Advertisment

ଆରସିବି: ଇ ସାଲା କପ୍‌ ନାମଦେ ରୁ ଇ ସାଲା କପ୍‌ ନାମଦୁ

ଆଇପିଏଲର ୧୮ତମ ସଂସ୍କରଣରେ ଆରସିବିର ଅଧୁରା ସ୍ୱପ୍ନ ପୂରଣ ହୋଇଛି। ଫାଇନାଲରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୯୦ ରନ କରିଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗସ ୧୮୪ ରନରେ ଅଟକି ଯାଇଥିଲା।

RCB

RCB

Advertisment

ଜୋଶ ହାଜେଲଉଡ୍‌ ଯେତେବେଳେ ଶେଷ ଓଭରରେ ଦ୍ୱିତୀୟ ଡଟ୍‌ ବଲ ପକାଇଥିଲେ ସେତେବେଳେ ବିରାଟ କୋହଲିଙ୍କ ମୁହଁ ଅମହଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲାଗିଥିବା ବଡ଼ ସ୍କ୍ରିନରେ ଦେଖା ଯାଇଥିଲା। ହାଜେଲଉଡଙ୍କ ଦ୍ୱିତୀୟ ଡଟ ବଲ ପରେ ବିରାଟ ନିଜ ଆଖିର ଲୁହକୁ ପୋଛିଥିଲେ। ଓଭରର ଶେଷ ବଲ ଯେତେବେଳେ ପଡ଼ିଲା ସେତେବେଳେ ବିରାଟ ବେଶ ଭାବବିହ୍ୱଳ ହେବା ସହ ପଡ଼ିଆରେ ଆଣ୍ଠେଇ ପଡ଼ିଥିଲେ।

Advertisment

ତାଙ୍କୁ ଆରସିବିର ଖେଳାଳିମାନେ ଘେରି ଯାଇଥିଲେ। ଆରସିବିର ଦୁଇ ପୂର୍ବତନ ଖେଳାଳି ତଥା ୨୦୧୬ ଆଇପିଏଲ ଫାଇନାଲ ହାରିଥିବା ଦଳରେ ଥିବା ଦୁଇ ତାରକା କ୍ରିସ ଗେଲ୍‌ ଓ ଏବି ଡିଭିଲିୟର୍ସ ପଡ଼ିଆ ଭତିରେ ପଶି ବିରାଟଙ୍କୁ କୁଣ୍ଢାଇ ପକାଇଥିଲେ। ବିରାଟଙ୍କ ସବୁଠାରୁ ବଡ଼ ସମର୍ଥକ ତଥା ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସେହି ସମୟରେ ଉପସ୍ଥିତ ଥିଲେ।

ଆଉ ଏକ ଭାବବିହ୍ୱଳ କରିବା ଭଳି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ବିରାଟ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ଡିଆଁ ମାରି କୁଣ୍ଢାଇ ପକାଇଛନ୍ତି। ଫାଇନାଲ ମ୍ୟାଚ୍‌ର ମାହୋଲ ଆରମ୍ଭ ହେବା ଆଗରୁ ସତେ ଯେମିତି ସବୁ କିଛି ବିରାଟଙ୍କ ପାଇଁ ହେଉଥିବା ଅନୁଭବ ହୋଇଥିଲା। ହଜାର ହଜାର ଲୋକ ଜର୍ସି ନମ୍ବର ୧୮ ପିନ୍ଧି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ।

Advertisment

ବିରାଟ ବିରାଟ ଓ ଆରସିବି ଆରସିବି ନାରାରେ ପୂରା ପରିବେଶ ପ୍ରକମ୍ପିତ ହେଉଥିଲା। ପୂରା ଦର୍ଶକ ଗୋଟିଏ ପକ୍ଷରେ ଥିଲେ। ସେମାନେ ଆରସିବିର ପ୍ରତିଟି ଚୌକା, ଛକା ଓ ୱିକେଟ ବେଳେ ଉତ୍ସାହିତ କରୁଥିଲେ। କିନ୍ତୁ ବିରାଟ ଯେତେବେଳେ ୪୩ ରନରେ ଆଉଟ ହୋଇଗଲେ ସେତେବେଳେ ସେମାନେ ପୂରା ନୀରବ ହୋଇଯାଇଥିଲେ।

ଫାଇନାଲ ମ୍ୟାଚ୍‌ର ଶେଷ ବଲ ପରେ ବିରାଟ ପଡ଼ିଆରେ ମୁଣ୍ଡ ତଳକୁ କରି ଆଣ୍ଠେଇ ପଡ଼ିଥିଲେ। ଏତିକି ବେଳେ ତାଙ୍କ ପାଖରେ ପ୍ରଥମ ବ୍ୟକ୍ତି ଭାବେ ଜଣେ କ୍ୟାମେରାମ୍ୟାନ ପହଞ୍ଚିଥିଲେ। ତାଙ୍କର ଗୋଟିଏ କାମ ଥିଲା ବିରାଟଙ୍କ ଇମୋସୋନାଲ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା। ବିରାଟ ପୂର୍ବରୁ କେବେ ବି ଏତେ ମାତ୍ରାରେ ଭାବବିହ୍ୱଳ ହେବା ଦେଖାଯାଇ ନଥିଲା

ସେ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ସଫଳତା ସାଉଁଟିଛନ୍ତି। ଦେଶ ପାଇଁ ବିଶ୍ୱକପ ଜିତିଛନ୍ତି। ହେଲେ ଯେଉଁ କପକୁ ସେ ୧୮ ବର୍ଷ ହେଲା ଦଖଲ କରିବାକୁ ଚାହୁଁଥିଲେ ଶେଷରେ ଏହା ହାସଲ ହେବା ନିଶ୍ଚିତ ଭାବେ ସ୍ୱତନ୍ତ୍ର।

୧୭ ବର୍ଷର ଅପେକ୍ଷା ଓ ୧୮ ତମ ପ୍ରୟାସରେ ଆରିସିବି ଆଇପିଏଲ ୨୦୨୫ ଟ୍ରଫି ଜିତିଛି। ପୂରା ଆରସିବି ଟିମ ଓ ଏହାର ଫ୍ୟାନ୍ସକୁ ଏହି ୧୭ ବର୍ଷ ମଧ୍ୟରେ ଅନେକ କଟାକ୍ଷ ସହିବାକୁ ପଡ଼ିଥିଲା। ଏହାକୁ ମଧ୍ୟ ବିରାଟ ଆଣ୍ଡ କୋ ଭଲ ଭାବେ ବୁଝୁଥିଲେ। ସବୁର ହିସାବ ୧୮ ବର୍ଷରେ ଆରସିବି ନେଇଛି। ରଜତ ପାଟିଦାରଙ୍କ ନେତୃତ୍ୱରେ ଦଳ ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିଲା।

ଆଉ ପ୍ରଥମ ପ୍ରୟାସରେ ରଜତ ଆରିସିବି ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ଚଳିତ ଆଇପିଏଲ ଆରମ୍ଭରୁ ଆରିସିବି ଓ ଏହାର ଫ୍ୟାନ ଇ ସାଲା କପ୍‌ ନାମଦେର ନାରା ଦେଇଥିଲେ। ଏହି କନ୍ନଡ ନାରାର ଅର୍ଥ ହେଉଛି ଏ ବର୍ଷ କପ ଆମର ହେବ। ବିଜୟ ପରେ ନାରା ବଦଳି ଯାଇଛି। ସମସ୍ତେ କହିଛନ୍ତି ଇ ସାଲା କପ ନାମଦୁ। ଏହାର ଅର୍ଥ ଏ ବର୍ଷ କପ୍‌ ଆମର ହୋଇଛି। ବିରାଟ କୋହଲି ବିଜୟ ପରେ ଏହି ନାରା ଦେଇଥିଲେ। ଅଧିନାୟକ ରଜିତ ପାଟିଦାର ମଧ୍ୟ ପୋଷ୍ଟ ମ୍ୟାଚ୍‌ ପୁରସ୍କାର ବିତରଣ ଉତ୍ସବ ସମୟରେ ଓ ଟ୍ରଫି ଧରିବା ପୂର୍ବରୁ ଇ ସାଲା କପ ନାମଦୁ ବୋଲି କନ୍ନଡ ଭାଷାରେ ଆରସିବି ଫ୍ୟାନ୍ସଙ୍କୁ କହିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କେବଳ ଆଇପିଏଲ ଖେଳି ନାହାନ୍ତି ବରଂ ଏହି ଟିମ ଚାମ୍ପିୟନ୍ସ ଲିଗ ମଧ୍ୟ ଖେଳିଥିଲା। ୨୦୧୫ ପୂର୍ବରୁ ଆରସିବି ୩ ଥର ଫାଇନାଲ ଖେଳି ପରାଜୟର ସ୍ୱାଦ ଚାଖିଥିଲା। ସେହିପରି ଚାମ୍ପିୟନ୍ସ ଲିଗ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଥିଲା। ଏବେ ଆଇପିଏଲର ୧୮ତମ ସଂସ୍କରଣରେ ଆରସିବିର ଅଧୁରା ସ୍ୱପ୍ନ ପୂରଣ ହୋଇଛି। ଫାଇନାଲରେ ଆରସିବି ପ୍ରଥମେ ବ୍ୟାଟିଂ କରି ୧୯୦ ରନ କରିଥିଲା। ଏହାର ଜବାବରେ ପଞ୍ଜାବ କିଙ୍ଗସ ୧୮୪ ରନରେ ଅଟକି ଯାଇଥିଲା।

ବିଗତ କିଛି ବର୍ଷ ବିରାଟଙ୍କ ପାଇଁ ଆଦୌ ଶୁଭଙ୍କର ନଥିଲା। ସେ ଦୁର୍ବଳ ଫର୍ମ, ଦୁର୍ବଳ ଆତ୍ମବିଶ୍ୱାସ, ସମାଲୋଚନା ଓ ମାନସିକ ଚାପ ସହ ସଂଘର୍ଷ କରିଥିଲେ। ଆଇପିଏଲ ସମେତ ବିରାଟ ୩ଟି ଯାକ ଫର୍ମାଟର କ୍ୟାପ୍ଟେନ୍ସି ଛାଡ଼ିଥିଲେ। ଲାଗୁଥିଲା ବିରାଟଙ୍କ ଭିତରେ ଆଉ ସେହି ଖେଳ ନାହିଁ। କିନ୍ତୁ ସେ ସବୁ କିଛି ସହ ଲଢ଼ିବା ଛାଡ଼ି ନଥିଲେ। ୨୦୨୨ରେ ବିରାଟ ଟି-୨୦ ଇତିହାସର ସବୁଠାରୁ ମହାନ ପାଳି ପାକିସ୍ତାନ ବିପକ୍ଷ ମେଲବର୍ଣ୍ଣ ଟି-୨୦ରେ ଖେଳିଥିଲେ।

ଟି-୨୦ ବିରାଟଙ୍କ ପାଇଁ ନୁହେଁ ବୋଲି ଅନେକ କହୁଥିବା ବେଳେ ସେ ଏକାକୀ ଭାରତକୁ ପାକିସ୍ତାନ ବିପକ୍ଷରେ ବିଜୟ ଭେଟି ଦେଇଥିଲେ। ୨୦୨୩ ଦିନିକିଆ ବିଶ୍ୱକପରେ ସେ ସର୍ବାଧିକ ରନ କରିଥିଲେ। କିନ୍ତୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତାଙ୍କ ହୃଦୟ ଭାଙ୍ଗି ଥିଲା। ତଥାପି ସେ ହାର ମାନି ନଥିଲେ। ୨୦୨୪ ଟି-୨୦ ବିଶ୍ୱକପରେ ସେ ରୋହିତ ଶର୍ମାଙ୍କ ସହ ଓପନ କରିଥିଲେ। ଟୁର୍ଣ୍ଣାମେଣ୍ଟ ସାରା ସେ ସଂଘର୍ଷ କରିଥିଲେ ହେଁ ଫାଇନାଲ ମ୍ୟାଚ୍‌ରେ ୭୬ ରନର ଇନିଂସ ଖେଳିଥିଲେ। ଭାରତ ୨୦୦୭ ପରେ ପୁଣି ଟି-୨୦ ବିଶ୍ୱକପ ଜିତିଥିଲା।

୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ବିରାଟ ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ୨୦୧୨ ପରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଏସବୁ ଭିତରେ ବିରାଟ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ଟେଷ୍ଟ କ୍ରିକେଟକୁ ବିରାଟ ସବୁବେଳେ ନିଜର ପସନ୍ଦର ଫମାର୍ଟ କହୁଥିଲେ। ଗତକାଲି ଆଇପିଏଲ ଟ୍ରଫି ଜିତିବା ପରେ ମଧ୍ୟ ସେ ଟେଷ୍ଟ କ୍ରିକେଟର ପ୍ରଶଂସା କରିଛନ୍ତି। ସବୁ ସଫଳତା ସତ୍ତ୍ୱେ ତାଙ୍କ କ୍ୟାବିନେଟରେ ଆଇପିଏଲ ଟ୍ରଫି ନଥିଲା। ହେଲେ ମଙ୍ଗଳବାର ବିରାଟଙ୍କ ଖାତାରେ ଆଇପିଏଲ ଟ୍ରଫି ଯୋଡ଼ି ହୋଇଯାଇଛି।

Virat Kohli IPL RCB IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe