Advertisment

ଚାମ୍ପିୟନ୍ସ ଟ୍ରଫି ଜିତିଲା ରୋହିତ ସେନା: ଭାରତକୁ ପ୍ରତିନିଧିତ୍ୱ କରିବା ସହଜ ନୁହେଁ

୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟରେ ଭାରତକୁ ହରାଇ ଦେଇ ବିଜୟ ମୁକୁଟ ପିନ୍ଧିଥିଲା। ଏବେ ୨୫ ବର୍ଷ ପରେ ଭାରତ ୪ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ବିଜୟ ବାନା ଉଡ଼ାଇଛି।

Rohit

Rohit

Advertisment

ପୂରା ହୋଇଛି ଅଧୂରା ସ୍ୱପ୍ନ। ୨୦୨୩ ନଭେମ୍ବର ୧୯ରେ କୋଟି କୋଟି କ୍ରିକେଟ ପ୍ରେମୀଙ୍କ ଆଶା ଛିନଛତ୍ର ହୋଇଯାଇଥିଲା। ରୋହିତ ଶର୍ମା ଆଣ୍ଡ କୋ ଅଷ୍ଟ୍ରେଲିଆ ଠାରୁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରି ଯାଇଥିଲେ। ହେଲେ ୨୦୨୫ରେ ଏହି ଜଖମରେ ଲାଗିଛି କିଛିଟା ମଲମ। ରୋହିତ ଆଣ୍ଡ କୋ ଜିତିଛନ୍ତି ମିନି ବିଶ୍ୱକପ। ସେମିରେ କଙ୍ଗାରୁ ଶିକାର କରିଥିବା ଭାରତୀୟ ଟିମ ଫାଇନାଲରେ ୨୦୦୦ ମସିହାର ଚାମ୍ପିୟନ୍ସ ଟ୍ରଫି ବିଜେତା ନ୍ୟୁଜିଲ୍ୟାଣ୍ଡକୁ ଚିତପଟାଙ୍ଗ କରି ନେଇଛି। 

Advertisment

୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟରେ ଭାରତକୁ ହରାଇ ଦେଇ ବିଜୟ ମୁକୁଟ ପିନ୍ଧିଥିଲା। ଏବେ ୨୫ ବର୍ଷ ପରେ ଭାରତ ୪ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ବିଜୟ ବାନା ଉଡ଼ାଇଛି। ସୌରଭ ଗାଙ୍ଗୁଲିଙ୍କ ଟିମ ୨୦୦୦ ମସିହାରେ ହାରିଥିଲା। ଏବେ ରୋହିତ ଶର୍ମାଙ୍କ ଟିମ ବିଜୟୀ ହୋଇଛି। ସେତେବେଳେ କୋଟି କୋଟି ଭାରତୀୟଙ୍କ ହୃଦୟକୁ କ୍ରିସ କ୍ରେନ୍ସ ଶତକୀୟ ଇନିଂସ ଖେଳି ଦଳି ଦେଇଥିଲେ। ଏବେ ଅଧିନାୟକ ରୋହିତ ଶର୍ମା ୭୬ ରନର ଇନିଂସ ଖେଳି ବ୍ଲାକ୍ୟାପକୁ ଧୂଳି ଚଟାଇ ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ୨୦୦୦ ମସିହାରେ କେନିୟାର ନାଇରୋବିରେ ବିଜୟ ପତାକା ଉଡ଼ାଇଥିଲା। ୨୦୨୫ ମସିହାରେ ଭାରତୀୟ ଟିମ ଦୁବାଇରେ ବିଜୟ ଧ୍ୱଜା ଉଡ଼ାଇଛି। ୨୫ ବର୍ଷ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ହିସାବ ବରାବର କରିଛନ୍ତି।  

ଦୁବାଇରେ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଷ୍ଟମ୍ପ ଧରି ବେଶ ନିଆରା ଢଙ୍ଗରେ ଦାଣ୍ଡିଆ ଡ୍ୟାନ୍ସ କଲେ। ମୁଖ୍ୟ କୋଚ ଗୌତମ ଗମ୍ଭୀର ଅପ୍ରତ୍ୟାଶିତ ହସ ସହ ପଡ଼ିଆରେ ପ୍ରବେଶ କରି ସମସ୍ତଙ୍କୁ ଆଲିଙ୍ଗନ କଲେ। ବିଜୟ ରାତିରେ ଏପରି ଘଟଣା ଅପ୍ରତ୍ୟାଶିତ ନଥିଲା। କାରଣ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ତୋଳି ଧରିବାର କୀର୍ତ୍ତି ହାସଲ କରିପାରିଥିଲା। ଏପରି ସ୍ଥିତିରେ ସେଲିବ୍ରେସନ ତୋ ବନତା ହେ। 

Advertisment

ଭାରତୀୟ ଟିମ ବିଜୟ ହେବା ପରେ କୋଟି କୋଟି ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଖେଳାଳିମାନେ ଆନନ୍ଦ ଓ ଉଲ୍ଲାସରେ ଝୁମିବାକୁ ଲାଗିଥିଲେ। ସମସ୍ତେ ଭାରତୀୟ ଟିମର ପ୍ରଶଂସା କରିବାରେ ଲାଗିଥିଲେ। କିନ୍ତୁ ଏହା ପଛରେ ଥିବା ସଂଘର୍ଷକୁ ସେହିମାନେ ବୁଝିଛନ୍ତି, ଯେଉଁମାନେ ଦୀର୍ଘ ୬ ମାସ କାଳ କେବଳ ସମାଲୋଚନା ଶୁଣି ଚାଲିଥିଲେ। ସେମାନଙ୍କ ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିବା କୌଣସି ନୂଆ ଜୀବନ ଦାନ ଠାରୁ କମ ନୁହେଁ। 

ଭାରତକୁ ବିଶ୍ୱ ଦରବାରରେ ପ୍ରତିନିଧିତ୍ୱ କରିବା ଆଦୌ ଛୋଟିଆ କଥା ନୁହେଁ। ଏଥିପାଇଁ ଦେବାକୁ ହୋଇଥାଏ ଅନେକ ବଳିଦାନ। ସହିବାକୁ ପଡ଼ିଥାଏ ଅନେକ ସମାଲୋଚନା। ଭାରତୀୟ ଟିମର ଖରାପ ପ୍ରଦର୍ଶନ ପରେ ଦୀର୍ଘ ୬ ମାସ ହେଲା ଗମ୍ଭୀର, ରୋହିତ ଓ କୋହଲି ଅନ୍ୟମାନଙ୍କ ତୁଳନାରେ ସବୁଠାରୁ ଅଧିକ ସମାଲୋଚନାର ଶିକାର ହୋଇଥିଲେ। କ୍ରିକେଟ ଜାଣିଥିବା ଓ କ୍ରିକେଟ ବିଷୟରେ ଜାଣି ନଥିବା ଲୋକମାନେ ମନଇଚ୍ଛା ସେମାନଙ୍କୁ ଗାଳି କରି ଚାଲିଥିଲେ। ତଥାପି ସେମାନେ ସବୁ କିଛି ସହିଥିଲେ। ଖରାପ ସମୟର ସାମ୍ନା କରିଥିଲେ। ଗମ୍ଭୀର କୌଚ ହେବା ପରେ ଭାରତୀୟ ଟିମ ପ୍ରଥମଥର ପାଇଁ ଶ୍ରୀଲଙ୍କା ସିରିଜ ହାରି ଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ ୦-୩ରେ ଟେଷ୍ଟ ସିରିଜ ହାରିବାକୁ ପଡ଼ିଥିଲା। ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବାକୁ ହୋଇଥିଲା। 

ବାସ ଏହାପରେ ଟ୍ରୋଲ ପାର୍ଟି ମାତିଥିଲେ। ସେମାନେ ମୁଖ୍ୟ କୋଚ ଗମ୍ଭୀରଙ୍କ ଠାରୁ ଆରମ୍ଭ କରି ବିରାଟ ଓ ରୋହିତଙ୍କୁ ମନଇଚ୍ଛ ଗାଳି ଦେଇଥିଲେ। ସେମାନଙ୍କୁ ଅନଲାଇନ ଓ ଅଫଲାଇନରେ ଟ୍ରୋଲ ହେବାକୁ ପଡ଼ିଥିଲା। ଅବସର ନେଇଯିବାକୁ ବାହାରୁ ଓ ଭିତରୁ ଚାପ ପଡ଼ିଥିଲା। କିନ୍ତୁ ସମସ୍ତେ ଖେଳ ଓ ନିଜର ଦକ୍ଷତା ଉପରେ ଫୋକସ କରିଥିଲେ। ଏବେ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ବିଜୟ କରାଇବା ପରେ ଏମାନେ ଖୁସିରେ ଓ ଶାନ୍ତିରେ ଉତ୍ସବ ମନାଇବାକୁ ହକଦାର।

ଏବେ ସେମାନଙ୍କୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି। ସେମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଦେଉଛନ୍ତି। କିଛି ଦିନ ତଳେ ଯେଉଁମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଅବସର ନେବାକୁ ଚାପ ପକାଉଥିଲେ, ଆଜି ସେମାନେ ଉଭୟଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ବାଧ୍ୟ କରୁଛନ୍ତି। ରୋହିତ ମଧ୍ୟ ନିଜ ଅବସର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଟି-୨୦ରୁ ସେ ଓ ବିରାଟ ଅବସର ନେଇଥିଲେ ହେଁ ଦିନିକିଆକୁ ଅଲବିଦା କହିବା ମୁଡରେ ଉଭୟ ନଥିବା ସ୍ପଷ୍ଟ କରିଛନ୍ତି।

ଖରାପ ସମୟରେ ସମାଲୋଚନା ବେଳେ ଟିମ ମ୍ୟାନେଜମେଣ୍ଟ ଖେଳାଳିଙ୍କ ଉପରେ ବିଶ୍ୱାସ ତୁଟାଇ ନଥିଲା। ଖାସ ଏହି କାରଣ ପାଇଁ ଆଜି ଭାରତକୁ ମିଳିଛି ଐତିହାସିକ ସଫଳତା। ଆଇସିସିର ଗଲା ୩ଟି ଟୁର୍ଣ୍ଣାମେଣ୍ଟରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ହାରିଛି। ୨୦୨୩ ବିଶ୍ୱକପ ଫାଇନାଲକୁ ଛାଡ଼ି ଦେଲେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ସମସ୍ତ ମ୍ୟାଚ୍‌ ଓ ଚାମ୍ପିୟନ୍ସର ସବୁ ମ୍ୟାଚ୍‌ ଜିତିଛି। ନିଶ୍ଚିତ ଭାବେ ଏହା ଏକ ବିରାଟ କୀର୍ତ୍ତିମାନ।

ଏଥିରୁ ଟିମରେ ଥିବା ଖେଳାଳିଙ୍କ ଦକ୍ଷତା, ଗଭୀରତା ଓ ପରସ୍ପର ସହ ଥିବା ବୁଝାମଣାକୁ ପ୍ରଦର୍ଶିତ କରୁଛି। ଖେଳାଳିମାନଙ୍କୁ ଅଧିନାୟକ ଓ ଟିମ ମ୍ୟାନେଜମେଣ୍ଟ ସବୁବେଳେ ବାହାରେ ଦେଖା ଯାଉଥିବା ଚାପରୁ ଦୂରେଇ ରଖିଥାଆନ୍ତି। ଭାରତ ଗୋଟିଏ ମ୍ୟାଚ୍‌ ଯଦି ହାରିଯାଉଛି, ତା’ହେଲେ ଖେଳାଳିଙ୍କ ଉପରେ ବାହାରୁ ଚାପ ବୃଦ୍ଧି ପାଇବାରେ ଲାଗୁଛି। କ୍ରିକେଟ ପଣ୍ଡିତମାନେ ସୋଶାଲ ମିଡିଆ ଓ ଟିଭିରେ ବସି ଅନେକ କିଛି ଖେଳାଳିଙ୍କ ସମ୍ପର୍କରେ କୁହନ୍ତି। ଅନେକ ପ୍ରକାରର ଆକଳନ ମଧ୍ୟ ଆରମ୍ଭ ହୋଇଯାଏ। କିନ୍ତୁ ଖେଳାଳିମାନେ ସେସବୁକୁ ଅଣଦେଖା କରନ୍ତି। ସେମାନେ କେମିତି ମ୍ୟାଚ୍‌ ଜିତିବାକୁ ହେବ ଓ ମ୍ୟାଚ୍‌କୁ କେମିତି ଉପଭୋଗ କରିବାକୁ ପଡ଼ିବ, ତା’ ଉପରେ ଫୋକସ କରିଥାଆନ୍ତି।

୨୦୨୩ ଦିନିକିଆ ବିଶ୍ୱକପରୁ ଅଧିନାୟକ ରୋହିତ ଶର୍ମା ନୂଆ ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି। ସେ ଭାରତକୁ ବିସ୍ଫୋରକ ଆରମ୍ଭ ଦେଇ ୩୦ରୁ ୪୦ ରନରେ ଆଉଟ ହୋଇଯାଉଥିଲେ। ଏହାକୁ ନେଇ ମଧ୍ୟ ଅନେକ କଟୁ କଥା କହିଥିଲେ। ଏସବୁ ଭିତରେ ରୋହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମ୍ୟାଚ୍‌ ବିଜୟୀ ୭୬ ରନର ଇନିଂସ ଖେଳି ଦେଶକୁ ଟ୍ରଫି ଭେଟି ଦେଇଛନ୍ତି। ସେ କାହିଁକି ଜଣେ କ୍ଲାସ ପ୍ଲେୟାର ସେକଥା ସମସ୍ତଙ୍କୁ ଜଣାଇଛନ୍ତି। 

ଭାରତକୁ ସମସ୍ତେ ବେଶ ସମ୍ମାନର ସହ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଚାହାନ୍ତି। ୨୦୧୯ରେ ରୋହିତ ଦଳ ପାଇଁ ଅନେକ ଯୋଗଦାନ ଦେଇଥିଲେ। କିନ୍ତୁ ଭାରତ ଟ୍ରଫି ଜିତି ପାରି ନଥିଲା। ତେଣୁ ଏହା ଆଦୌ ଥଟାର ବିଷୟ ନୁହେଁ। ଯଦି ଜଣେ ୩୦ରୁ ୪୦ ଜଣ କରୁଛି ଓ ଭାରତ ମ୍ୟାଚ୍‌ ଜିତି ପାରୁଛି, ତା’ହେଲେ ଏହା ନିଶ୍ଚିତ ଭାବେ ଖେଳାଳି ଭାବେ ଜଣଙ୍କୁ ଆତ୍ମସନ୍ତୋଷ ଆଣିପାରିବ। ହେଲେ ଶତକ ପରେ ମଧ୍ୟ ଯଦି ଟିମ ହାରୁଛି, ତା’ହେଲେ ଏହା ମୂଲ୍ୟ କିଛି ନାହିଁ। 

ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ ଚୟନକୁ ନେଇ ମଧ୍ୟ ଭାରତୀୟ ଟିମ ମ୍ୟାନେଜମେଣ୍ଟ, ଅଧିନାୟକ ଓ ମୁଖ୍ୟ କୋଚଙ୍କୁ ସମାଲୋଚନା ହେବାକୁ ପଡ଼ିଥିଲା। ସ୍କ୍ୱାଡରେ ୫ ଜଣ ସ୍ପିନରଙ୍କୁ ରଖାଯାଇଥିବାରୁ ଅନେକ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସ୍କ୍ୱାଡରେ ରହିଥିଲେ। ଦୁବାଇ ଭଳି ପିଚ୍‌ରେ ଏତେ ସଂଖ୍ୟକ ସ୍ପିନରଙ୍କୁ ନେବାର ଆବଶ୍ୟକ ନଥିଲା ବୋଲି ପୂର୍ବତନ ଖେଳାଳିମାନେ ମତ ରଖିଥିଲେ।

ହେଲେ ଭାରତ ବ୍ୟାଟରଙ୍କ ବ୍ୟତୀତ ସ୍ପିନରଙ୍କ ଦମରେ ଚାମ୍ପିୟନ୍ସ ଟ୍ରଫି ରଖିଛି। ୪ ଜଣ ସ୍ପିନର ମ୍ୟାଚ୍‌ରେ ଖେଳିବା ସହ ରନ ଗତିକୁ ଅଟକାଇ ୱିକେଟ ଦଖଲ କରିଛନ୍ତି। ଯେତେବେଳେ ସମାଲୋଚନା ଶୁଣିବାକୁ ପଡ଼ିଥିଲା ସେତେବେଳେ ମ୍ୟାନେଜମେଣ୍ଟ କିମ୍ବା ଅଧିନାୟକ କିଛି ବି କହି ନଥିଲେ। ସେମାନେ ସବୁବେଳେ ନିଜ ରଣନୀତି ଉପରେ ଭରସା ରଖିଥିଲେ। ଦୁବାଇର ପିଚ୍‌ ଧିମା ରହିବା ଏକ ପ୍ରକାରର ନିଶ୍ଚିତ ଥିଲା ବୋଲି ଟିମ ମ୍ୟାନେଜମେଣ୍ଟ ଜାଣିଥିଲା। ପିଚ୍‌କୁ ଦେଖି ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ ଚୟନ କରାଯାଇଥିଲା। ଏହା ଭାରତକୁ ସଫଳତା ଆଣି ଦେଇଛି।

ଭାରତ ଶେଷ ଥର ପାଇଁ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଜିତିଥିଲା। ଏବେ ୧୨ ବର୍ଷ ପରେ ରୋହିତ ସେନା ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି। ୨୦୨୪ରେ ରୋହିତଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଫାଇନାଲ ଯାଇଥିଲେ ହେଁ ଦଳକୁ ହାରିବାକୁ ପଡ଼ିଥିଲା।

Rohit Sharma ICC Team India Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe