇଛି।

ଚଳିତ ଫାଇନାଲ ଠାରୁ ଆଉ କିଛି ଭଲ ହୋଇ ନପାରେ। ୧୮ତମ ସଂସ୍କରଣରେ ଆରସିବିର ନମ୍ବର ୧୮ ଯଦି ପ୍ରଥମଥର ପାଇଁ ଟ୍ରଫି ଉଠାଉଛନ୍ତି, ତା’ହେଲେ ୧୭ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଆମେ ଏଠାରେ ଆରସିବିର ଜର୍ସି ନମ୍ବର ୧୮ ବିରାଟ କୋହଲିଙ୍କ କଥା କହୁଛୁ। ବିରାଟ ଆଇପିଏଲ ଇତିହାସର ଏକମାତ୍ର ଖେଳାଳି ଯିଏ ୧୮ ବର୍ଷ ହେଲା ଆରସିବି ପାଇଁ ଖେଳି ଆସୁଛନ୍ତି। ହେଲେ ଏଯାଏ ଟ୍ରଫି ତୋଳି ଧରିବାର ସୁଯୋଗ ତାଙ୍କୁ ମିଳିନି। ଏବେ ତାଙ୍କ ପାଖରେ ଟ୍ରଫି ଜିତିବାର ଅପୂର୍ବ ସୁଯୋଗ ରହିଛି।

Advertisment

୨୦୨୪ରେ ଶ୍ରେୟସ ଆୟର କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିଲେ। ତାଙ୍କ ନେତୃତ୍ୱରେ କୋଲକାତା ଆଇପିଏଲ ଜିତିଥିଲା। ଏଥର ସେ ରେକର୍ଡ ୨୬.୭୫ କୋଟି ଟଙ୍କାରେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି। ଦଳକୁ ୧୧ ବର୍ଷ ପରେ ଫାଇନାଲକୁ ମଧ୍ୟ ନେଇଛନ୍ତି। ଶ୍ରେୟସ ଆଇପିଏଲ ଇତିହାସର ଏକମାତ୍ର କ୍ୟାପ୍ଟେନ ଯଦିଏ ୩ଟି ଭିନ୍ନ ଭିନ୍ନ ପ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳି ନିଜ ଦଳକୁ ଫାଇନାଲକୁ ନେବାରେ ସକ୍ଷମ ହୋଇଛନ୍ତି।

୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କ ନେତୃତ୍ୱରେ ଫାଇନାଲକୁ ଯାଇଥିଲା। ୨୦୨୪ରେ କୋଲକାତା ଓ ୨୦୨୫ରେ ପଞ୍ଜାବ ତାଙ୍କ କ୍ୟାପ୍ଟେନ୍ସିରେ ଫାଇନାଲ ଖେଳିବାକୁ ଯାଉଛି। ଏହି ଐତିହାସିକ ସଫଳତାକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରେୟସ ଆୟର ଟ୍ରଫି ଜିତିବା ଲକ୍ଷ୍ୟରେ ରହିବେ।

୧୦ ଦଳକୁ ନେଇ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଥିଲା। ଆଜି ୭୪ ମ୍ୟାଚ୍‌ ସହ ମଙ୍ଗଳବାର ଶେଷ ହେବାକୁ ଯାଉଛି ଆଇପିଏଲ୍‌ର ୧୮ତମ ସଂସ୍କରଣ। ୬ ମାସ ତଳେ ଯେଉଁ ଦୁଇ ଅଧିନାୟକ ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ ଅବତୀର୍ଣ୍ଣ ହୋଇଥିଲେ ଏବେ ସେହି ଦୁଇ ଜଣ ହିଁ ସମାନ ଭୂମିକାରେ ରହିଛନ୍ତି। ମୁସ୍ତାକ ଅଲୀ ଟ୍ରଫିରେ ଶ୍ରେୟସ ଆୟରଙ୍କ ମୁମ୍ବାଇ ୫ ୱିକେଟ୍‌ରେ ରଜତ ପାଟିଦାରଙ୍କ ମଧ୍ୟପ୍ରଦେଶକୁ ହରାଇଥିଲା। ଆଇପିଏଲ୍‌ରେ ନିଜ ନିଜ ଫ୍ରାଞ୍ଚାଇଜ୍‌ର ପ୍ରଥମ ନେତୃତ୍ୱରେ କିନ୍ତୁ ଫାଇନାଲ୍ ଖେଳିବାକୁ ଯାଉଛନ୍ତି ଏହି ଦୁଇ ଭାରତୀୟ ତାରକା। ପାଟିଦାରଙ୍କ ପାଖରେ ଏୟାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି। 

ଲିଗ୍ ଟପ୍ପର ହେବାର ଆତ୍ମବିଶ୍ୱାସ ଓ କ୍ୱାଲିଫାୟାର-୨ରେ ୫ ଥର ବିଜେତା ମୁମ୍ବାଇ ଇଣ୍ତିଆନ୍ସକୁ ପରାସ୍ତ କରିବା ପରେ ଆୟରଙ୍କ ଦଳ ଫାଇନାଲ ଲଢ଼େଇକୁ ଆସିଛି। ପଞ୍ଜାବ କିଙ୍ଗ୍ସ ୧୧ ବର୍ଷ ପରେ ଫାଇନାଲ୍ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ୧୮ ନମ୍ବର ଜର୍ସି ଓ ୧୮ ବର୍ଷର ପ୍ରତୀକ୍ଷାରେ ରହିଥିବା ବିରାଟ କୋହଲି ବି ନିଜ ଟ୍ରଫି କ୍ୟାବିନେଟ୍‌ର ଏହି ବିରଳ ବ୍ୟତିକ୍ରମକୁ ମଙ୍ଗଳବାର ରାତିରେ ଶେଷ କରିଦେବେ ବୋଲି ବିଶ୍ୱାସ ରଖିଛନ୍ତି। ଆର୍‌ସିବି ପୂର୍ବରୁ ୨୦୦୯,୨୦୧୧ ଓ ୨୦୧୬ରେ ଫାଇନାଲ୍ ଖେଳିଥିବା‌‌ ବେଳେ ପଞ୍ଜାବ ୨୦୧୪ରେ ଥରେ ମାତ୍ର ଖେଳିଥିଲା।

ଫାଇନାଲ୍ ଆସିବା ପଥରେ ଉଭୟ ଦଳ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କ୍ୱାଲିଫାୟାର-୧ରେ ମୁଲାନପୁରରେ ଘରୋଇ ପଞ୍ଜାବକୁ ଆର୍‌ସିବି ପରାସ୍ତ କରିବା ପାଟିଦାରଙ୍କ ଦଳକୁ ଆତ୍ମବିଶ୍ୱାସ ଦେଇଛି। କିନ୍ତୁ ଯୁବ ଦଳକୁ ନେଇ ଭୟଙ୍କର କ୍ରିକେଟ୍ ଖେଳୁଥିବା କିଙ୍ଗ୍ସ ଅହମଦାବାଦରେ ପାଇଥିବା ପୂର୍ବ ୨ ବିଜୟ ଫାଇଦାରେ ରଖିବ। ଅନ୍ୟ ଏକ ବରାବର ସ୍ଥିତି ହେଉଛି ଆଇପିଏଲ୍‌ ଇତିହାସରେ ଦୁଇ ଦଳ ମଧ୍ୟରେ ୩୬ ମ୍ୟାଚ୍‌ ମଧ୍ୟରୁ ଫଳାଫଳ ୧୮-୧୮ ରହିଛି।

ଭିନ୍ନ ପିଚ୍‌, ପରିବେଶ ଓ ପଡ଼ିଆରେ କିନ୍ତୁ ମ୍ୟାଚ୍‌ ରାତିରେ ଯିଏ ଭଲ ଖେଳିବ ନିଶ୍ଚିତ ବାଜି ମାରିନେବ। ଅହମଦାବାଦରେ ଆୟର ୩ ପାଳିରୁ ୨୪୨ ରନ୍ କରି କେବେ ବି ଆଉଟ୍ ହୋଇନାହାନ୍ତି। କିନ୍ତୁ ଚଳିତ ଋତୁରେ ଆର୍‌ସିବି ପକ୍ଷରେ ୭, ୬, ୨ ରନ୍ କରିବା ତାଙ୍କୁ ଚାପରେ ପକାଇପାରେ।

ପଞ୍ଜାବ ଦଳ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ୍ ସିଂହ, ଜୋସ୍ ଇଙ୍ଗଲିସ, ଶ୍ରେୟସ୍ ଆୟର (ଅଧିନାୟକ), ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ୍, ଅଜମାତୁଲ୍ଲା ଓମରଜାଇ, କାଇଲ ଜାମିସନ୍, ହରପ୍ରୀତ୍‌ ବ୍ରାର୍/ବିଜୟ କୁମାର ବୈଶାଖ, ଅର୍ଶଦୀପ ସିଂହ, ୟୁଝଭେନ୍ଦର ଚହଲ।

ଆର୍‌ସିବି ଦଳ: ବିରାଟ କୋହଲି, ଫିଲ୍ ସଲ୍‌ଟ, ମୟଙ୍କ ଅଗ୍ରୱାଲ୍, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା, କ୍ରୁନାଲ ପାଣ୍ଡ୍ୟା, ଲିଆମ ଲିଭିଂଷ୍ଟୋନ, ରୋମାରିଓ ସେଫର୍ଡ, ଭୁବନେଶ୍ୱର କୁମାର, ୟଶ୍ ଦୟାଲ, ଜୋସ୍ ହାଜେଲଉଡ୍ ଓ ସୂୟଶ ଶର୍ମା।

IPL IPl Final Match RCB Vs PBKS