Advertisment

ମହିଳା ଟି-୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ, ରିଚା ଘୋଷ ୪୪ ନଟ ଆଉଟ

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ଭାରତୀୟ ମହିଳା ଦଳ ଆଜି ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ମାତ ଦେଇଛି।

author-image
Hemant Lenka
Richa Ghosh

Richa Ghosh

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ଭାରତୀୟ ମହିଳା ଦଳ ଆଜି ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ମାତ ଦେଇଛି। ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ମହିଳା ଦଳ ୬ ୱିକେଟ ହରାଇ ୧୧୮ ରନ କରିଥିଲା।

Advertisment

ଏହାର ଜବାବରେ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ୍‌ ୧୧ ବଲ ପୂର୍ବରୁ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ଭାରତ ପାଇଁ ଯୁବ ତାରକା ରିଚା ଘୋଷ ଅପରାଜିତ ୪୪ ରନ କରିଥିବା ବେଳେ ହରମନପ୍ରୀତ ୩୩ ରନ କରି ଆଉଟ ହୋଇଛନ୍ତି।

ଦକ୍ଷତା ଅନୁସାରେ ଭଲ ବ୍ୟାଟିଂ କରିପାରି ନଥିବା ଇଣ୍ଡିଜ ଟିମ ଭାରତକୁ ମାତ୍ର ୧୧୯ ରନର ଟାର୍ଗେଟ ଦେଇଥିଲେ। ଏହାକୁ ପିଛା କରି ଭାରତ ଦ୍ରୁତ ଆରମ୍ଭ କରିଥିଲା। ହେଲେ ଦଳୀୟ ସ୍କୋର ୩୨ ଥିବା ବେଳେ ଓପନର ସ୍ମୃତି ମନ୍ଧାନା(୧୦) ରନ କରି ଷ୍ଟମ୍ପିଂ ହୋଇ ଯାଇଥିଲେ। ତାଙ୍କ ୱିକେଟ କରିଶ୍ମା ନେଇଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଇନିଂସ ଖେଳିଥିବା ଜେମିମା ରୋଡ୍ରିଗ୍ସ ମଧ୍ୟ ଆଜି କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

ଶେଫାଳୀ ବର୍ମା କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ୨୩ ବଲରେ ୨୮ ରନ କରି କରିଶ୍ମାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୪୩ ରନରେ ୩ ୱିକେଟ ହରାଇ ଭାରତ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ପୁଣିଥରେ ଦଳକୁ ସମ୍ଭାଳିଥିଲେ ୱିକେଟ କିପର ବ୍ୟାଟର ରିଚା ଘୋଷ। ତାଙ୍କୁ ଅଧିନାୟକ ହରମନପ୍ରୀତ କୌର ସବୁ ପ୍ରକାରର ସହଯୋଗ କରିଥିଲେ।

ଉଭୟ ୪ର୍ଥ ୱିକେଟ ପାଇଁ ଦଳୀୟ ସ୍କୋରକୁ ୪୩ରୁ ନେଇ ୧୧୫ ରନରେ ପହଞ୍ଚାଇଥିଲେ। ଦଳକୁ ଜିତିବା ପାଇଁ ୧୮ ବଲରେ ୪ ରନ ଥିବା ବେଳେ ହେନରୀ ଦମଦାର ବୋଲିଂ କରିଥିଲେ। ସେ ଏହି ଓଭରରେ କୌଣସି ରନ ଦେଇ ନଥିଲେ ଓ ୩୩ ରନ କରିଥିବା କୌରଙ୍କୁ ମଧ୍ୟ ଆଉଟ କରି ଦେଇଥିଲେ। ତେବେ ୧୨ ବଲରେ ଦଳକୁ ଜିତିବା ପାଇଁ ୪ ରନ ଦରକାର ଥିବା ବେଳେ ରଚା ଘୋଷ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ।

ସେ ଶେଷ ଯାଏ ୩୨ ବଲରେ ୪୪ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ମାରିଛନ୍ତି। କୌର ଆଉଟ ହେବା ପରେ ଦେବିକା ବୈଦ୍ୟ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ଗୋଟିଏ ବଲ ଖେଳି କୌଣସି ରନ କରି ନାହାନ୍ତି।

ଭାରତ ଏହି ମ୍ୟାଚ୍‌କୁ ୬ ୱିକେଟରେ ଜିତି ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। କିନ୍ତୁ ପଏଣ୍ଟ ଟେବୁଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। କାରଣ ଇଂଲଣ୍ଡ ୨ଟି ମ୍ୟାଚ୍‌ରୁ ୨ଟିରେ ଜିତିଥିବା ବେଳେ ରନ ରେଟ୍ ଦୃଷ୍ଟିକୋଣରୁ ଭାରତ ଉପରେ ରହିଛି। ଭାରତ ଏବେ ୧୮ ତାରିଖରେ ଇଂଲଣ୍ଡକୁ ଭେଟିବ। 

ଅନ୍ୟପକ୍ଷରେ ବୋଲିଂରେ ଦମ ଦେଖାଇଥିବା ଭାରତ ଅଫସ୍ପିନର ଦୀପ୍ତି ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ୪ ଓଭର ବୋଲିଂ କରି ୧୫ ରନ ଦେବା ସହ ଇଣ୍ଡିଜ୍‌ର ୩ ଜଣ ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଣ୍ଡିଜ ମହିଳା ଦଳ ଅଭିଜ୍ଞ ଷ୍ଟିଫାନି ଟେଲର(୪୨) ଓ ଶେମାନି କାମ୍ପବେଲ(୩୦) ରନ ବଳରେ ମଧ୍ୟ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲା।

ଭାରତ ପକ୍ଷରୁ ଦୀପ୍ତି ଶର୍ମାଙ୍କ ବ୍ୟତୀତ ରେଣୁକା ଠାକୁର ସିଂହ ଓ ପୂଜା ବସ୍ତ୍ରକର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଗୋଟିଏ ୱିକେଟ ରନ ଆଉଟ ରୂପେ ମିଳିଥିଲା।

T20 World Cup Women Cricketers Women Cricket